ଛାତ୍ର ସଂସଦ ନିର୍ବାଚନ ବନ୍ଦ ଅଗଣତାନ୍ତ୍ରିକ

23

ଭୁବନେଶ୍ୱର, ୩୦ା୯(ବୁ୍ୟରୋ): କ୍ୟାମ୍ପସରେ ଶାନ୍ତି ଉଦ୍ଧେଶ୍ୟରେ ୯ରେ ପୂର୍ବତନ ଛାତ୍ରନେତାଙ୍କ ସମ୍ମିଳନୀ(ଫ)
ଭୁବନେଶ୍ୱର,୩୦ା୯(ବୁ୍ୟରୋ): ପ୍ରାକ୍ ନିର୍ବାଚନୀ ହିଂସା ଏବଂ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବନ୍ଦକୁ ପୂର୍ବତନ ଛାତ୍ରନେତାମାନେ ନାପସନ୍ଦ କରିଛନ୍ତି । କ୍ୟାମ୍ପସ ନିର୍ବାଚନ ରାଜନୀତ ମଇଦାନର ଏନ୍ତୁଡିଶାଳ । ଶିକ୍ଷିତ ଛାତ୍ରଙ୍କୁ ରାଜନୀତୀ କ୍ଷେତ୍ରକୁ ଆଣିବା ପାଇଁ ଏହା ମାଧ୍ୟମ ମାତ୍ର ବର୍ତ୍ତମାନ ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଯେଉଁଭଳି ଭାବରେ ବିଭିନ୍ନ ଅଶାନ୍ତି ଘଟି ବନ୍ଦ ନିଷ୍ପତ୍ତି ନିଆଯାଇଛି ଏହା ଛାତ୍ରରାଜନୀତିର ସ୍ଥିତିକୁ ନଷ୍ପ କରିଦେବାର ଏକ ପ୍ରୟାସ । ରାଜନୈତିକ ଦଳମାନେ ଛାତ୍ରମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜର ରାଜନୈତିକ ପତିଆରା ସୃଷ୍ଟି କରିବା ପାଇଁ ସିଧାସଳଖ ହସ୍ତକ୍ଷେପ କରୁଥିବାରୁ ଛାତ୍ର ରାଜନୀତି ବାଟବଣା ହେଉଛି ବୋଲି ହୋଟେଲ୍ କେଶରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଛାତ୍ରନେତାମାନେ ମତରଖିଛନ୍ତି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଲେ, ଅଗଣତାନ୍ତ୍ରିକ ଉପାୟରେ ସରକାର ନିର୍ବାଚନ ବନ୍ଦ କରିବା ଲକ୍ଷରୁ ଦୂରେଇ ରୁହନ୍ତୁ । କ୍ୟାମ୍ପସରେ ଅଣଛାତ୍ରଙ୍କ ହସ୍ତକ୍ଷେପ ଦ୍ୱାରା ଏପରି ଗଣ୍ଡଗୋଳ ସୃଷ୍ଟି ହେଉଛି । ରାଜନୈତିକ ଦଳମାନେ ନିଜର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅର୍ଥବଳ ଓ ବାହୁବଳ ଖର୍ଚ୍ଚ କରୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି । ଅନ୍ୟପଟେ ପୁଲିସ ସୁରକ୍ଷା ଆଳରେ ନିର୍ବାଚନ ନକରିବାକୁ ପରାମର୍ଶ ଦେବା ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସ କମିଶନର ତାଙ୍କ ପଦରେ ରହିବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ସେ କହିଛନ୍ତି । ଛାତ୍ରନେତାମାନେ କଲେଜର ବିଭିନ୍ନ ସମସ୍ୟା ଉଠାଉଥିବା ବେଳେ ସେମାନଙ୍କ ଅଧିକାର ଏବଂ ସ୍ୱରକୁ ହତ୍ୟା କରିବା ପାଇଁ ଏହା କର୍ତ୍ତୃପକ୍ଷଙ୍କ ଚକ୍ରାନ୍ତ । ଯାହାଫଳରେ ସେମାନେ କ୍ୟାମ୍ପସରେ ମନଇଚ୍ଛା ଯାହା ଚାହିଁବେ ତାହା କରିବାର ସୁଯୋଗ ପାଇବେ ବୋଲି ସେ କହିଛନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରନେତା ସୁଦର୍ଶନ ଦାସ କହିଛନ୍ତି ଛାତ୍ରମାନେ ନିର୍ବାଚନ ନେଇ ଆନ୍ଦୋଳନ କରିବା