ବାର୍ରେ ବିସ୍ଫୋରଣ: ୩ ଜୀବନ୍ତ ଦଗ୍ଧ

37

ଭୁବନେଶ୍ୱର,୧୦ା୧୧(ବୁ୍ୟରୋ): ବାଣ ନିଆଁରୁ ଖଣ୍ଡଗିରିସ୍ଥିତ ‘ସେଭେନ୍ ମାଇଲ୍ସ୍ ବାର୍ ଆଣ୍ଡ ରେଷ୍ଟୁରାଣ୍ଟ୍’ର ଜେନେରେଟର୍ ବିସ୍ଫୋରଣ ଘଟି ସୁପରଭାଇଜର ସମେତ ୩ ଜଣ କର୍ମଚାରୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହେବାସହ ସେମାନେ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ବିସ୍ଫୋରଣରେ ୩ଜଣ ଗ୍ରାହକ ଓ ବାର୍ ସାମ୍ନା ରାସ୍ତାରେ କାର୍ରେ ଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏହାଛଡ଼ା ବାର୍ ଗେଟ୍ ନିକଟରେ ଥିବା ଏକ ବାଇକ୍ ମଧ୍ୟ ଜଳିଯାଇଛି । ଆହତଙ୍କ ମଧ୍ୟରୁ ଦୁଇଜଣଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ରାଜଧାନୀର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ୩ଜଣ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପୁଲିସ୍ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଛି । ମୃତ କର୍ମଚାରୀମାନେ ହେଲେ ସୁପରଭାଇଜର ବାଲିପାଟଣାସ୍ଥିତ ବନମାଳିପୁର ଗାଁର ସୁନିଲ୍ ମିଶ୍ର ଓରଫ ସିଲୁ, ସିକୁ୍ୟରିଟି ଗାର୍ଡ ପ୍ରଭାକର ରାଉଳ ଓ କ୍ୟାସିୟର୍ କାଶିନାଥ ସାମନ୍ତରାୟ । ଆହତମାନେ ହେଲେ କଟକ ଅଞ୍ଚଳର ଅଶୋକ ଚୌଧୁରୀ, ବୋଲଗଡର ବିବେକାନନ୍ଦ ମହାପାତ୍ର, ପ୍ରାଣନାଥ ସାହୁ ଓ ତପନ ବେଉରା । ବିସ୍ଫୋରଣ ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ, ଆଖପାଖ ଦୋକାନଗୁଡ଼ିକ ଥରି ଉଠିଥିଲା । ପଥଚାରୀମାନେ ମଧ୍ୟ ଆତଙ୍କିତ ହୋଇ ପଡ଼ିଥିଲେ ।
ଖଣ୍ଡଗିରି ଥାନା ପୁଲିସ୍ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଆହତଙ୍କୁ ହସ୍ପିଟାଲ୍ ପଠାଇଥିଲେ । ବାର୍ ନିକଟରୁ ବାଣ ଥିବା ଏକ କାର୍ (ଓଡି-୦୫କୁ୍ୟ-୫୫୯୮)କୁ ପୁଲିସ୍ ଜବତ କରିଛି । ଏହି କାର୍ରେ ବସିଥିବା ବ୍ୟକ୍ତିଜଣକ ଆହତ ହୋଇଥିଲେ ମଧ୍ୟ ସୌଭାଗ୍ୟକୁ କାର୍ରେ ଥିବା ବାଣ ଫୁଟିନଥିବାରୁ ସେ ବର୍ତ୍ତିଯାଇଛନ୍ତି । ପୁଲିସ୍ କମିଶନର ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ଡିସିପି ସତ୍ୟବ୍ରତ ଭୋଇ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରଣର କାରଣ ସମ୍ପର୍କରେ ଖୋଳତାଡ ଆରମ୍ଭ କରିଛନ୍ତି । ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁଯାୟୀ, ସେହି କାର୍ରେ ବାଣ ନେଇ ଆହତ ଅଶୋକ ଓ ବିବେକାନନ୍ଦ ବାର୍ ନିକଟରେ ପହଞ୍ଚିଥିଲେ । ହାତରେ ଗୋଟିଏ ବାଣ ପ୍ୟାକେଟ ଧରି ବାର୍ ଭିତରକୁ ଯାଇଥିଲେ । ବାର୍ କର୍ମଚାରୀଙ୍କୁ ସେମାନେ ବାଣ ଉପହାର ଦେବାପରେ ଖାଇପିଇ ବାହାରକୁ ଆସିଥିଲେ । ତାଙ୍କ ସହିତ ସିଲୁ ଓ କାଶିନାଥ ମଧ୍ୟ ବାହାରକୁ ଆସିଥିଲେ । ବାର୍ ଗେଟ୍ ନିକଟରେ ଅଶୋକ ‘କୁମ୍ପି’ ବାଣକୁ ହାତରେ ଧରି ଫୁଟାଉଥିଲେ । ସେହି ସମୟରେ ଜେନେରେଟର୍ ଚାଲିଥିଲା । କୁମ୍ପି ବାଣ ନିଆଁ ଜେନେରେଟରକୁ ଛିଟିକିବା ପରେ ନିମିଷକ ମଧ୍ୟରେ ବିସ୍ଫୋରଣ ଘଟିଥିଲା । ସେତେବେଳେ ସମୟ ଅପରାହ୍ନ ୫.୧୦ ମିନିଟ୍ । ଚାହୁଁ ଚାହୁଁ ନିଆଁ ବ୍ୟାପିଥିଲା । ଘଟଣାସ୍ଥଳକୁ ଲୋକେ ଛୁଟିବା ପରେ ଦେଖିଥିଲେ ଯେ ସେଠାରେ ଖଣ୍ଡ ବିଖଣ୍ଡିତ ଅଙ୍ଗପ୍ରତ୍ୟଙ୍ଗ ଇତସ୍ତତଃ ଭାବେ ପଡ଼ିଛି । ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥରେ ଯାତାୟତ କରୁଥିବା ଶହ ଶହ ଗାଡି ବିସ୍ଫୋରଣ ଶବ୍ଦ ଶୁଣି ଅଟକି ରହିଥିଲେ ।

ସେଆର କରନ୍ତୁ:



Powered by odothemes.com