ଶିକ୍ଷକ ଆନ୍ଦୋଳନ ପ୍ରତ୍ୟାହୃତ

37

ଭୁବନେଶ୍ୱର, ୨୪ା୯(ବୁ୍ୟରୋ): ସରକାରଙ୍କ ସହ ଆଲୋଚନା ପରେ ଓଡିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଗତ ଅଗଷ୍ଟ ୧୦ରୁ ଆନ୍ଦୋଳନ ଜାରି ରଖିଥିବା ୨,୨୦୯ ହାଇସ୍କୁଲ ପ୍ରାୟ ୨୧ ହଜାର ଶିକ୍ଷକ ଓ କର୍ମଚାରୀ ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗଦେବେ ଓ ପାଠପଢା ଚାଲିବ । ଆନ୍ଦୋଳନରେ ସାମିଲ ହୋଇଥିବା ୯୧୬ ଏମ୍ଇ ସ୍କୁଲ୍ ପୂର୍ବରୁ ଏଥିରୁ ଓହରି ଯାଇଥିଲେ । ମହାସଂଘର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ମହାସଂଘର କର୍ମକର୍ତ୍ତାମାନେ ଆଜି ଆନ୍ତଃମନ୍ତ୍ରାଳୟ କମିଟି ସହ ଆଲୋଚନା କରିବା ସହ ଏହି ନିଷ୍ପତ୍ତି ନିଆଯାଇଛି । ୩୯୯ ହାଇସ୍କୁଲ୍କୁ ବ୍ଲକ୍ ଗ୍ରାଣ୍ଟ୍ ପରିସରଭୁକ୍ତ କରାଯାଇଛି । ୨୦୧୩ର ଅନୁଦାନ ନୀତିକୁ ସଂଶୋଧନ କରାଯାଇ ଆସନ୍ତା ଆର୍ଥିକ ବର୍ଷ (୨୦୧୬-୧୭)ରୁ ନୂଆ ଅନୁଦାନ ନୀତି ପ୍ରଣୟନ କରାଯିବ । ସେଥିରେ ଏସବୁ ସ୍କୁଲ୍ର ଶିକ୍ଷକ ଓ କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ଭଳି ଚାକିରି ନିରାପତ୍ତା, ପେନ୍ସେନ୍ ନୀତିରେ ଏକକାଳୀନ ସୁବିଧା, ଏକ୍ସଗ୍ରାସିଆ ଓ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପାଇବେ । ନୂଆ ଅନୁଦାନ ନିର୍ଦ୍ଧେଶନାମାକୁ ଅର୍ଥ ବିଭାଗ, ଯୋଜନା ଓ ସମନ୍ୱୟ ବିଭାଗ ସହ ଆଲୋଚନା କରାଯାଇ ଚୂଡ଼ାନ୍ତ କରାଯିବ ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ୨୦୧୩ ଅନୁଦାନ ପ୍ରଦାନ ନିର୍ଦ୍ଧେଶନାମାରେ ଯାହା ବ୍ୟବସ୍ଥା ଥିଲା ତାହାକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଦ୍ୱନ୍ଦ ରହିଛି । ସେମାନେ ଏହାକୁ ବ୍ଲକ୍ଗ୍ରାଣ୍ଟର ଅନୁକରଣ ବୋଲି ଭାବୁଛନ୍ତି । ଏଥିପାଇଁ ସରକାର ରାଜ୍ୟର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ୨୦୧୬-୧୭ ବର୍ଷରୁ ନୂଆ ଅନୁଦାନ ନିର୍ଦ୍ଧେଶନାମା ପ୍ରଣୟନ କରିବେ । ଏଥିରେ ଶିକ୍ଷକମାନଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ ଲାଗି ବ୍ୟବସ୍ଥା ରହିବ । ଅର୍ଥ ବିଭାଗ ଓ ଯୋଜନା ସମନ୍ୱୟ ବିଭାଗର ସହମତିରେ ତାହା ଆସନ୍ତାବର୍ଷ ଓ ତତ୍ ପରବର୍ତ୍ତି ବର୍ଷରୁ ଏହି ଅନୁଦାନ ସୁବିଧା ଲାଗୁ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଆନ୍ଦୋଳନକୁ ଓହ୍ଲାଇଥିବା ୨,୨୦୯ ନୂଆ ହାଇସ୍କୁଲ୍ ଓ ୯୧୬ ଏମ୍ଇ ସ୍କୁଲ୍ଙ୍କ ମଧ୍ୟରୁ ୧,୭୨୮ ହାଇସ୍କୁଲ୍ର ଶିକ୍ଷକ ଓ କର୍ମଚାରୀମାନେ ୧୦୦% ବ୍ଲକ୍ ଗ୍ରାଣ୍ଟ ପାଉଥିବାବେଳେ ୨୫୩ ହାଇସ୍କୁଲ୍ର ଶିକ୍ଷକଙ୍କୁ ୭୫% ଓ ୨୨୮ ହାଇସ୍କୁଲ୍ର ଶିକ୍ଷକ ଓ କର୍ମଚାରୀଙ୍କୁ ୪୦% ବ୍ଲକ୍ ଗ୍ରାଣ୍ଟ ମିଳୁଛି । ସେହିପରି ୯୧୬ ଏମ୍ଇ ସ୍କୁଲ୍ ମଧ୍ୟରୁ ୬୯୪ ସ୍କୁଲ୍କୁ ୧୦୦%, ୧୬୬ ସ୍କୁଲ୍କୁ ୭୫% ଓ ଅବଶିଷ୍ଟ ସ୍କୁଲ୍ର ଶିକ୍ଷକ ଓ କର୍ମଚାରୀଙ୍କୁ ୪୦% ବ୍ଲକ୍ ଗ୍ରାଣ୍ଟ ମିଳୁଛି । ୮୪ଟି ମାଦ୍ରାସାକୁ ୧୦୦% ବ୍ଲକ୍ ଗ୍ରାଣ୍ଟ ମିଳୁଥିବା ବେଳେ ଅବଶିଷ୍ଟ ମାଦ୍ରାସାଗୁଡିକ ୭୫% ବ୍ଲକ୍ ଗ୍ରାଣ୍ଟ ପାଉଛନ୍ତି । ଗୋଟିଏ ପରିସରରେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଦୁଇଟି ସ୍କୁଲ୍କୁ ଗୋଟିଏ ପ୍ରଶାସନ ଅଧୀନସ୍ଥ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସେଠାରେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ୍ ପାଇଁ ୨ ଜଣ ପ୍ରଧାନ ଶିକ୍ଷକ କାର୍ଯ୍ୟରତ ନରହି ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ । ଫଳରେ ଗୋଟିଏ ପ୍ରଧାନ ଶିକ୍ଷକ ପଦ ଉଚ୍ଛେଦ ହେବ । ବର୍ତ୍ତମାନ ବ୍ଲକ ଗ୍ରାଣ୍ଟ ପ୍ରଦାନ ପାଇଁ ଯେଉଁ ବ୍ୟବସ୍ଥା ରହିଛି ତାହା ରହିବ । ଶିକ୍ଷକମାନେ ସେମାନଙ୍କ ଦରମା ସହ ଗ୍ରେଡ଼ ପେ ପାଉଛନ୍ତି । ନୂଆ ନୀତିରେ ସେମାନଙ୍କ ପାଇଁ ମହଙ୍ଗା ଭତ୍ତାର ବ୍ୟବସ୍ଥା କରାଯିବ । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଆସନ୍ତାବର୍ଷରୁ ଏହା ଲାଗୁ କରାଗଲେ ରାଜ୍ୟ ରାଜକୋଷ ଉପେର ଅତିରିକ୍ତ ୨୦୦ କୋଟିଟଙ୍କାର ବୋଝ ପଡ଼ିବ । ୨୦୧୯-୨୦ ବେଳକୁ ଏହା ୫୦୦ କୋଟି ଟପିବ ବୋଲି ଜଣାପଡ଼ିଛି ।
ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତଃମନ୍ତ୍ରାଳୟ କମିଟିରେ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ କୁମାର ସାହୁ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଖାଦ୍ୟ, ଯୋଗାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ପ୍ରମୁଖ ଶିକ୍ଷକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟ ସଚିବ ଗୋକୁଳ ଚନ୍ଦ୍ର ପତି, ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରା, ଅର୍ଥ ବିଭାଗର ପ୍ରମୁଖ ସଚିବ ଆର୍ ବାଲ୍ କ୍ରିଷ୍ଣନ୍ ଓ ଗଣଶିକ୍ଷା ବିଭାଗ ସଚିବ ରଞ୍ଜନା ଚୋପ୍ରା ଉପସ୍ଥିତ ଥିଲେ । ବୈଠକ ପରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷତ କରି କୃତଜ୍ଞତା ଜଣାଇଛନ୍ତି । ସଂଘର ପ୍ରତିନିଧିମାନେ ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର କରାଗଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହ ବିଦ୍ୟାଳୟରେ ପାଠପଢା ଆରମ୍ଭ ହେଲା ବୋଲି କହିଥିଲେ । ବିଦ୍ୟାଳୟରେ ଶିକ୍ଷାର ବାତାବରଣ ସୃଷ୍ଟି କରିବା ସହ ପିଲାମାନଙ୍କୁ ଛୁଟିଦିନମାନଙ୍କରେ ଶିକ୍ଷକମାନେ ସ୍କୁଲ ଖୋଲା ରଖି ଶିକ୍ଷାଦାନ କରିବେ ବୋଲଇ ମହାସଂଘର ସଭାପତି ପ୍ରକାଶ ଜେନା, ଆବାହକ ପ୍ରକାଶ ମହାନ୍ତି, ଓଷ୍ଟା ସଭାପତି ବିନୋଦ ପାଣିଗ୍ରାହୀ, ଅଲୋସ୍ତାର ସଭାପତି ଶରତ ପଣ୍ଡା ଓ ମଦ୍ରସା ସଂଘର ସଭାପତି ମହମ୍ମଦ ୱାସିମ୍ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।




Powered by odothemes.com