chatrabazaar-(1)

ଦ୍ୱିତୀୟା ଘାଣ୍ଟ: ପରିବା ବଜାରରେ ନିଅାଁ

137

କଟକ/ଭୁବନେଶ୍ୱର,(ବୁ୍ୟରୋ): ରବିବାର ଦ୍ୱିତୀୟା ଓଷା । ସୋମବାର ଘାଣ୍ଟ । ଏଥର କିନ୍ତୁ ଓଡ଼ିଆଙ୍କ ଏହି ପ୍ରିୟ ପର୍ବ ପାଳନରେ ଆଶଙ୍କା ଦେଖା ଦେଇଛି । ଟ୍ରକ୍ ଧର୍ମଘଟ ଯୋଗୁଁ ଆଳୁ ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ପରିବା ବଜାରରେ ନିଆଁ ଲାଗିଛି । ପରମ୍ପରା ଅନୁଯାୟୀ, କଦଳୀ, ବୁଢ଼ା କାକୁଡ଼ି, ଜହ୍ନି, କଖାରୁ, ସାରୁ, ଓଉ, କନ୍ଦମୂଳ, ନଡ଼ିଆ, ମୁଗ, ସୋଲା ଆଦି ପନିପରିବା ପଡ଼ି ଘାଣ୍ଟ ହୁଏ । ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏହି ଘାଣ୍ଟ-ତରକାରିର ସ୍ୱତନ୍ତ୍ର ମହକ ଥାଏ । ଘାଣ୍ଟ ପ୍ରସ୍ତୁତ ହେବା ପରେ ଦ୍ୱୀତିବାହନଙ୍କୁ ଭୋଗ ଦିଆଯାଏ । ଏହାପରେ ବନ୍ଧୁବାନ୍ଧବ ତଥା ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଘାଣ୍ଟ ତରକାରିର ମଜ୍ଜା ନିଅନ୍ତି । କିନ୍ତୁ ଚଳିତ ବର୍ଷ ଘାଣ୍ଟ ପୂର୍ବରୁ ବଜାର ଦର ହଠାତ ଗରମ ହୋଇଯାଇଛି । ଉଚ୍ଚା ଦର ସତ୍ତ୍ୱେ ପରିବା ବଜାରରେ ରବିବାର ଭିଡ଼ ପରିଲକ୍ଷିତ ହୋଇଥିଲା । ଏକ ପକ୍ଷରେ ଯୋଗାଣ କମ୍ ଓ ଚାହିଦା ଅଧିକ ହେବାରୁ ବେପାରିମାନେ ମଧ୍ୟ ମନ ଇଛା ଦର କଷିଥିଲେ । ଅନ୍ୟ ରାଜ୍ୟରୁ ୩୦ତାରିଖ ଠାରୁ ମାଲ ଆସୁନଥିବାବେଳେ କେବଳ ଆଖପାଖ ଜିଲ୍ଲାର ପରିବା ହିଁ ବିକ୍ରି ହେଉଛି । ବଜାର ଚାହିଦା ଅନୁସାରେ ପରିବା ମିଳିବା କଷ୍ଟକର ହୋଇପଡିଛି । ତେବେ ଘାଣ୍ଟରେ ବିଶେଷଭାବେ ଆବଶ୍ୟକ ହେଉଥିବା ମାଟି ଆଳୁ ଓ ବୁଢା କାକୁଡିର ଦାମ ଆଶାତୀତ ବୃଦ୍ଧି ପାଇଥିବା ବେଳେ ଅନ୍ୟ ପରିବା ଦର ମଧ୍ୟ ବୃଦ୍ଧି ପାଇଛି । କେବଳ ଛତ୍ର ବଜାରକୁ ଛାଡିଦେଲେ କୃଷକ ବଜାର ଓ ଅନ୍ୟାନ୍ୟ ପରିବା ମାର୍କେଟଗୁଡିକରେ ମାଟି ଆଳୁ କିଲୋ ୬୦ ଟଙ୍କା ଓ ବୁଢା କାକୁଡି କିଲୋ ୩୦ ଟଙ୍କା ଦରରେ ବିକ୍ରି ହେଉଛି । ଛତ୍ରବଜାର ପରିବା ଦର ବଢିନଥିବାବେଳେ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ପରିବା ଦର ଆକାଶ ଛୁଅାଁ ରହିଥିଲା । ଘାଣ୍ଟରେ ଆବଶ୍ୟକ ପଡୁଥିବା ସାମଗ୍ରୀ ଚାହିଦା ଯଥେଷ୍ଟ ଅଧିକ ରହିଥିଲା । ଛତ୍ରବଜାରରେ ସାରୁ କିଲୋ ୨୦ଟଙ୍କା, ଅମୃତଭଣ୍ଡା କିଲୋ ୨୦ଟଙ୍କା, ପାଣିକଖାରୁ ୨୦ଟଙ୍କା, ପୋଇ ୩ଖଣ୍ଡକୁ ୫ଟଙ୍କା, ପୋଟଳ ୪୦ଟଙ୍କା, ବୁଡ଼ା କାକୁଡ଼ି୨୦ଟଙ୍କା, କଖାରୁ କିଲୋ ୨୦ଟଙ୍କା, ବାଇଗଣ କିଲୋ ୩୦ଟଙ୍କା, ଓଉ ଗୋଟିଏକୁ ୮ଟଙ୍କା, ମଞ୍ଜା ୫ଟଙ୍କା, ଜହ୍ନି କିଲୋ ୨୫ଟଙ୍କା, କାଙ୍କଡ଼ କିଲୋ ୬୦ ଟଙ୍କା, କୋସଳା ବିଡ଼ା ୫ଟଙ୍କା, ଆଳୁ କିଲୋ ୨୦ଟଙ୍କା, ବନ୍ଧାକୋବି ୩୦ଟଙ୍କା, ନଡ଼ିଆ ୨୦ଟଙ୍କା ଦର ରହିଥିଲା । ଝାଞ୍ଜିରିମଙ୍ଗଳା, ରାଜାବଗିଚା, ଗଣେଶଘାଟ, କଲେଜଛକ, ସିଡିଏ, ତୁଳସୀପୁର, ଚଣ୍ଡୀଛକ, ଚାନ୍ଦିନୀଚୌକ, ଓଏମ୍‍ପି, ନୂଆବଜାର, ଅରୁଣୋଦୟ ମାର୍କେଟ, କୃଷକ ବଜାର, ସିଡିଏ ଇତ୍ୟାଦି ସ୍ଥାନଗୁଡ଼ିକରେ ଥିବା ଦୋକାନରେ ପରିବା ଦର ଅନ୍ୟ ଦିନ ଅପେକ୍ଷା ଅଧିକ ରହିଥିଲା । ସେହିପରି ରାଜଧାନୀ ବଜାରରେ ମଧ୍ୟ ଘାଣ୍ଟ ପରିବା ମୂଲ୍ୟ ଅତ୍ୟଧିକ ଥିଲା । ରାଜଧାନୀ ବାସୀ ବାବୁଭାୟାମାନଙ୍କର ପକେଟ୍କୁ ଆକଳନ କରି ବେପାରିମାନେ ବେଶ୍ ଦୁଇ ପଇସା ରୋଜଗାର କରିଥିଲେ । ଟ୍ରକ୍ ଧର୍ମଘଟ ଓ ନିଅଣ୍ଟିଆ ବଜାର ଆଳରେ କେତେକ ଅସାଧୁ ବ୍ୟବସାୟୀ ପ୍ରାୟ ୨ ଗୁଣା ଚଢ଼ା ଦରରେ ପରିବା ବିକ୍ରି କରୁଥିବା ଦେଖା ଯାଇଥିଲା । କେତେକ ସ୍ଥାନରେ ଦର ୩ ଗୁଣ ବୃଦ୍ଧି ପାଇଥିଲା । ତଥାପି ବର୍ଷକେ ଥରେ ଆସୁଥିବା ପାଟି ସୁଆଦିଆ ପର୍ବ ପାଇଁ ରାଜଧାନୀ ବାସୀ ଚଢ଼ା ଦାମ୍ରେ ପରିବା କିଣିବାକୁ ପଛାଇ ନଥିଲେ ।




Powered by odothemes.com