ପତ୍ରିକା ଷ୍ଟଲ୍ରେ ଶାରଦୀୟ ସଂଖ୍ୟାର ସମ୍ଭାର

sisira

ଭୁବନେଶ୍ୱର,୨୧ା୧୦(ବୁ୍ୟରୋ): ପ୍ରାୟ ଷାଠିଏ ବର୍ଷରୁ ଊଦ୍ଧ୍ୱର୍ ହେଲାଣି ଓଡ଼ିଆ ପୂଜା ପତ୍ରିକା ବିଶେଷାଙ୍କକୁ । ବିଂଶ ଶତାବ୍ଦୀର ମଧ୍ୟଭାଗରେ ଅତି ବେଶିରେ ୮/୧୦ଟି ସାହିତ୍ୟ ପତ୍ରିକା ଥିଲା ବୋଲି ମନେହୁଏ । ଏବେ ଏ ସଂଖ୍ୟା ଶତାଧିକ ହେବାକୁ ଲାଗିଲାଣି । ଆମ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ସାହିତ୍ୟ ପତ୍ରିକା ପ୍ରକାଶନରେ ସେମିତି କିଛି ଗୁଣାତ୍ମକ ଓ ସଂଖ୍ୟାଧିକ ପରିବର୍ତ୍ତନ ଏଯାବତ୍ ଦୃଷ୍ଟିଗୋଚର ହୋଇନାହିଁ । ଆମ ଭାଷାରେ ମାସିକ ପତ୍ରିକାର ସଂଖ୍ୟା ମାତ୍ର ପାଞ୍ଚ ଛଅଟି । ସମ୍ବାଦ ପତ୍ର ପ୍ରକାଶନ ସଂସ୍ଥା ତରଫରୁ ଏହି ପାଞ୍ଚ ଛଅଟି ନିୟମିତ ପ୍ରକାଶ ପାଉଛି । ସେଗୁଡିକ ମଧ୍ୟରେ ଝଙ୍କାର, କଥା, ଶିଶିର, ସାଗରିକା, କଥା କଳିକା ଇତ୍ୟାଦି ।  ଅନ୍ୟାନ୍ୟ ଅଳ୍ପ କେତୋଟି ମାସିକ ସାହିତ୍ୟ ପତ୍ରିକା ଯାହା ବାହରୁଛି ତାହା ବ୍ୟକ୍ତିଗତ ଉଦ୍ୟମରେ । ପ୍ରାୟତଃ ଦେଖାଯାଉଛି ଅଳ୍ପ କେତୋଟି ତ୍ରୟମାସିକ ପତ୍ରିକା ନିରନ୍ତର ଭାବେ ବେଶ୍ ଦୀର୍ଘ କାଳ ଧରି ତାଙ୍କର ପ୍ରକାଶନକୁ ଅବ୍ୟାହତ ରଖିଆସିଛନ୍ତି । ସାହିତ୍ୟ ପତ୍ରିକା ପ୍ରକାଶନ ଓ ପ୍ରସାରଣ ଦିଗରେ ନାନାଦି ନକାରତ୍ମକ କଥା, ଅଭାବ ଅସୁବିଧା କଥା କୁହାଯାଇଥାଏ । କିନ୍ତୁ ସବୁଠୁ ବଡ ସୁଖର କଥା ସାହିତ୍ୟ ପତ୍ରିକା ଗୁଡିକ ନିୟମିତ କି ଅନିୟମିତ ହେଉ ଏହି ପାର୍ବଣ ଋତୁରେ ବେଶ୍ ପୃଥଳକାୟ ଓ ଗୁଣାତ୍ମକ ଦୃଷ୍ଟିରୁ ମଧ୍ୟ ଭଲ ପାରିପାଟୀ ନେଇ ଆତ୍ମପ୍ରକାଶ କରିଥାନ୍ତି । ସମ୍ଭବତଃ ଆମ ଓଡିଆ ପାଠକ ପାଠିକା ମାସମାସ ଧରି ଏହି ଶାରଦୀୟ ବିଶେଷାଙ୍କର ପ୍ରତୀକ୍ଷାରେ ରହିଥାନ୍ତି । ଏ ଦିଗରେ ସାହିତ୍ୟ ପତ୍ରିକାର ପ୍ରକାଶକ ବା ସମ୍ପାଦକମାନେ ବେଶ୍ ଶ୍ରମ ଓ ଧ୍ୟାନ ମଧ୍ୟ ଦେଇଥାନ୍ତି । ଚଳିତ ବର୍ଷ ଏଯାବତ୍ ପ୍ରକାଶ ପାଇଥିବା ଶାରଦୀୟ ବିଶେଷାଙ୍କ ପତ୍ରିକା ଗୁଡିକ ମଧ୍ୟରେ ରହିଛି