ଅଟୋ ଚାଳକ ଓଡ଼ିଶା ପର୍ଯ୍ୟଟନର ରାଷ୍ଟ୍ରଦୂତ

41

ଭୁବନେଶ୍ୱର, ୨୯ା୧୦(ବୁ୍ୟରୋ): ସୁରକ୍ଷା, ସୌଜନ୍ୟ ଓ ସଚେତନତା ବଳରେ ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ତଥା ପର୍ଯ୍ୟଟନ ବିଭବର ଆଦର ଏବଂ ବିପଣନ ବୃଦ୍ଧିପାଇବ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ଡୁମଡୁମାସ୍ଥିତ ଇଣ୍ଡିଆନ ଇନଷ୍ଟିଚୁ୍ୟଟ୍ ଅଫ୍ ଟୁ୍ୟରିିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଣ୍ଟରେ ଭୁବନେଶ୍ୱର ପିଙ୍କ୍ ଅଟୋ ଚାଳକଙ୍କ ନିମନ୍ତେ ଆୟୋଜିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରି ମନ୍ତ୍ରୀ କହିଲେ ଉତ୍ତମ ବ୍ୟବହାର ମାଧ୍ୟମରେ ପର୍ଯ୍ୟଟକଙ୍କୁ ପ୍ରଭାବିତ ଏବଂ ରାଜ୍ୟ ପ୍ରତି ଆକୃଷ୍ଟ କରାଯାଇପାରିବ । ବିଭାଗୀୟ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା ପ୍ରଶିକ୍ଷଣ ଶିବିରରେ ପୌରହିତ୍ୟ କରି ଅଟୋ ଚାଳକଙ୍କୁ ଓଡ଼ିଶା ‘ପର୍ଯ୍ୟଟନ ରାଷ୍ଟ୍ରଦୂତ’ ଭାବେ ଅବିହିତ କରିବା ସହ ପର୍ଯ୍ୟଟନର ବିକାଶ ଲାଗି ଶୈନିକ ଭଳି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି । ଏଥି ସହିତ ମାର୍ଚ୍ଚ ସୁଦ୍ଧା ଭୁବନେଶ୍ୱର ସମେତ ଗୋପଳପୁର, ସମ୍ବଲପୁର, ବାଲେଶ୍ୱର, ପୁରୀ ଇତ୍ୟାଦି ସ୍ଥାନରେ ୧୫ ହଜାରରୁ ଊଦ୍ଧ୍ୱର୍ ଚାଳକଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ ବୋଲି ଶ୍ରୀ ଗୁପ୍ତା କହିଛନ୍ତି । ଅଟୋ ଚାଳକମାନେ ଆତିଥ୍ୟ ଓ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ଅତିରିକ୍ତ ପୁଲିସ୍ କମିଶନର ପିଏସ୍ ରଣପିସେ ପରାମର୍ଶ ଦେଇଛନ୍ତି । ବିଭାଗୀୟ ନିର୍ଦ୍ଧେଶକ ଅନିଲ୍ ସାମଲ ପର୍ଯ୍ୟଟନର ବିକାଶ ପାଇଁ ଏପରି କାର୍ଯ୍ୟକ୍ରମକୁ ମିଶନ୍ ଭାବେ ବ୍ୟାପକ କରାଯିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଅଧ୍ୟାପିକା ଆଦ୍ୟାଶା ଦାସ, ପ୍ରତିଷ୍ଠାନର ନିଦ୍ଧେଶକ ଡ. ଶରତ ଲେଙ୍କା ପ୍ରମୁଖ ଶିବିରରେ ଯୋଗଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com