Madaguda-Incounter

ଓଡ଼ିଶା ପୁଲିସ୍ ଏଚ୍ଆରସି ତଦନ୍ତ ଆରମ୍ଭ

26

ମାଦାଗୁଡ଼ା ମିଥ୍ୟା ଗୁଳିକାଣ୍ଡ
ଫୁଲବାଣୀ (ବୁ୍ୟରୋ): କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଳକ୍ର ମାଦାଗୁଡ଼ା ସଂରକ୍ଷିତ ଜଙ୍ଗଲରେ ଗତ ୨୬/୭/୧୫ ତାରିଖରେ ହୋଇଥିବା ମିଥ୍ୟା ଏନ୍କାଉଣ୍ଟରର ତଦନ୍ତ ପାଇଁ ବୁଧବାର ଫୁଲବାଣୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଧେଶକ ମହେନ୍ଦ୍ର ପ୍ରତାପ । ଏହି ଏନ୍କାଉଣ୍ଟର୍ରେ ପ୍ରାଣ ହରାଇଥିବା ଦମ୍ପତିଙ୍କ ପରିବାରର ଜୁନିସ୍ ନାୟକ, ରାହୁଲ ନାୟକ, ସାଉଲ ନାୟକ, ମିଜୁ ନାୟକ, ସୁକାନ୍ତି ଚାଲାଣସେଠ୍, ବିନେଶ୍ୱର ଚାଲାଣସେଠ୍ ସେମାନଙ୍କ ବୟାନ ଦେଇଥିବା ବେଳେ ଗୁଳି ଚଳାଇଥିବା ପାଞ୍ଚ ଜଣ ପୁଲିସ୍ କର୍ମଚାରୀ ମଧ୍ୟ ଏହି ତଦନ୍ତ ସମୟରେ ଯୋଗ ଦେଇଥିଲେ । ଅତିରିକ୍ତ ପୁଲିସ୍ ମହାନିର୍ଦ୍ଧେଶକଙ୍କୁ ମୃତକଙ୍କ ପୁଅ କହିଥିଲେ ଯେ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଧେଶକଙ୍କ ଉପରେ ଭରସା ଅଛି, କିନ୍ତୁ ଯଦି ଏହି ଘଟଣାରୁ ନ୍ୟାୟ ନ ମିଳେ ତେବେ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଦରକାର ପଡ଼ିଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ । ଏଥିସହିତ କ୍ଷତିପୂରଣ ଦେବାକୁ ମଧ୍ୟ ସେ ଦାବି କରିଥିଲେ । ଏନ୍କାଉଣ୍ଟର କରିଥିବା ଜବାନମାନଙ୍କୁ ମଧ୍ୟ ଘଟଣା ସମ୍ବନ୍ଧରେ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଧେଶକ ପଚାରି ବୁଝିଥିଲେ ।
ଘଟଣାକ୍ରମେ ଗତ ଅଗଷ୍ଟ ୧୦ରେ ମାନବାଧିକାର କର୍ମୀ ରାହୁଲ ନାୟକଙ୍କ ପିଟିସନ୍ ଆଧାରରେ ଏହି ମାମଲାର ତଦନ୍ତ ଦାୟିତ୍ୱ ଓଡ଼ିଶା ମାନବାଧିକାର କମିଶନର ଓଡ଼ିଶା ପୁଲିସ୍ ମାନବାଧିକାର ସେଲ୍କୁ ଦେଇଥିଲେ । ଅତିରିକ୍ତ ପୁଲିସ୍ ମହାନିର୍ଦ୍ଧେଶକ କହିଥିଲେ ଯେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଏହି ଦମ୍ପତିଙ୍କ ଦେହରେ ଯେଉଁ ଗୁଳି ବାଜିଥିଲା ତାହା ପୁଲିସ୍ ବା ସିଆର୍ପିଏଫ୍ କିମ୍ବା ଓଏସ୍ଓପି ଜବାନଙ୍କ ବନ୍ଧୁକରୁ ବାହାରିନାହିଁ । ତାହା ଅନ୍ୟ କାହାର ଗୁଳି ହୋଇଥାଇପାରେ । ଏପରିକି ନକ୍ସଲ୍ଙ୍କ ଗୁଳି ମଧ୍ୟ ହୋଇଥାଇପାରେ । କିନ୍ତୁ ଆଶ୍ଚର୍ଯ୍ୟ କଥା, କିଛିଦିନ ପୂର୍ବେ ଆରକ୍ଷୀ ଅଧୀକ୍ଷକ ଡ. କନୱାର ବିଶାଲ୍ ସିଂ ଓ ଡିଆଇଜି ଅମିତାଭ ଠାକୁର କହିଥିଲେ ଯେ କମ୍ବିଂ ବେଳେ ପୁଲିସ୍ ଉପରକୁ ଗୁଳି ଚଳାଇବା ପରେ ପୁଲିସ୍କୁ ବାଧ୍ୟ ହୋଇ ଏହି ଗୁଳି ଚଳାଇବାକୁ ପଡ଼ିଥିଲା । ହୁଏତ ସେଥିରେ ଦମ୍ପତିଙ୍କ ମୃତୁ୍ୟ ଘଟିଥାଇପାରେ । କିନ୍ତୁ ଦମ୍ପତିଙ୍କ ସାଙ୍ଗରେ ଯାଇଥିବା ଦୁଇ ଗ୍ରାମବାସୀ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ସେଠାରେ ଗୁଳି ବିନିମୟ ହୋଇନଥିଲା ।




Powered by odothemes.com