ଝଙ୍କାର, ଇସ୍ତାହାର, ପଶ୍ଚିମା, କଥାକାର, କାଦମ୍ବିନୀ, ଅମୃତାୟନ, ଶିଶିର, ସମାରୋହ, ନବଲିପି, ସାବିତ୍ରୀ, କଥା, ଜନସୁଧା, ସ୍ପର୍ଶ, ଆଧୁନିକ, ପରିଚୟ, ବର୍ତ୍ତିକା, ତୀରତରଙ୍ଗ, ରସରଙ୍ଗ, ବନଫୁଲ, ଆବର୍ତ୍ତ, ଅକ୍ଷାଂଶ, ଗୋକର୍ଣ୍ଣିକା ଇତ୍ୟାଦି । ପ୍ରତ୍ୟେକ ବର୍ଷ ଏହି ଅବସରରେ କିଛି ନା କିଛି ନୂଆ ପତ୍ରିକାର ଆତ୍ମପ୍ରକାଶ ଘଟିଥାଏ । ଚଳିତ ବର୍ଷ ‘ଶିଶିର’ ଆତ୍ମ ପ୍ରକାଶ କରିଥିଲେ ମଧ୍ୟ ସମ୍ପ୍ରତି ତା’ର ଶାରଦୀୟ ବିଶେଷାଙ୍କ ପ୍ରକାଶ କରିଛି । ଆଉ କେତେକ ଅନିୟମିତ ହୋଇଯାଇଥିବା ସାହିତ୍ୟ ପତ୍ରିକା ଏହି ପୂଜାରେ ମଧ୍ୟ ଆତ୍ମପ୍ରକାଶ କରିଛି । ଦୂରଦୂରାନ୍ତରରେ ତଥା ଓଡିଶା ବାହାରେ ରହୁଥିବା ପାଠକମାନଙ୍କ ମଧ୍ୟରେ ଏହି ଶାରଦୀୟ ବିଶେଷାଙ୍କଗୁଡିକୁ ସଂଗ୍ରହ କରିବା ନେଇ ବେଶ୍ ଆଗ୍ରହ ଦେଖା ଦେଉଛି । ସେମାନେ ତାଙ୍କ ରୁଚି ଅନୁସାରେ ଦଶ ପନ୍ଦରଟି ପତ୍ରିକା ସାରା ବର୍ଷ ପଠନ ନିମିତ୍ତ ସଂଗ୍ରହ କରୁଛନ୍ତି । ଚଳିତ ବର୍ଷର ପୂଜା ସଂଖ୍ୟାର ପ୍ରଚ୍ଛଦପଟଗୁଡିକ ବେଶ୍ ଆକର୍ଷଣୀୟ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଥିବା ପରିଲାଗୁଛି । ଅଳ୍ପ କେତେଜଣ ନୂଆ ଲେଖକ ଏ ସବୁ ଶାରଦୀୟ ବିଶେଷାଙ୍କରେ ସ୍ଥାନୀତ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ଲେଖକ ମାନେ ବେଶ୍ ପୁରୁଣା ଓ ଜଣାଶୁଣା । ଚଳିତ ବର୍ଷ ପୂଜା ସଂଖ୍ୟାରେ ‘ନିଶାନ୍ତ’ ପତ୍ରିକା ଐତିହ୍ୟସମ୍ପନ୍ନ ରେଭେନ୍ସା କଲେଜ୍କୁ ଥିମ୍ କରିଥିଲା ବେଳେ ଅନ୍ୟ ପତ୍ରିକା ଗୁଡିକର କୌଣସି ନିର୍ଦ୍ଧିଷ୍ଟ ଥିମ୍ ନଥାଇ ସାହିତ୍ୟର ସବୁ ବିଭାଗର ଉପାଦେୟ ଲେଖା ସ୍ଥାନୀତ କରିବାକୁ ଯତ୍ନବାନ ହୋଇଥିବା ପରିଲକ୍ଷିତ କରାଯାଉଛି । ଏହି ଆଲେଖ୍ୟଟି ସମାଲୋଚନା ମୂଳକ ନୁହେଁ ଏକ ଦୃଷ୍ଟିପାତ ମାତ୍ର । ଆହୁରି ଅନେକ ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାର ଶାରଦୀୟ ବିଶେଷାଙ୍କ ଏଯାବତ୍ ବଜାରକୁ ଆସିନାହିଁ ।