ସାଇନ୍ସ ପାର୍କ ମହିଳା ଭେଣ୍ଡିଂ ଜୋନ୍ ଉଚ୍ଛେଦ

29

ଭୁବନେଶ୍ୱର, ୯ା୧୦(ବୁ୍ୟରୋ): ସହିଦନଗର ଥାନା ଅନ୍ତର୍ଗତ ସାଇନ୍ସ ପାର୍କ ନିକଟରେ ଥିବା ମହିଳା ଭେଣ୍ଡିଂ ଜୋନ୍ ଉଚ୍ଛେଦକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ବ୍ୟବସାୟୀମାନେ ଆଚାର୍ଯ୍ୟବିହାର ଠାରୁ ଏଜି ଛକ ରାସ୍ତର ସାଇନ୍ସ ପାର୍କ ଟ୍ରାଫିକ୍ରେ ଧାରଣା ଦେଇଛନ୍ତି । ଫଳରେ ଏହି ରାସ୍ତାରେ ଗାଡିମଟର ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣା ସ୍ଥଳରେ ସହିଦନଗର ଥାନା ପୁଲିସ୍ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା । ସେମାନଙ୍କ ଦାବିଗୁଡିକ ବିଏମ୍ସି ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା । ସୂଚନାଯୋଗ୍ୟ, ସାଇନ୍ସ ପାର୍କ ନିକଟରେ ବେଆଇନ୍ ଭାବେ ଶତାଧିକ ଭେଣ୍ଡି ଜୋନ୍ ନିର୍ମାଣ ହୋଇଥିଲା । ଉକ୍ତ ବେଆଇନ୍ ନିର୍ମାଣ ଯୋଗୁଁ ଅନେକ ସମୟରେ ସେହି ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଏକାଧିକ ବାର ମିଳିତ ଟିମ୍ ଭେଣ୍ଡିଂ ଜୋନ୍ ଉଚ୍ଛେଦ ପାଇଁ ଯାଇଥିଲେ ମଧ୍ୟ ମହିଳାଙ୍କ ଉନ୍ମତ୍ତ କାଣ୍ଡ ଯୋଗୁଁ ଉଚ୍ଛେଦ ସଫଳ ହେଉନଥିଲା । ଆଜି ଅଚାନକ ଭାବେ ବିଏମ୍ସି ଓ ବିଡିଏର ମିଳିତ ଟିମ୍ ଉଚ୍ଛେଦ ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା । ମିଳିତ ଟିମ୍କୁ ଦେଖି ମହିଳାମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ ଓ ଉଚ୍ଛେଦକୁ ତୀବ୍ର ବିରୋଧ କରିଥିଲେ । ବିରୋଧ ବେଳେ ଜଣେ ମହିଳା ଘଟଣା ସ୍ଥଳରେ ଚେତାଶୂନ୍ୟ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ୧୦୮ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦେଢ ଘଣ୍ଟାର ବିରୋଧ ପରେ ସହିଦ୍ନଗର ପୁଲିସ୍ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ଚୁପ୍ କରାଇଥିଲା । ଏହା ପରେ ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ ସମୟରେ ୬୪ଟି ବେଆଇନ୍ ଦୋକାନ, ଗୋଟିଏ ଅସ୍ଥାୟୀ ହୋଟେଲ୍ ଉଚ୍ଛେଦ ହୋଇଥିଲା । ପୂର୍ବରୁ ଏହି ଭେଣ୍ଡିଂ ଜୋନ୍ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ବିଷୟ ଖବରକାଗଜରେ ପ୍ରକାଶ କରିଥିବା ଜଣେ ସାମ୍ବାଦିକଙ୍କୁ ଫୋନ୍ରେ ଧମକ ଦେଇଥିବା ସୂଚନା ମଳିଛି ।
ବିଡିଏ ଏନଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ରଙ୍କ ନେତୃତ୍ୱରେ ଲିଆସନିଂ ଅଧିକାରୀ ଶୁଭ୍ରାଂଶୁ ମହାନ୍ତି ଓ ବିଏମ୍ସି ଜୋନ୍ ଅଧିକାରୀ ଦୀପକ ରାଉତରାୟ ଉଚ୍ଛେଦ ସ୍ଥଳରେ ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ଜୋନ୍ ଏସିପି ରବିନ୍ଦ୍ରନାଥ ଶତପଥୀ ଓ ଥାନା ଅଧିକାରୀ ଦୀପକ ମିଶ୍ରଙ୍କ ନେତୃତ୍ୱରେ ୧ ପ୍ଲାଟୁନ୍ ପୁରୁଷ ଏଆରପି ପୁଲିସ୍ ଓ ଗୋଟିଏ ସେକ୍ସନ୍ ମହିଳା ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com