Chief-Minister--Shri-Naveen-Patnaik-reviewing-progress-of-flood-and-cyclone-centres-at-Secretariat

୧୨୫ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଶେଷ

33

ଭୁବନେଶ୍ୱର, ୭ା୧୦(ବୁ୍ୟରୋ): ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଏବଂ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଚିବାଳୟଠାରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟରେ ଏନ୍ସିଆର୍ଏମ୍ଡ଼ି ଯୋଜନାରେ ୧୫୪ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ତନ୍ମଧ୍ୟରୁ ୧୨୫ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ଅବଶିଷ୍ଟଗୁଡ଼ିକ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛି । ସେହିପରି ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକ ୧୧୩ କିଲୋମିଟର ସଂଯୋଗ ରାସ୍ତା ମଧ୍ୟ ନିର୍ମାଣ ସରିଛି ଏବଂ ୫୭.୭୭୫ କିଲୋମିଟର ଲୁଣା ବନ୍ଧ ମଧ୍ୟରୁ ୭୨.୫୦% କାର୍ଯ୍ୟ ଶେଷ ହୋଇଛି । ଏନ୍ସିଆର୍ଏମ୍ଡ଼ି ଯୋଜନାରେ ନିର୍ମିତ ହେବାକୁ ଥିବା ୧୬୨ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କାର୍ଯ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫୬ଟି ବନ୍ୟା ଆଶ୍ରୟସ୍ଥଳ ନିର୍ମିତ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୪୧ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ।
ବାତ୍ୟା ସମୟରେ ବ୍ୟବହାର ପାଇଁ ୬୦ଟି ସାଟେଲାଇଟ୍ ଫୋନ୍ ସଂଗ୍ରହର ଲକ୍ଷ୍ୟ ରଖାଯାଇଥିବା ବେଳେ ଟେଣ୍ଡରର ବିଭିନ୍ନ ପର୍ଯ୍ୟାୟରେ ତାହା ରହିଛି । ତେଣୁ ଆବଶ୍ୟକ ସ୍ଥଳେ ଏନ୍ଡ଼ିଏମ୍ଏ ସାଟେଲାଇଟ୍ ଫୋନ୍ ରାଜ୍ୟକୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।
ବାତ୍ୟା ସଂପର୍କରେ ଆଗୁଆ ସୂଚନା ଦେବା ପାଇଁ ରାଜ୍ୟର ଚାରିଗୋଟି ସ୍ଥାନ ଯଥା ପରାଦୀପ, ଗୋପାଳପୁର, ବାଲେଶ୍ୱର ଓ ସମ୍ବଲପୁରରେ ଡପଲାର ରାଡ଼ାର କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି । ଏଥିପାଇଁ ରାଜ୍ୟ ସରକାର ଜମି ଓ ଘର ଯୋଗାଇ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପାରାଦୀପ ଓ ଗୋପାଳପୁର ଠାରେ ଡାପଲାର ରାଡ଼ାର କେନ୍ଦ୍ର ପାଇଁ ଆବଶ୍ୟକ ଉପକରଣ ସ୍ଥାପନ କରାଯାଇଥିବା ବେଳେ ବାଲେଶ୍ୱର ଓ ସମ୍ବଲପୁର କେନ୍ଦ୍ରର ବିଶେଷ ଅଗ୍ରଗତି ହୋଇନାହିଁ । ତେଣୁ କେନ୍ଦ୍ର ସରକାରଙ୍କ ପାଣିପାଗ ବିଭାଗ ସହିତ ସମନ୍ୱୟ ରଖି ଏ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସୂଚନା ଯୋଗ୍ୟ ଡାପଲାର ରାଡ଼ାର କେନ୍ଦ୍ର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରତିଷ୍ଠା କରାଯାଇଥାଏ ।
ବୈଠକରେ ଅତିରିକ୍ତ ମୁଖ୍ୟ ସଚିବ, ଜଳସଂପଦ, ରାଜସ୍ୱ ବିଭାଗର ପ୍ରମୁଖ ସଚିବ, ପୂର୍ତ୍ତ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com