ମାର୍ଚ୍ଚ ପର୍ଯ୍ୟନ୍ତ ଚାଷୀଙ୍କୁ ଋଣ ଅସୁଲ ଜୁଲମ୍ କରନାହିଁ

41

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚାଷୀଙ୍କ ଉପରେ ଖରିଫ୍ ଋଣ ପରିଶୋଧ ଲାଗି ଜୁଲମ ନକରିବାକୁ ସମବାୟ ବ୍ୟାଙ୍କ ସମେତ୍ ସମସ୍ତ ବାଣିଜ୍ୟକ ବ୍ୟାଙ୍କକୁ ସରକାର ନିର୍ଦ୍ଧେଶ ଦେଇଛନ୍ତି । ଏତଦ୍ଭିନ୍ନ ଖରିଫ୍ ଋଣ ପରିଶୋଧ କଥା ନଉଠାଇ ଚାଷୀଙ୍କୁ ରବି ପାଇଁ ଋଣ ଦେବାକୁ ମଧ୍ୟ ବ୍ୟାଙ୍କୁଗୁଡ଼ିକୁ କୁହାଯାଇଛି ।
ମୁଖ୍ୟ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସରକାର ଘୋଷଣା କରିଥିବା ମରୁଡ଼ି ପ୍ୟାକେଜ୍ର କାର୍ଯ୍ୟକରିତା ନେଇ ବ୍ୟାଙ୍କରର୍ସ ମାନଙ୍କ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରୁ ଜଣାପଡ଼ିଛି, ଜିଲ୍ଲା ସ୍ତରୀୟ ବୈଷୟିକ କମିଟିର ବୈଠକ ତୁରନ୍ତ ଡ଼କାଯାଇ ରବି ଫସଲ ପାଇଁ ଚାଷୀଙ୍କୁ କେତେ ଋଣ ଦିଆଯିବ ତାହା ସ୍ଥିର କରାଯିବ । ସମବାୟ ସଚିବ ମନୋଜ ଆହୁଜା ସମସ୍ତ ଜିଲ୍ଲା ଓ ରାଜ୍ୟ ସମବାୟ ବ୍ୟାଙ୍କକୁ ଏସଂପର୍କରେ ଚିଠି ଲେଖି ଅବଗତ କରିବାକୁ କୁହାଯାଇଥିବା ବେଳେ ନାବାର୍ଡ଼ ଓ ରାଜ୍ୟ ସ୍ତରୀୟ ବ୍ୟାଙ୍କରର୍ସ କମିଟି (ଏସ୍ଏଲ୍ବିସି) ମଧ୍ୟ ସମସ୍ତ ପ୍ରମୁଖ ବ୍ୟାଙ୍କଗୁଡ଼ିକୁ ଜିଲ୍ଲା ସ୍ତରରେ ବ୍ୟାଙ୍କରର୍ସ କମିଟି ବୈଠକ ଡ଼ାକିବା ଲାଗି ଆବଶ୍ୟକ ଗାଇଡ୍ଲାଇନ୍ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି । ଏହି ବୈଠକରେ ମରୁଡ଼ି ପ୍ରପିଡ଼ିତ ଅଞ୍ଚଳରେ ଚାଷୀଙ୍କୁ କିଭଳି ଋଣ ଦିଆଯାଇ ପାରିବ ଏବଂ ଏହି ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । କୃଷି ବିଭାଗ ମଧ୍ୟ ଜଳସେଚିନ ସୁବିଧା ଥିବା ଅଞ୍ଚଳରେ ଅନ୍ୟାନ୍ୟ ଚାଷ କରିବା ଲାଗି ବଦକ୍ଷେପ ନେବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଫସଲ ଅମଳ ରିପୋର୍ଟ ଆସିଲା ପରେ ଚାଷୀଙ୍କ ଖରିଫ୍ ଋଣ ପରିଶୋଧ ସମୟର ପୁର୍ନବିନ୍ୟାସ କରାଯିବ । ଚଳିତ ବର୍ଷ ଫସଲ ଅମଳ ରିପୋର୍ଟ ୩ ଭାବରେ ବିଭକ୍ତ ହେବ । ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିବା ଅଞ୍ଚଳ, ୫୦%ରୁ ଅଧିକ ଫସଲ ନଷ୍ଟ ହୋଇଥିବା ଅଞ୍ଚଳ ଓ ୬୬% ଫସଲ ନଷ୍ଟ ହୋଇଥିବା ଅଞ୍ଚଳ ଚିହ୍ନଟ କରାଯାଇ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ । ବୈଠକରେ ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରା, ଅତିରିକ୍ତ ମୁଖ୍ୟ ସଚିବ ଅର୍ଥ ଆର.ବାଲ୍କ୍ରିଷ୍ଣନ୍, ନାବାର୍ଡ଼ ପ୍ରତିନିଧି, ଏସ୍ଏଲ୍ବିସିର ପ୍ରତିନିଧି, ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତିନିଧିଙ୍କ ସମେତ ଅନ୍ୟାନ୍ୟ ବାଣିଜ୍ୟକ ବ୍ୟାଙ୍କର ପ୍ରତିନିଧି ଯୋଗ ଦେଇଥିଲେ ।




Powered by odothemes.com