ବିକ୍ଷୋଭକାରୀ ପୁଲିସ୍ ଖଣ୍ଡଯୁଦ୍ଧ | ସର୍ବସାଧାରଣ ଖବରକାଗଜ
Block-Photo

ବିକ୍ଷୋଭକାରୀ ପୁଲିସ୍ ଖଣ୍ଡଯୁଦ୍ଧ

31

ଦଶରଥପୁର (ଆ.ପ୍ର)- ରାଜ୍ୟରେ ବଢୁଥିବା ଚାଷୀ ଆତ୍ମହତ୍ୟା ଓ ରେସନ କାର୍ଡରେ ବ୍ୟାପକ ଅନିୟମିତତାକୁ ବିରୋଧ କରି ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଦଶରଥପୁର ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଆଗରେ କରାଯାଇଥିବା ଚାଷୀ ବଞ୍ଚାଅ ଆନ୍ଦୋଳନ ପରେ ସେଠାକାର ସ୍ଥାନ ରଣକ୍ଷେତ୍ରରେ ପରିଣତ ହୋଇଛି । ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିବା ବେଳେ କଂଗ୍ରେସ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି । ଟେକା ପଥର ମାଡ଼ରେ ୨୨ ବିକ୍ଷୋଭକାରୀଙ୍କ ସମେତ ୫ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।  ଝୁମ୍ପୁରୀ ବଜାରସ୍ଥ ସାଇ ପ୍ୟାଲେସଠାରୁ ପିସିସି ସାଧାରଣ ସଂପାଦକ ଦେବାଶିଷ ପଟ୍ଟନାୟକ, ଜିଲା କଂଗ୍ରେସ ସଭାପତି ମନୋଜ ରାଉତ, ବରିଷ୍ଠ ନେତା ଅଶୋକ ଦାସ, ସନ୍ତୋଷ ନନ୍ଦ, ବବିତା ମଲ୍ଲିକ ଦେବେନ୍ଦ୍ର ପଣ୍ଡା, ରବି ନାରାୟଣ ପୁହାଣ, ପରେଶ ମଲ୍ଲିକ, ଶ୍ୟାମସୁନ୍ଦର କର, ଭରତ ପରିଡା ପ୍ରମୁଖଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଶାନ୍ତିପୂର୍ଣ୍ଣ ଭାବେ କିଛି ସମୟ ଆନ୍ଦୋଳନ ଚାଲିଥିବା ବେଳେ ବ୍ଲକ ଭିତରକୁ ପଶିବାକୁ କିଛି ଦଳୀୟ କର୍ମୀ ଉଦ୍ୟମ କରିଥିଲେ । ଏହି ସମୟରେ ବ୍ଲକକୁ ସୁରକ୍ଷା ଦେବା ପାଇଁ ମୁଖ୍ୟ ଫାଟକ ବନ୍ଦ କରି ଚାବି ପକାଇ ପୁଲିସ ଜଗିରହିଥିବା ବେଳେ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ମୁଖ୍ୟ ଫାଟକ ଖୋଲିବାକୁ ଠେଲାପେଲା ହୋଇଥିଲା । ଏହି ସମୟରେ କାର୍ଯ୍ୟାଳୟ ଗେଟ ଖୋଲିଯିବାରୁ କିଛି କର୍ମୀ ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ । ପୁଲିସ୍ ଏହାର ବିରୋଧ କରିବା ପରେ ପୁଲିସ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଆହତ ବିକ୍ଷୋଭକାରୀଙ୍କ ମଧ୍ୟରୁ ଗୁରୁତର ହୋଇଥିବା ଦୀପକ କୁମାର ସାହୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ମିନତୀ ବେହେରା, ଧନେଶ୍ୱର ସେଠୀ ଓ ପୁଲିସ କର୍ମଚାରୀ ପ୍ରମୋଦ ଦାସ ଓ ଅବିନାଶ ପଣ୍ଡା ଜିଲା ସଦର ମହକୁମା ଚିକିସିାଳୟରେ ଚିକିସିା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ଆଜିକୁ ୨୩ ବର୍ଷ ତଳେ ୧୯୯୨ ମସିହାରେ କଂଗ୍ରେସ ଦଳ ପକ୍ଷରୁ ବ୍ଲକରେ ବିକ୍ଷୋଭ ବେଳେ ଲଙ୍କା କାଣ୍ଡ ଘଟି ବ୍ଲକ କାର୍ଯ୍ୟାଳୟକୁ ପୋଡ଼ି ଦିଆଯାଇଥିବା ବେଳେ ଶୁକ୍ରବାର ଏହାର ପୁନରାବୃତି ଘଟିଛି । ବିରୋଧୀଦଳ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କାର୍ଯ୍ୟକ୍ରମଥିବା ବେଳେ ବ୍ଲକରେ ବିଡିଓ ଓ ଅଧ୍ୟକ୍ଷ ଅନୁପସ୍ଥିତ ଥିଲେ ।




Powered by odothemes.com