ମଦୁଆଙ୍କୁ ଜଗିବ କମିଶନ୍‍ରେଟ୍‍ ପୁଲିସ

ଭୁବନେଶ୍ୱର,(ତଥ୍ୟ): ପାର୍ବଣ ଋତୁରେ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ୍‍ ନିୟନ୍ତ୍ରଣକୁ ଆଖି ଆଗରେ ରଖି କମିଶନ୍‍ରେଟ୍‍ ପୋଲିସ କଟକ, ଭୁବନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରେ ମଦୁଆଙ୍କ ବିରୁଦ୍ଧରେ ଜୋରଦାର୍‍ ଧରପଗଡ଼ ଅଭିଯାନ ଚଳାଇବ । ଏଥିପାଇଁ ପ୍ରାୟ ସବୁ ଥାନାକୁ ମଦୁଆଙ୍କୁ ଚିହ୍ନଟ କରିବା ପାଇଁ ଦରକାର ହେଉଥିବା ବ୍ରେଥ୍‍ ଆନାଲାଇଜର ଯନ୍ତ୍ର ଯୋଗା ସରିଛି ଏବଂ ପେଟ୍ରୋଲିଂ ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ବେଳେ ଯଦି କେହି ଧରାପଡ଼ନ୍ତି ତେବେ ତାଙ୍କ ଗାଡ଼ିଚାଳନା ଲାଇସେନ୍ସ ବାତିଲ ସହିତ ଗାଡ଼ି ଜବତ କରିବା ଏବଂ ମଦୁଆ ଚାଳକଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ ସହିତ ଆବଶ୍ୟକ ସ୍ଥଳେ ଜେଲ୍‍କୁ ପଠାଇବା ପାଇଁ ବି ବ୍ୟବସ୍ଥା ହୋଇଛି । ରାସ୍ତାଘାଟରେ ମଦ୍ୟପାନ କରୁଥିବା ଏବଂ ଏଭଳି ମଦୁଆଙ୍କୁ ଚାଖଣା ସାମଗ୍ରୀ ଯୋଗାଉଥିବା ଘଟଣା ଉପରେ ବି ସବୁ ଥାନା ନଜର ରଖିବେ । ପାର୍କ, ପୂଜା ମଣ୍ଡପ ଆଦି ନିକଟରେ ମଦୁଆଙ୍କୁ ଦେଖିବାକୁ ମିଳିବା ମାତ୍ରେ ପୋଲିସ ଧରିନେବ । କମିଶନ୍‍ରେଟ୍‍ ପୋଲିସର ଏହି ଯୋଜନା ଜଣାପଡ଼ିବା ପରେ ମଦ ଦୋକାନୀମାନେ ସତର୍କ ହୋଇଯାଇଥିବା ବେଳେ ମଦ ପିଇ ରାସ୍ତାଘାଟରେ ବୋବାଲ୍‍ କରୁଥିବା ଅସାମାଜିକ ଯୁବକମାନେ ଭୟବୀତ ହୋଇପଡ଼ିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ କମିଶନରେଟ୍‍ ପୋଲିସ ଏବଂ ଆର୍‍ଟିଓ ଓ ଏମ୍‍ଭିଆଇମାନେ ଏବେଠାରୁ ଉଭୟ ଦିନ ଓ ରାତି ବେଳା ମଦୁଆଙ୍କୁ ଧରିବା ଅଭିଯାନ ଆରମ୍ଭ କରିଛନ୍ତି । ଏ ପରିପ୍ରେକ୍ଷୀରେ ଦୁର୍ଗାପୂଜା ସମୟରେ ଅଧିକ ସ୍ଥାନରେ ରାତିରେ ପୋଲିସ ରାସ୍ତା ବ୍ଲକିଂ କରିବ । ଏହାଛଡ଼ା ଭୁବନେଶ୍ୱର ଓ କଟକ ଏବଂ ତା’ ଆଖପାଖ ଅଞ୍ଚଳରେ ଚୋରା ମଦ କାରବାରକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ପୋଲିସ ଓ ଅବକାରୀ ସଂସ୍ଥା ଉଦ୍ୟମ ଆରମ୍ଭ କରିଛନ୍ତି । ଗତ ୩ ଦିନ ଭିତରେ ରାଜଧାନୀ ଉପକଣ୍ଠରୁ ଏଥିଯୋଗୁ ବିପୁଳ ପରିମାଣରର ନିଶା ସାମଗୀ ଜବତ ହୋଇଛି ।
ଭସାଣି ବେଳେ ଶୋଭାଯାତ୍ରାରେ ମଦୁଆମାନେ ଯେମିତି ସାମିଲ ନ ହୁଅନ୍ତି ସେ ଦିଗରେ ମଧ୍ୟ ପୋଲିସ କର୍ତ୍ତୃପକ୍ଷ ଧ୍ୟାନ ଦେଉଛନ୍ତି । ହିତାହିତ ଜ୍ଞାନ ହରାଇଥିବା ମଦୁଆମାନଙ୍କ ଖରାପ ଆଚରଣ ଯୋଗୁ ବହୁ ସମୟରେ ପୂଜା ମଣ୍ଡପ ନିକଟରେ ଏବଂ ଭସାଣି ଶୋଭାଯାତ୍ରା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାରୁ ଉଭୟ ଉଦ୍ୟକ୍ତା ଓ ପୋଲିସ ପାଇଁ ସମସ୍ୟା ବଢ଼ିବାର ନଜିର ମାନ ରହିଛି ।
ଟ୍ରାଫିକ୍‍ ସ୍ୱେଚ୍ଛାସେବୀ, କମିଶନ୍‍ରେଟ୍‍ ପୋଲିସ ରେଡ୍‍କ୍ରସ ଓ ଅନ୍ୟ ବହୁ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ପାର୍ବଣ ସମୟରେ ଯେପରି ମଦୁଆଙ୍କ ଉପିାତ ଦେଖାନଯାଏ ସେ ଦିଗରେ ସଚେତନତା ସୃଷ୍ଟି କରୁଛନ୍ତି । ଶାନ୍ତି ଶୃଙ୍ଖଳାର ସହ ଶାରଦୀୟ ଦୁର୍ଗା ପୂଜା ଓ ଭସାଣି ଉତ୍ସବ ଯେପରି ସମ୍ପନ୍ନ ହୁଏ ସେଥିଘେନି ପୋଲିସ କମିଶନର ଓ ଅନ୍ୟ ଅଧିକାରୀମାନେ ଉଭୟ ନଗରୀର ପୂଜା କମିଟି କର୍ମକର୍ତ୍ତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।