୭ ଜିଲ୍ଲାରେ ୧୧୫ ମୁକ୍ତ ବିଦ୍ୟାଳୟ

27

ଭୁବନେଶ୍ୱର, ୧୪ ।୧୦(ବୁ୍ୟରୋ): ବିଭିନ୍ନ କାରଣରୁ ସ୍କୁଲ୍ ସ୍ତରରେ ପାଠପଢା ଛାଡିଦେଇଥିବା ଛାତ୍ରଛାତ୍ରୀ ମୁକ୍ତ ବିଦ୍ୟାଳୟରେ ପାଠପଢା ସୁଯୋଗ ପାଇବା ସହ ହାଇସ୍କୁଲ ସାର୍ଟିଫିକେଟ୍ ହାସଲ କରିପାରିବେ । ଏହି ଲକ୍ଷ୍ୟରେ ରାଜ୍ୟ ସରକାର ସ୍ଥାପନ କରିଥିବା ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ବିଧିବଦ୍ଧଭାବେ କାର୍ଯ୍ୟକାରୀ ହୋଇଛି । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠାନର ପ୍ରଥମ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଅନୁଗୁଳ, ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, ମୟୂରଭଞ୍ଜ, କଟକ ଓ ପୁରୀ ଆଦି ୭ଟି ଜିଲ୍ଲାର ୧୦୮ଟି ବ୍ଲକ୍ରେ ୧୧୫ଟି ମୁକ୍ତ ବିଦ୍ୟାଳୟ କେନ୍ଦ୍ର ଖୋଲିଛି । ସେ ସବୁ କେନ୍ଦ୍ରରେ ପାଠପଢା ପାଇଁ ୩,୧୬୭ ଛାତ୍ରଛାତ୍ରୀ ନାମପଞ୍ଜିକୃତ କରିସାରିଛନ୍ତି । ୨୦୧୬-୧୭ ବର୍ଷରେ ମୁକ୍ତ ବିଦ୍ୟାଳୟ ବ୍ୟବସ୍ଥା ସମସ୍ତ ୩୧୪ଟି ବ୍ଲକ୍ରେ କାର୍ଯ୍ୟକାରୀ କରାଯିବ । ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଖୁବ୍ଶୀଘ୍ର ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷର କରାଯିବ । ମୁକ୍ତ ବିଦ୍ୟାଳୟ ବ୍ୟବସ୍ଥାରେ ପଞ୍ଜିକୃତ ଛାତ୍ରଛାତ୍ରୀମାନେ ୫ ବର୍ଷ ମଧ୍ୟରେ ସର୍ବାଧିକ ୯ଥର ପର୍ଯ୍ୟନ୍ତ ୫ଟି ବିଷୟରେ ପରୀକ୍ଷା ଦେଇ ୧୦ମ ଶ୍ରେଣୀ ପାସ୍ ସାର୍ଟିଫିକେଟ୍ ହାସଲ କରିପାରିବେ । ଯେଉଁ ଛାତ୍ରଛାତ୍ରୀମାନେ ଅନୁ୍ୟନ ସପ୍ତମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ଓ ସର୍ବନିମ୍ନ ୧୪ ବର୍ଷ ହୋଇଥିବ ସେମାନେ ମୁକ୍ତ ବିଦ୍ୟାଳୟରେ ନାମଲେଖାଇପାରିବେ । ଏଥିପାଇଁ ସରକାର ଫି’ ଧାର୍ଯ୍ୟ କରିଛନ୍ତି । ସାଧାରଣ ବର୍ଗର ଛାତ୍ରଙ୍କୁ ଫି’ ବାବଦରେ ୨,୩୫୦ ଟଙ୍କା, ଛାତ୍ରୀଙ୍କୁ ୨,୧୦୦ ଟଙ୍କା, ଅନୁସୂଚିତ ଜାତି/ଜନଜାତି ଏବଂ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ୧,୯୦୦ ଟଙ୍କା ଫି’ ଦେବାକୁ ପଡିବ । ଜେଲ୍ରେ ଥିବା ଅନ୍ତେବାସୀମାନେ ମୁକ୍ତ ବିଦ୍ୟାଳୟରେ ବିନା ଫି’ରେ ପାଠପଢିପାରିବେ । ପ୍ରଥମ ୫ ବର୍ଷ ପାଇଁ ଏହି ଫି’ ବ୍ୟବସ୍ଥା ବଳବତ୍ତର ରହିବ । ପରବର୍ତ୍ତୀ ୫ ବର୍ଷ ପାଇଁ କୌଣସି ନାମଲେଖା ଫି’ ଦେବାକୁ ପଡିବନାହିଁ । ଏଥିସହିତ ପ୍ରତ୍ୟେକ ବିଷୟରେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ୧୫୦ ଟଙ୍କା ଲେଖାଏଁ ପରୀକ୍ଷା ଫି’ ଦେବାକୁ ପଡିବ । ସେମାନେ ଚାହିଁଲେ ଥରକୁ ଗୋଟିଏ ଲେଖାଏଁ ବିଷୟ ପରୀକ୍ଷା ଦେଇ ପାସ୍ କରିବାର ସୁଯୋଗ ପାଇବେ । ଇଂରାଜୀ ସହିତ ମାତୃଭାଷାରେ ଓଡିଆ, ତେଲୁଗୁ, ହିନ୍ଦୀ, ଊର୍ଦ୍ଧୁ ଓ ସଂସ୍କୃତ ବିଷୟ ମଧ୍ୟରୁ ଯେକୌଣସି ଗୋଟିଏ ବିଷୟ ନେଇପାରିବେ । ଅନ୍ୟ ବିଷୟଗୁଡିକ ହେଲା- ଗଣିତ, ସାମାଜିକ ବିଜ୍ଞାନ, ବିଜ୍ଞାନ, ଗୃହ ବିଜ୍ଞାନ, ଚିତ୍ରାଙ୍କନ, ଭାରତୀୟ ସଂସ୍କୃତି ଓ ଐତିହ୍ୟ । ସେଥିରୁ ଯେକୌଣସି ୩ଟି ବିଷୟ ନେଇ ଛାତ୍ରଛାତ୍ରୀମାନେ ପାଠ ପଢିପାରିବେ । ଏଥିସହ ବୃତ୍ତିଗତ ଶିକ୍ଷା ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ରହିଛି । ଫଳରେ ପରବର୍ତ୍ତୀ ସମୟରେ ସେମାନେ ବୃତ୍ତିଗତ ଶିକ୍ଷା ଲାଭ ସହିତ +୨, ଆଇଟିଆଇରେ ପାଠ ପଢିପାରିବେ । ପ୍ରତିଷ୍ଠାନର ପ୍ରଥମ ବୈଠକରେ ବିଭାଗୀୟ ସଚିବ ରଞ୍ଜନା ଚୋପ୍ରା, ଅନୁସୂଚିତ ଜାତି/ଜନଜାତି ଉନ୍ନୟନ ବିଭାଗର ସଚିବ ସୁରେନ୍ଦ୍ର କୁମାର, ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ, ପଞ୍ଚାୟତିରାଜ ବିଭାଗର ନିର୍ଦ୍ଧେଶକଙ୍କ ସମେତ ଜାତୀୟ ମୁକ୍ତ ବିଦ୍ୟାଳୟ, ରାଜ୍ୟ ମୁକ୍ତ ବିଦ୍ୟାଳୟ, ଉଚ୍ଚ ଶିକ୍ଷା ବିଭାଗ, କ୍ରୀଡା ଓ ଯୁବ ବ୍ୟାପାର, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତିନିଧିମାନେ ଯୋଗଦେଇଥିଲେ ।




Powered by odothemes.com