KIIT-11TH-CONVOCATION-(3)

ଆବିଷ୍କାର ମନୋବୃତ୍ତି ନେଇ କାର୍ଯ୍ୟ କର: ୱାକର୍‍

44

ଭୁବନେଶ୍ୱର,(ବୁ୍ୟରୋ): କିଟ୍‍ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ନୋବେଲ୍‍ ବିଜେତା କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପ୍ରଫେସର ସାର୍‍ ଜନ୍‍ ଇ. ୱାକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ସେ ତାଙ୍କ ଭାଷଣରେ କହିଥିଲେ, ମାନବଜାତି ଅନେକ ସମସ୍ୟା ମଧ୍ୟ ଦେଇ ଗତିକରୁଛି । ଉଦ୍ଭାବନ ମାଧ୍ୟମରେ ଅନେକ ସମସ୍ୟା ସମାଧାନ ହୋଇପାରିବ । ଯୁବଶକ୍ତି ଉଦ୍ଭାବନ ମନସ୍କ ହୁଅନ୍ତୁ । ବର୍ତ୍ତମାନ ସଂପ୍ରତି ବିଶ୍ୱ ସଂକ୍ରମଣ ରୋଗର ପୁନଃଆବିର୍ଭାବ, ବୟସ୍କ ଲୋକଙ୍କ ଗୁଣାତ୍ମକ ଜୀବନଧାରଣରେ ଅବନତି ଏବଂ ବିଶ୍ୱ ତାପନ ଆଦି ସମସ୍ୟାର ସମ୍ମୁଖୀନ ହେଉଛି । ବ୍ୟାପକ ଆଣ୍ଟିବାୟୋଟିକ୍‍ ବ୍ୟବହାର ଯୋଗୁଁ ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି । ସ୍ନାୟୁଗତ ପତନକାରକ ବିକାର (ନୁ୍ୟରୋ ଡିଜେନେରେଟିଭ୍‍ ଡିଜ୍‍ଅର୍ଡରସ) ଯୋଗୁଁ ବୟସ୍କଙ୍କ ଠାରେ ଗୁଣାତ୍ମକ ଜୀବନ ହ୍ରାସ ପାଇଛି । ସାଂପ୍ରତିକ ସ୍ଥିତିରେ ଏଭଳି ରୋଗକୁ ନିୟନ୍ତ୍ରଣ କରିବାର ସ୍ୱଳ୍ପ ସୁଯୋଗ ରହିଛି ବୋଲି ଡ. ୱାକର କହିଥିଲେ । ବିଦୁ୍ୟତ ଶକ୍ତି ଉପିାଦନ ପାଇଁ ବ୍ୟାପକ ଭାବେ ଜୀବାସ୍ମ ଇନ୍ଧନ ବ୍ୟବହାର କରାଯାଉଥିବା ଯୋଗୁଁ ପରିବେଶରେ ଅଙ୍ଗାରକାମ୍ଳ ଗ୍ୟାସ୍‍ର ମାତ୍ରା ବୃଦ୍ଧି ପାଇଛି । ଏହା ତାପାମାତ୍ରା ବୃଦ୍ଧିର କାରଣ ହୋଇଛି । ଏଥିଯୋଗୁଁ ପୃଥିବୀ ଉପରେ ବିଶ୍ୱତାପନର ଭୟାବହ ପ୍ରଭାବ ରହିଛି । ଛାତ୍ରଛାତ୍ରୀମାନେ ଏସବୁ ସମସ୍ୟାର ସମାଧାନ ପାଇଁ ନିଜ ଜ୍ଞାନର ଉପଯୋଗ କରିବା ଉଚିତ । ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ଗ୍ରହଣ କରି ସେ କୃତଜ୍ଞତା ଜ୍ଞାପନ କରିବା ସହ କହିଲେ, କିଟ୍‍ ସ୍ୱଳ୍ପ ସମୟ ମଧ୍ୟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ହୋଇପାରିଛି । ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ଗ୍ରହଣ କରି ସୁଇଜରଲାଣ୍ଡ ଜୁରିକ୍‍ ୟୁନିଭର୍‍ସିଟି ହସ୍‍ପିଟାଲ୍‍ର ପ୍ରଫେସର ଡ. ହାନ୍‍ସ ହାଙ୍ଗର୍ଟନର୍‍ କହିଲେ, ଖୁବ୍‍ ଅଳ୍ପ ବର୍ଷ ମଧ୍ୟରେ କିଟ୍‍ ଓ କିସ୍‍ ଭଳି ଦୁଇଟି ସୁନ୍ଦର ଅନୁଷ୍ଠାନର ଅନେକ ଅଗ୍ରଗତି ହୋଇଛି । ଛାତ୍ରଛାତ୍ରୀମାନେ ବାସ୍ତବବାଦୀ ଲକ୍ଷ୍ୟ ସ୍ଥିର କରିବା ସହ ଏହାକୁ ହାସଲ୍‍ କରିବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ । ସେହିପରି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ଅଧ୍ୟକ୍ଷ ପଦ୍ମଶ୍ରୀ ଏଏସ୍‍ କିରଣ କୁମାର କହିଲେ, ଇସ୍ରୋ ବିଗତ ପାଞ୍ଚ ଦଶନ୍ଧୀ ଧରି ଲୋକଙ୍କ କଲ୍ୟାଣ ନିମନ୍ତେ ମହାକାଶ ପ୍ରଯୁକ୍ତି ବିଦ୍ୟାକୁ ବିନିଯୋଗ କରି ଆସୁଛି । ଭାବା ପରମାଣୁ ଗବେଷଣା କେନ୍ଦ୍ର (ବାର୍କ)ର ନିର୍ଦ୍ଧେଶକ ପଦ୍ମଶ୍ରୀ ଡ. ଶେଖର ବାସୁ, ବାଙ୍ଗାଲୋରସ୍ଥିତ ଏସ୍‍-ବ୍ୟାସ ବିଶ୍ୱବିଦ୍ୟାଳୟର କୁଳାଧିପତି ଡ. ଏଚ୍‍ ଆର୍‍ ନାଗେନ୍ଦ୍ର, ନିତି ଆୟୋଗର ସଦସ୍ୟ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପଦ୍ମଶ୍ରୀ ଡ. ବିବେକ ଦେବରାୟଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ, କୁଳାଧିପତି ପ୍ରଫେସର ଏନ୍‍ଏଲ୍‍ ମିତ୍ର, କୁଳପତି ପ୍ରଫେସର ପି ପି ମାଥୁର, କୁଳସଚିବ ଡ ସସ୍ମିତାରାଣୀ ସାମନ୍ତଙ୍କ ସମେତ ସମସ୍ତ ବିଭାଗର ଡିନ୍‍, ନିର୍ଦ୍ଧେଶକ, ଅଧ୍ୟକ୍ଷ ଓ ମୁଖ୍ୟକାର୍ଯ୍ୟନିର୍ବାହୀ ପ୍ରମୁଖ ଉପସ୍ଥିତ ଥିଲେ ।
କିଟ୍‍ ସମାବର୍ତ୍ତନରେ ୨୦୧୪-୧୫ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ମୋଟ ୪୬୧୨ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏହାଛଡ଼ା ୪୦ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ, ୩ଜଣଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ, ୧୫ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ, ୨୫ଜଣଙ୍କୁ କୁଳପତି ରୌପ୍ୟ ପଦକ ଏବଂ ପ୍ରଦୁମ୍ନବଳ ସ୍ମାରକୀ ସ୍ୱର୍ଣ୍ଣପଦକ, ପିପିଏଲ୍‍ ସ୍ୱର୍ଣ୍ଣପଦକ ଓ ନନିବାଳା ସ୍ମାରକୀ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା ।




Powered by odothemes.com