ବିପର୍ଯ୍ୟୟ ରୋକିବାକୁ ବିଶ୍ୱ ମାନଦଣ୍ଡ ଗ୍ରହଣ କରାଯାଉଛି

28

ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ
ଭୁବନେଶ୍ୱର (ବୁ୍ୟରୋ): ବିପର୍ଯ୍ୟୟ ରୋକିବାକୁ ବିଶ୍ୱସ୍ତରୀୟ ମାନଦଣ୍ଡ ଗ୍ରହଣ କରାଯାଉଛି । ଜାତିସଂଘର ସେନ୍ଡାଇ ଅଧିବେଶନରେ ସ୍ଥିରୀକୃତ ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗୁରୁବାର ରବୀନ୍ଦ୍ର ମଣ୍ଡପରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସରକାର ରାଜ୍ୟରେ ୪୩୨ ବିହୁବିଧ ଉପଯୋଗୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି । ୪୪୫ ରହଣୀସ୍ଥଳ ମଧ୍ୟ ନିର୍ମାଣ କରାଯାଇଛି । ୨୦୧୩ ଫାଇଲିନ୍ ପରେ ଓଡ଼ିଶା ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରକଳ୍ପ ମାଧ୍ୟମରେ ୧୬ହଜାର ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ନିର୍ମାଣ ହୋଇଛି । ଓଡ଼ିଶା ବିପର୍ଯୟ ପରିଚାଳନା ଆୟୋଗ ଗଠନ କରି ରାଜ୍ୟ ସରକାର ବିପର୍ଯ୍ୟୟ ପ୍ରଶମନ ଦିଗରେ ଏକ ବୃହତ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ଚଳିତ ବର୍ଷ ବିପର୍ଯ୍ୟୟ ଦିବସର ବିଷୟ ‘ବିପର୍ଯ୍ୟୟ ରୋକିବାରେ ମହାକାଶ ବିଜ୍ଞାନର ଭୂମିକା’ ରଖାଯାଇଛି । ବର୍ତ୍ତମାନ ସାରା ବିଶ୍ୱରେ ବିପର୍ଯ୍ୟୟ ରୋକିବାରେ ମହାକାଶ ବିଜ୍ଞାନ ପ୍ରମୁଖ ଅସ୍ତ୍ର ପାଲଟିଛି । ସାଟେଲାଇଟ୍ ସିଷ୍ଟମ୍ ଦ୍ୱାରା ଆଗୁଆ ବାତ୍ୟା ସୂଚନା ମିଳିବା ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଭବିଷ୍ୟତରେ ବିପର୍ଯ୍ୟୟ ରୋକିବାରେ ମହାକାଶ ବିଜ୍ଞାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିପର୍ଯ୍ୟୟ ପ୍ରଶମନରେ ସହାୟକ ଓଡ୍ରାଫ୍, ଏନ୍ଡିଆର୍ଏଫ୍, ଅଗ୍ନିଶମ ବିଭାଗ ଓ ରେଡକ୍ରସ୍ର କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଥିଲେ, ବିପର୍ଯ୍ୟୟ ପ୍ରଶମନରେ ସୁପରିଚାଳନା ଯୋଗୁଁ ଜାତିସଂଘ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି । ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର । ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ଦୈବୀ ଦୁର୍ବିପାକ ଦ୍ୱାରା ରାଜ୍ୟବାସୀ ପୀଡ଼ିତ । ପ୍ରାକୃତିକ ବିପର୍ଯ୍ୟୟରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ଗ୍ରହଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରା, ନ୍ୟାସନାଲ୍ ରିମୋର୍ଟ ସେନ୍ସିଂ ସେଣ୍ଟର୍ର ନିର୍ଦ୍ଧେଶକ ଭି କେ ଧଡୱାଲ୍ ଯୋଗ ଦେଇଥିଲେ । ଡେପୁଟି ରିଲିଫ୍ କମିଶନର ପ୍ରଭାତ ରଂଜନ ମହାପାତ୍ର ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ ୧୯୯୯ ମହାବାତ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ଓସ୍ଡମା, ରେଡକ୍ରସ୍ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସୌର ଶକ୍ତି ସମ୍ପର୍କିତ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।

ସେଆର କରନ୍ତୁ:



Powered by odothemes.com