ପେଣ୍ଠବାସୀଙ୍କ ସୁରକ୍ଷା ଏବେ ବି ସାତସପନ | ସର୍ବସାଧାରଣ ଖବରକାଗଜ
mahabatya1

ପେଣ୍ଠବାସୀଙ୍କ ସୁରକ୍ଷା ଏବେ ବି ସାତସପନ

37

ରାଜନଗର (ଆପ୍ର): ବେଙ୍ଗାପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼କୁ ୧୬ ବର୍ଷ ପୂରିବାକୁ ଯାଉଛି । ମହାବାତ୍ୟାର ତାଣ୍ଡବ ତଟବର୍ତ୍ତୀ ରାଜନଗର ବ୍ଲକର ପେଣ୍ଠ ଗ୍ରାମର ୪୦୦ରୁ ଊଦ୍ଧ୍ୱର୍ ପରିବାର ଏବଂ ସାତଭାୟାର ୫୭୧ଟି ପରିବାରଙ୍କ ନିଦ ହଜାଇ ଦେଇଥିଲା । ମହାବାତ୍ୟା ଆସିବା ପୂର୍ବରୁ ସ୍ଥାନୀୟ ପ୍ରସାସନ ପକ୍ଷରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ନିକଟସ୍ଥ ପକ୍କାଘର ବାତ୍ୟା ଆଶ୍ରୟସ୍ଥଳୀ, ପ୍ରାଥମିକ ବିଦ୍ୟାଳୟ ପ୍ରଭୃତି ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ତଥାପି ସେମାନଙ୍କ ଜୀବନ ଜୀବିକା ଆଶଙ୍କାରେ ଥିଲା । ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ଓ ସାମୁଦ୍ରିକ ଜୁଆର କେବଳ ପେଣ୍ଠ ସାତଭାୟାବାସୀ ନୁହେଁ ବରଂ ସାଗର ତଟବର୍ତୀ ପ୍ରହରାଜପୁର, ଗଜରାଜପୁର, ଓଲସାହି, ଗୋବର୍ଦ୍ଧନପୁର, ସୁନ୍ଦରୀପାଳ, ନାଉକଣା, ବ୍ରାହ୍ମଣସାହି, ଏଣ୍ଡୁଳାପୁର, ପ୍ରସନ୍ନପୁର ପ୍ରଭୃତି ୩୯ଟି ସୁନାମୀ ପ୍ରବଳ ଅଂଚଳର ଲୋକେ ଆତଙ୍କିତ ହୋଇଥିଲେ । ମହାବାତ୍ୟାର ପରେ ସାଗର ମୁହଁରେ ଥିବା ପେଣ୍ଠବାସୀଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନିର୍ମାଣ ହେଉଥିବା ବ୍ୟୟବହୁଳ ଜିଓ ସିନ୍ଥେଟିକ ସାମୁଦ୍ରିକ ପ୍ରାଚୀରର କାର୍ଯ୍ୟ ତ୍ରୁଟିପୂର୍ଣ୍ଣ ହେବାରୁ ତାହା ଏବେ ବନ୍ଦ ରହିଛି । ସାଗରର କରାଳ ଗ୍ରାସରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହେଉଥିବା ସାମୁଦ୍ରିକ ପ୍ରାଚୀର ସ୍ଥାୟିତ୍ୱ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି । ମହାବାତ୍ୟାର ଦୃଶ୍ୟ ସଂପର୍କରେ ପେଣ୍ଠ ଗ୍ରାମର ମୁରବି ଶରତ ତ୍ରିପାଠୀ, ଚନ୍ଦ୍ରମଣି ବେହେରା, ଶିକ୍ଷାବିତ୍ ଘନଶ୍ୟାମ ବଳ ପ୍ରମୁଖ କୁହନ୍ତି ଯେ ଦରିଆ ଦେବତା ବାପ ଅଜା ଅମଳରୁ ଏତେ ଉଗ୍ର ନଥିଲା । ଏବେ ତା’ର ଉତ୍ତାଳ ତରଙ୍ଗ, ଭୀମକାନ୍ତ ଗର୍ଜନ ପ୍ରତ୍ୟେକ ଦିନ ଗାଁ ଆଡକୁ ମାଡି ଆସୁଥିବାରୁ ଆଉ ଦିନ କେଇଟା ପରେ ପେଣ୍ଠ ଗାଁ ମଧ୍ୟ ସାତଭାୟା ଭଳି ସାଗାର ଗର୍ଭକୁ ନଯିବ ଏକଥା କହି ହେବ ନାହିଁ । ସରକାରଙ୍କ ପକ୍ଷରୁ ନିର୍ମାଣ ହେଉଥିବା ସାମୁଦ୍ରିକ ପ୍ରାଚୀର ତ୍ରୁଟି ବିଚୁ୍ୟତି ଯୋଗୁଁ ତାହା ଅଧାପାନ୍ତରିଆ ପଡିରହିଛି । ଜିଲ୍ଲାର ନୂତନ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲେ ପ୍ରଥମେ ଆମ ଗାଁକୁ ଆସନ୍ତି, ଆମ ଦୁଃଖ ଯନ୍ତ୍ରଣାକୁ ନିଜ ଆଖିରେ ଦେଖିଯାଆନ୍ତି । ହେଲେ ଆମର ଦୁଃଖ ଏଯାଏଁ ଦୂର ହେଉନାହିଁ ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ୧୯୭୧ ସାମୁଦ୍ରିକ ଝଡ ପରଠୁ ଅଶାନ୍ତ ସମୁଦ୍ର ତପୋଇର ବଂଶଧର କୁହାଯାଉଥିବା ଅଭିଶପ୍ତ ସାତଭାୟାର ସାତଟି ଗାଁ ମଧ୍ୟରୁ ଛଅଟି ଗାଁକୁ ନିଜ ଗର୍ଭରୁ ନେଇ ସାରିଛି । ୧୯୮୬, ୧୯୯୯, ୨୦୧୩ ଫାଇଲିନ୍, ୨୦୧୪ ହୁଡ୍ହୁଡ୍ ସାମୁଦ୍ରିକ ଝଡ ସେମାନଙ୍କର ବଂଚିବାର ଆଶାକୁ ଛଡାଇ ନେଇଛି । ଏବେ ୫୭୧ଟି ପରିବାର ଭିଟାମାଟିର ମୋହରେ ସେଠାରେ ଜୀବନ ସହିତ ସଂଗ୍ରାମ କରୁଛନ୍ତି । ୨୦୧୧ ମସିହା ଠାରୁ ଭିତରକନିକା ଜାତୀୟ ଉଦ୍ୟାନ ସଂରକ୍ଷିତ ଜଙ୍ଗଲ ପାଶ୍ୱର୍ବର୍ତୀ ବଗପାଟିଆ ଠାରେ ସାତଭାୟାବାସୀଙ୍କୁ ଥଇଥାନ କରାଯିବା ପାଇଁ ଯୁଦ୍ଧକାଳୀନ ଭିତିରେ ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶରେ ଉନ୍ନୟନ କାର୍ଯ୍ୟ ଆଗେଇ ଚାଲିଛି । ବର୍ଷାଋତୁ ପରେ ପୁନର୍ବାର କାର୍ଯ୍ୟ କରିବା ପାଇଁ ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳ ଦେବରାଜ ସେନାପତିଙ୍କ ନିର୍ଦ୍ଧେଶକ୍ରମେ ତହସିଲଦାର କ୍ଷୀରୋଦ କୁମାର ବେହେରା ସାତଭାୟା ଥଇଥାନ କମିଟି ସହିତ ଆଲୋଚନା କରିଛନ୍ତି । ତେବେ ସମୁଦ୍ରର ଜଳପତନ ବୃଦ୍ଧି ଯୋଗୁଁ ପ୍ରତି ମୁହୂର୍ତ୍ତରେ ଆତଙ୍କିତ ଅବସ୍ଥାରେ ସାତଭାୟାବାସୀ ରହିଛନ୍ତି । ଫାଇଲିନ୍ର ଦୁଃଖଦ ଘଟଣାକୁ ମନେପକାଇ ସାତଭାୟା ଗ୍ରାମର ନିରଂଜନ ସ୍ୱାଇଁ, ସୁଦର୍ଶନ ଦାସ, ଅକ୍ଷୟ ପରିଡା, ଦିବାକର ରାଉତ, ସରପଂଚ ନିଗମାନନ୍ଦ ରାଉତ, ସମିତିସଭ୍ୟ ଦିବ୍ୟ ଲୋଚନ ରାଉତ ପ୍ରମୁଖ କୁହନ୍ତି ଯେ, ଫାଇଲିନ୍ ଓ ହୁଡ୍ ହୁଡ୍ ଆମ ପାଇଁ ଥିଲା ଅଭିଶପ୍ତ । ପ୍ରଶାସନ ପକ୍ଷରୁ ଆମକୁ ସାଗର ତଟରୁ ଉଚ୍ଚ ସ୍ଥାନରୁ ଆଣିବା ସମୟରେ କୁମ୍ଭୀରିଆ ନେଇ ବାଉଁଶଗଡିରେ ହୁଲି ଡଙ୍ଗାଟି ଦୁର୍ଘଟଣା ଗସ୍ତ ହୋଇଥିଲା ସେଥିରେ ଦୁଇଜଣ ନିଷ୍ପାପ ଶୁଶୁଙ୍କ ଜୀବନଦ୍ୱୀପ ଲିଭିଯାଇଥିଲା । ଯାହା ଆମପାଇଁ ସବୁଠୁ ଦୁଃଖଦ ଘଟଣା ।




Powered by odothemes.com