ପୁରସ୍କାର ଫେରସ୍ତ ନାମରେ ଚାଲିଛି ରାଜନୀତି

budha-mandir-thare-rajya-stariya-lekhak-samilani-re-manchasina-atithi-mane-kishore-bandhu--pustak-ku-unmachana-karuchanti-03--(2)

ଭୁବନେଶ୍ୱର,୨୫ା୧୦(ବୁ୍ୟରୋ): ପୁରସ୍କାର ଫେରସ୍ତ ନାମରେ ଦେଶରେ ସାହିତି୍ୟକମାନଙ୍କର ଏକ ଗୋଷ୍ଠୀ ରାଜନୀତି ଚଳାଇଛନ୍ତି ବୋଲି ଜାତୀୟବାଦୀ ଲେଖକ ମଞ୍ଚ ତରଫରୁ ଆୟୋଜିତ ଦଶହରା ମିଳନରେ ମତପ୍ରକାଶ ପାଇଛି । ପବିତ୍ର ଦଶହରା ଉପଲକ୍ଷେ ଜାତୀୟବାଦୀ ଲେଖକ ମଞ୍ଚ ପକ୍ଷରୁ ଦଶହରା ମିଳନ ଓ ରାଜ୍ୟସ୍ତରୀୟ ଲେଖକ,ସ୍ତମ୍ଭକାର ଏବଂ କଳାକାରମାନଙ୍କର ଏକ ସମାବେଶ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ସାହିତି୍ୟକ ଓ ବିଶିଷ୍ଟ ସଂଗଠକ ଅଧ୍ୟାପକ ନିରଞ୍ଜନ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଓଡିଶା ଲେଖକ ଲେଖିକା ପରିଷଦ, ଆରଣ୍ୟକ,ଏକାମ୍ର ସାହିତ୍ୟ ସଂସଦ,ବିଶ୍ୱ ସମ୍ବାଦ କେନ୍ଦ୍ର ଲେଖକ ମଞ୍ଚ, ମଧୁର ଭାରତୀ, ଜାତୀୟବାଦୀ ସାହିତ୍ୟ ପରିଷଦ, ଭାରତୀୟ ସାହିତ୍ୟ କେନ୍ଦ୍ର ଭଳି ୨୨ଟି ସାହିତ୍ୟ ସଂଗଠନ ସମେତ କେତେକ ପ୍ରକାଶନ ସଂସ୍ଥାର ପ୍ରତିନିଧି ଯୋଗଦେଇଥିଲେ । ଓଡିଶାର ବିଭିନ୍ନ ସ୍ଥାନରେ ଥିବା ସାହିତ୍ୟ ସଂଗଠନମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଓଡିଆ ଭାଷା ଓ ସାହିତ୍ୟର ଉନ୍ନତି କରିବା ଉଦ୍ଧେଶ୍ୟରେ ଏହି ଦଶହରା ମିଳନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ସଂପ୍ରତି ଚାଲିଥିବା ପୁରସ୍କାର ଫେରସ୍ତ ପ୍ରହସନକୁ ଦୃଢ ନିନ୍ଦା କରାଯାଇଥିଲା । ଅନେକ ବକ୍ତା ତାଙ୍କର ଭାଷଣ ମାଧ୍ୟମରେ ସାହିତ୍ୟ ନାମରେ ଚାଲିଥିବା ରାଜନୀତିକୁ କଟୁ ସମାଲୋଚନା କରିଥିଲେ । ନିଜର ବିଚାର ପ୍ରତି ଜନ ସମର୍ଥନ ହ୍ରାସ ପାଉଥିବାରୁ ଏବଂ ଭବିଷ୍ୟତରେ ନିଜର ପ୍ରତିଷ୍ଠା ହରାଇବା ଭୟରେ କେତେକ ସାହିତି୍ୟକ ଔଷଧ ବିକଳରେ ତାଡିଆ କାମୁଡୁଛନ୍ତି । ବାକ୍ ସ୍ୱାଧୀନତା ନାମରେ ପୁରସ୍କାର ପ୍ରଦାନକାରୀଙ୍କୁ ତିରସ୍କାର କରି ଭାରତୀୟ ଐତିହ୍ୟ ଓ ପରମ୍ପରାର ଅବମାନନା କରୁଥିବା ଏହି ସାହିତି୍ୟକମାନଙ୍କ ପ୍ରତି ସମସ୍ତେ ସତର୍କ ରହିବା ଉଚିତ୍ । ପାକ୍ ଅଧିକୃତ କାଶ୍ମୀରର ଅଧିବାସୀମାନେ ଭାରତରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଖବର ଆସିବା ପରେ ଦେଶରେ ସାମାଜିକ ବିଦ୍ୱେଷ ବୃଦ୍ଧି ପାଉଥିବା ଯୁକ୍ତିକରି ଦେଶ ଭିତରେ ଓ ଦେଶ ବାହାରେ ସରକାରଙ୍କ ଛବିକୁ ମଳିନ କରିବା ପାଇଁ ଯେଉଁମାନେ ଉଦ୍ୟମ କରୁଛନ୍ତି ସେମାନେ କେବେହେଲେ ସଫଳ ହେବେ ନାହିଁ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଏକାଡେମୀ ପୁରସ୍କାର ଫେରାଉଥିବା ସାହିତ୍ୟକାରମାନେ ଜାଣିଶୁଣି ଏକ ଷଡଯନ୍ତ୍ର ତିଆରି କରିଛନ୍ତି । ଏହି ସାହିତ୍ୟକାରମାନେ ଜାମ୍ମୁ-କାଶ୍ମୀରରୁ ହିନ୍ଦୁଙ୍କ ପଳାୟନ ଓ ୧୯୮୪ ଦଙ୍ଗା ସମୟରେ ନୀରବ ଦ୍ରଷ୍ଟା ସାଜିଥିଲେ । ଦେଶ ଏବେ ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ ତଥାକଥିତ କିଛି ସାହିତ୍ୟକାରମାନେ ଏଥିରେ ବାଧାସୃଷ୍ଟି କରିଛନ୍ତି । ଏହି ସେହି ବୁଦ୍ଧିଜୀବୀ ଯିଏ କି ମୁମ୍ବାଇ ବିସ୍ପୋରଣର ଦୋଷୀ ୟାକୁବ ମେନନର ଫାଶିକୁ କୋହଳ କରିବା ସପକ୍ଷରେ ଥିଲେ । ରାଜିବ ଗାନ୍ଧୀ ସଲମାନ ରସିଦଙ୍କ ସାର୍ଟିନେକ ଭର୍ସେସ ପୁସ୍ତକ ଉପରେ ପ୍ରତିବନ୍ଧକ ଲଗାଇଥିଲେ, ତସଲିମା ନସରିନକୁ ପ୍ରତାଡନା ସହ ତାଙ୍କ ବିରୋଧରେ ଫତୱା ଜାରି କରାଯାଇଥିଲା, ସେତେବେଳେ ଏଇ ସାହିତି୍ୟକମାନେ କେଉଁଠି ଥିଲେ ବକ୍ତାମାନେ ପ୍ରଶ୍ନ ଉଠାଇଥିଲେ । ଏହି ଅବସରରେ ସ୍କୁଲ ଛାତ୍ରମାନଙ୍କର ପୁରସ୍କୃତ ପ୍ରବନ୍ଧ ଗୁଡିକର ଏକ ସଂକଳନ ‘କିଶୋର ବନ୍ଧୁ’ ପୁସ୍ତକ ଏବଂ ପଞ୍ଚାନନ ଅଗ୍ରୱାଲଙ୍କ କବିତା ପୁସ୍ତକ ‘ନିଜସ୍ୱ ପୃଥିବୀ ନିଜସ୍ୱ ଋତୁ’ଉନ୍ମୋଚିତ ହୋଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ଭାଷାରେ ଲେଖିବା ପାଇଁ ଆଗ୍ରହ ସୃଷ୍ଟି କରିବା ପାଇଁ ଓଡିଆ ଲେଖକ ଲେଖିକା ପରିଷଦ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପରିଷଦର ଭୁବନାନନ୍ଦ ତ୍ରିପାଠୀ ସବିଶେଷ ସୂଚନା ଦେଇଥିଲେ । ଏହି ଦଶହରା ମିଳନ ଉତ୍ସବରେ ବିଶିଷ୍ଟ ସାହିତି୍ୟକ କନିଷ୍କ,ଅଧ୍ୟାପକ ନିରଞ୍ଜନ ପାଢୀ,ଗୋଲଖ ଚନ୍ଦ୍ର ଦାସ, ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତି,ବରିଷ୍ଠ ସ୍ତମ୍ଭକାର ଭାଗିରଥି ମହାସୁଆର, ନାଟ୍ୟକାର ପୁର୍ଣ୍ଣଚନ୍ଦ୍ର ମଲ୍ଲିକ, ପ୍ରକାଶକ ସୌମେନ୍ଦ୍ର ଜେନା, ଡ. ବଂଶୀଧର ଦାଶ, ଡ. ଯଦୁମଣି ସାହୁ, ବୈଜ୍ଞାନିକ ଶରତ ଚନ୍ଦ୍ର ପଣ୍ଡା, ସୁନନ୍ଦା ତ୍ରିପାଠୀ, ଜ୍ଞାନରଂଜନ ନାୟକ, ଶଙ୍କର ତ୍ରିପାଠୀ, ଜୟନ୍ତୀ ପଢିଆରୀ, ରାମଚଣ୍ଡି ରଣସିଂ,ଦିଲ୍ଲୀପରାଜ ବେହେରା ପ୍ରମୁଖ ବହୁ ବିଶିଷ୍ଟ ଲେଖକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ କୁମାର ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।