ଏବଂ ମହିଳାଙ୍କ ମୃତୁ୍ୟ ଘଟିବା ଭଳି ଘଟଣା ନିଶ୍ଚିତ ଭାବେ ଦୁଃଖଦାୟକ । ବର୍ତ୍ତମାନ ଛାତ୍ର ସଂସଦ ନିର୍ବାଚନରେ ଯାହା ପରିସ୍ଥିତି ଉପୁଜୁଛି ତାହା ପୂର୍ବରୁ ଘଟୁନଥିଲା । ବର୍ତ୍ତମାନ କ୍ୟାମ୍ପସ ପରିସରରେ ଯେଭଳି ଘଟଣାମାନ ଘଟୁଛି ତାହା ଛାତ୍ର ରାଜନୀତି ପାଇଁ ଦୁର୍ଭାଗ୍ୟଜନକ । ଛାତ୍ର ସଂସଦ ନିର୍ବାଚନ ଏବଂ ଛାତ୍ର ରାଜନୀତି ଆମ ଦେଶ ତଥା ରାଜ୍ୟ ପାଇଁ ଏକ ନେତୃତ୍ୱ ସୃଷ୍ଟି କରିଥାଏ । ଆଜି ଓଡିଶାର ବିଭିନ୍ନ କ୍ଷେତ୍ରରେ ରାଜନୀତି ଠାରୁ ଆରମ୍ଭ କରି ପ୍ରଶାସନିକ, ସମାଜସେବା, ଆଇନଜ୍ଞ, ସାହିତ୍ୟ, ସାମ୍ବାଦିକ ଏବଂ କଳା କ୍ଷେତ୍ରରେ ଯେଉଁମାନେ ପ୍ରତିଷ୍ଠା ଲାଭ କରିଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ପୂର୍ବତନ ଛାତ୍ରନେତା ଭାବେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ଅତୀତରେ ରେଭେନ୍ସା, ଉକ୍ରଳ, ଜିଏମ୍ ବିଶ୍ୱବିଦ୍ୟାଳୟ ଗୁଡିକରେ ଯେଉଁମାନେ ଛାତ୍ର ରାଜନୀତି ଏବଂ ସଂସଦ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ ସେମାନେ ପରବର୍ତ୍ତୀ ସମୟରେ ସମାଜର ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ପ୍ରଦାନ କରିଛନ୍ତି ଏବଂ ସେମାନଙ୍କ ଗୁଣ ସମାଜକୁ ଦିଗଦର୍ଶନ ଦେଇଛି । ତେବେ କୌଣସି ପରିସ୍ଥିତିରେ ନିର୍ବାଚନ ବନ୍ଦ ହେବା ଉଚିତ୍ ନୁହେଁ । ଯଦି କୌଣସି କଲେଜରେ ନିର୍ବାଚନ ବନ୍ଦ ହୁଏ ତେବେ ପୂର୍ବତନ ଛାତ୍ରନେତାମାନେ ସେଠାକାର ଅଧ୍ୟକ୍ଷଙ୍କୁ ଭେଟି ନିର୍ବାଚନ କରିବା ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି । ଆସନ୍ତା ୯ ତାରିଖରେ ପୂର୍ବତନ ଛାତ୍ରନେତାଙ୍କୁ ନେଇ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଅଶାନ୍ତ ପରିସ୍ଥିତିର କାରଣ ଏବଂ ଛାତ୍ର ସମାଜ ଏବଂ ଛାତ୍ରରାଜନୀତିକୁ ନିର୍ଦ୍ଧିଷ୍ଟ ଦିଗରେ ଆଗେଇନେବା ପାଇଁ ଏକ ଆଲୋଚନା ହେବ ଏବଂ ଯାହାକିଛି ନିର୍ଜାସ ବାହାରିବ ତାକୁ ସରକାରଙ୍କୁ ପ୍ରଦାନ କରାଯିବ । ନିର୍ବାଚନ ପରେ ବିଜୟୀ ଛାତ୍ରନେତାମାନଙ୍କୁ ନେଇ କର୍ମଶାଳା ଆୟୋଜିତ ହେବ ଏବଂ କ୍ୟାମ୍ପସ୍ରେ ଛାତ୍ରନେତାର କିଭଳି ଭୂମିକା ରହିବା ଉଚିତ୍ ସେ ଉପରେ ଆଲୋଚନା ହେବ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ରନେତା ଦେବପ୍ରସାଦ ପରିଜା, ସତ୍ୟ ପଣ୍ଡା, ଅଭିନ୍ନ ହୋତା, ଆଲୋକ ଜେନା, ଅସୀମ ଅମିତାଭ ଦାସ, ବିପ୍ଳବ ମିଶ୍ର, ମୋକନ ଜେନା, ଲେଲିନ୍ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।




Powered by odothemes.com