3456

ତାଳଚେରକୁ ମରୁଡ଼ି ଘୋଷଣା ଦାବିରେ ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ

25

ତାଳଚେର, ୧୩ ।୧୦(ଆପ୍ର): ତାଳଚେର ବ୍ଲକକୁ ମରୁଡ଼ି ଅଞ୍ଚଳ ଘୋଷଣା ଦାବିରେ ମଙ୍ଗଳବାର ଚାଷୀମାନେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତାଳଚେର ବ୍ଲକ୍ର କେତେକ ଗ୍ରାମ କୋଇଲା ଖଣି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅବଶିଷ୍ଟ ଗ୍ରାମଗୁଡ଼ିକ କୃଷି ଉପରେ ନିର୍ଭରଶୀଳ । ଏହି ଅଞ୍ଚଳର ଉର୍ବର ମୃର୍ତ୍ତିକା ଧାନ, ଆଖୁ, ଝୋଟ, ମକା, ମାଣ୍ଡିଆ, ମୁଗ, ହରଡ଼, ଗହମ, ବିରି ଇତ୍ୟାଦି ଚାଷ ପାଇଁ ଉପଯୁକ୍ତ । ତେବେ ଖଣିଖାଦାନ ଯୋଗୁଁ ଜଳସ୍ତର ନିମ୍ନଗାମୀ ହେଉଥିବାରୁ କୂଅପୋଖରି ଶୁଖି ଯାଉଥିବାବେଳେ ଚଳିତବର୍ଷ ସ୍ୱଳ୍ପବୃଷ୍ଟି ତାଳଚେର ବ୍ଲକ୍ରେ ମରୁଡିକୁ ଡାକିଆଣିଛି । ଜଳାଭାବ କାରଣରୁ ଚାଷୀଙ୍କ ଶ୍ରମ ନଷ୍ଟ ହୋଇଛି । ଫସଲ ନଷ୍ଟ ହେବା ଫଳରେ ଶତାଧିକ ଚାଷୀଙ୍କ ଜୀବନଜୀବିକା ପ୍ରତି ସଙ୍କଟ ସୃଷ୍ଟି ହୋଇଛି । ତାଳଚେର ବ୍ଲକ୍କୁ ମରୁଡ଼ି ଘୋଷଣା କରିବା ସହ ଚାଷୀଙ୍କ ଋଣଛାଡ଼ ଓ ବିଦୁ୍ୟତ୍ ବିଲ୍ ଛାଡ, ସମସ୍ତ ଚାଷୀ ପରିବାରଙ୍କୁ ବଞ୍ଚିବା ପାଇଁ ମାସିକ ଭତ୍ତା ପ୍ରଦାନ, ମାଗଣା ସାରବିହନ ପ୍ରଦାନ, ଚାଷୀଙ୍କ ପିଲାଙ୍କୁ ଦରମା ଛାଡ଼ ପାଇଁ ତାଳଚେର ଖଣିଖାଦାନ କ୍ଷତିଗ୍ରସ୍ତ ପ୍ରଜାସଂଘ ଦାବି କରିଛି । ଦାବି ପୂରଣ ନହେଲେ ଚାଷୀମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରଜାସଂଘ ପକ୍ଷରୁ ମନୋଜ କୁମାର ପ୍ରଧାନ, ଭାସ୍କର ବେହେରା, କୈଳାସ ବେହେରା, ସଞ୍ଜୟ କୁମାର ଦାସଙ୍କ ସମେତ ଚାଷୀ ଚେତାବନୀ ଦେଇଛନ୍ତି ।




Powered by odothemes.com