ପୂଜା ପ୍ରସ୍ତୁତି ପାଇଁ ପ୍ରତି ୱାର୍ଡକୁ ୩ ଲକ୍ଷ ଟଙ୍କା

32

ଭୁବନେଶ୍ୱର, ୩୦ା୯(ବୁ୍ୟରୋ): ଆଗାମୀ ପାର୍ବଣ ଋତୁକୁ ଗୁରୁତ୍ୱ ଦେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି । ବୁଧବାର ବିଏମ୍ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ପୋରେସନ ବୈଠକରେ ବିଭିନ୍ନ ପୂଜା ମଣ୍ଡପ ଓ ସେଠାକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ ମରାମତି ପାଇଁ ପ୍ରତ୍ୟେକ ୱାର୍ଡକୁ ୩ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ । ଜରୁରୀକାଳୀନ ପରିସ୍ଥିତିରେ ଓ ସୀମିତ ଅର୍ଥ ରାଶି ମଧ୍ୟରେ ପୂଜା ମଣ୍ଡପକୁ ସଂଯୋଗ କରୁଥିବା ରାସ୍ତାଗୁଡିକର ମରାମତି କରାଯିବ । ସେହିପରି ବିଦୁ୍ୟତ ସଂଯୋଗ ଓ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରାଯିବ ବୋଲି ମେୟର ଅନନ୍ତନାରାୟଣ ଜେନା କହିଛନ୍ତି । ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪ ହଜାର ଏଲ୍ଇଡି ଲାଇଟ୍ ସଂଯୋଗ ହୋଇଥିବା ବେଳେ ଖୁବ୍ଶୀଘ୍ର ଅବଶିଷ୍ଟ ଲାଇଟ୍ ସଂଯୋଗ କରାଯିବ ବୋଲି ମେୟର କହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଭୁବନେଶ୍ୱର ସମେତ ଅନ୍ୟ ୪ଟି ମହ÷ାନଗର ନିଗମରେ ମଧ୍ୟ ଏଲ୍ଇଡି ସଂଯୋଗ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ବିଦୁ୍ୟତକରଣ ଓ ରାସ୍ତାକାର୍ଯ୍ୟର ତଦାରଖ ପାଇଁ ୨୪ ଘଣ୍ଟିଆ ଟିମ୍ କାର୍ଯ୍ୟକରିବ । ଜୋନସ୍ତରରେ ପ୍ରତ୍ୟେକ କାର୍ଯ୍ୟର ତର୍ଜମା କରାଯିବ । ସମସ୍ତ ବିଭାଗର କନିଷ୍ଟ ଯନ୍ତ୍ରୀ ଜୋନ୍ସ୍ତରରେ ନିର୍ମାଣ ଓ ମରାମତି କାର୍ଯ୍ୟର ତଦାରଖ କରିବେ ।ପାର୍ବଣ ବେଳେ ରାଜଧାନୀରେ ନିର୍ମାଣ ହୋଇଥିବା ଶତାଧିକ ମେଢ ଇତସ୍ତତଃ ଭାବେ ବିସର୍ଜନ କରୁଥିବାରୁ ଜଳ ପ୍ରଦୂଷଣ ହେଉଛି । ଏହାକୁ ରୋକିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଧେଶକ୍ରମେ ତିନୋଟି ସ୍ଥାନରେ ବିସର୍ଜନ ପାଇଁ ସ୍ଥିର କରାଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପୂର୍ବରୁ ଅନେକ ଥର ବିସର୍ଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଧେଶ ଦେଇଥିଲେ ମଧ୍ୟ ବିଏମ୍ସି ଦ୍ୱରା ଏହା କାର୍ଯ୍ୟକାରୀ ହୋଇନଥିଲା । କିନ୍ତୁ ଚଳିତ ବର୍ଷ ତିନୋଟି ଅସ୍ଥାୟୀ ପୋଖରୀ ସୃଷ୍ଟି କରାଯିବ ବୋଲି କମିଶନର କ୍ରିଷନ୍ କୁମାର କହିଛନ୍ତି । ହଂସପାଳ ନିକଟ କୁଆଖାଇ ନଦୀ ପଠାରେ ମୁର୍ତ୍ତି ବିସର୍ଜନ ପାଇଁ ଦୁଇଟି ଓ ଧଉଳି ନିକଟ ଦୟା ନଦୀ ପଠାରେ ଅନ୍ୟ ଏକ ଅସ୍ଥାୟୀ ଜଳାଶୟ ସୃଷ୍ଟି କରାଯିବ । ଯାହା ବିସର୍ଜନ ଜନିତ ପ୍ରଦୂଷଣ ରୋକିପାରିବ ବୋଲି ସେ କହିଛନ୍ତି । ମାର୍କେଟ୍ ବିଲ୍ଡିଂରେ ନିର୍ମାଣ ହୋଇଥିବା ମଡର୍ଣ୍ଣ ଫ୍ରୁଟ୍ ମାର୍କେଟରେ ଆବଣ୍ଟିତ ଦୋକାନ ବିକ୍ରି କରାଯାଇଥିବା କାର୍ପାରେଟରମାନେ ଅଭିଯୋଗ କରିଥିଲେ । ଏ ସମ୍ପର୍କିତ ତଦନ୍ତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସ୍ମାର୍ଟ ସିଟି ସମ୍ପର୍କିତ ଜନ ସଚେତନତା, ନାଗରିକଙ୍କ ମତାମତ ସଂଗ୍ରହ କରିବା ଓ ଏସଂକ୍ରାନ୍ତରେ ଲୋକଙ୍କୁ ଅବଗତ କରିବା ପାଇଁ ଗଣମାଧ୍ୟମ ଏବଂ ସୋସିଆଲ୍ ମିଡିଆର ସହଯୋଗ ନିଆଯିବ । ପ୍ରତ୍ୟେକ ସପ୍ତାହରେ ସ୍ମାର୍ଟ ସିଟି ନାଗରିକ ସଂଯୋଗ କାର୍ଯ୍ୟକ୍ରମରେ ଯୁବକ, ଛାତ୍ର, ବାଣିଜ୍ୟ, ଶିଳ୍ପ, ବରିଷ୍ଠ ନାଗରିକ ଏବଂ ସାମାଜିକ ସଂଗଠନର ବ୍ୟକ୍ତି ବିଶେଷଙ୍କ ମତାମତ ସଂଗ୍ରହ କରାଯିବ । ଆହୁରି ୱାର୍ଡସ୍ତରରେ ବୈଠକ କରାଯାଇ ଲୋକଙ୍କୁ ଏ ବିଷୟରେ ଅବଗତ କରାଯିବ ବୋଲି କମିଶନର କହିଥିଲେ ।




Powered by odothemes.com