ଜିଲ୍ଲା ପରିଷଦ, ବ୍ଲକ୍ ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ ପାଠପଢ଼ା ସ୍ୱାଭାବିକ

37

ହାଇସ୍କୁଲ୍ରେ ଚାବି ପଡିବା ଘଟଣା
ବିଞ୍ଝାରପୁର, ୨୩ା୯(ଆପ୍ର): ବରପଦା ପଞ୍ଚାୟତ ରାମଚନ୍ଦ୍ରପୁର ହାଇସ୍କୁଲ୍ର ଜଣେ ବିଜ୍ଞାନ ଶିକ୍ଷକଙ୍କ ଡେପୁଟେସନ୍ ଆଦେଶକୁ କେନ୍ଦ୍ରକରି ଅସନ୍ତୁଷ୍ଟ ଗ୍ରାମବାସୀଙ୍କ ତରଫରୁ ବିଦ୍ୟାଳୟରେ ତାଲା ପକାଇ ଦିଆଯାଇଥିଲା । ତିନି ଦିନର ଏହି ଆନ୍ଦୋଳନ ଯୋଗୁ ଦଶମ ଶ୍ରେଣୀ ପିଲାମାନେ ପ୍ରି-ଟେଷ୍ଟ୍ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି । ବିଇଓଙ୍କ ଠାରୁ ଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀଙ୍କ ପ୍ରଚେଷ୍ଟା ସତ୍ତ୍ୱେ ବିଦ୍ୟାଳୟରେ ପଡିଥିବା ତାଲା ଖୋଲି ପାରିନଥିଲେ । ବୁଧବାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ସୁଶାନ୍ତ କୁମାର ମିଶ୍ର ଓ ବ୍ଲକ୍ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ ଆନ୍ଦୋଳନରତ ଗ୍ରାମବାସୀଙ୍କୁ ବୁଝାଇ ତାଲା ଖୋଲିଥିଲେ ।  ସୂଚନା ଅନୁଯାୟୀ, ସମ୍ପୃକ୍ତ ଶିକ୍ଷକ ଜଣକଙ୍କ ଡେପୁଟେସନ୍ ଅର୍ଡର୍ ବାତିଲ କରାଯାଇ ତାଙ୍କୁ ବିଦ୍ୟାଳୟର ପୂର୍ଣ୍ଣ କାଳୀନ ଶିକ୍ଷକ ଭାବେ ଅବସ୍ଥାପିତ କରାଯାଇଛି । ଏହି ଘଟଣା ପାଇଁ ସାଧାରଣରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଦୂରଦର୍ଶିତାକୁ ଦାୟୀ କରାଯାଇଥବବା ବେଳେ ସମ୍ପୃକ୍ତ ଶିକ୍ଷକଙ୍କୁ କପିଳା ହାଇସ୍କୁଲ୍କୁ ଡେପୁଟେସନ୍ରେ ୩ ଦିନ ପଠାଯାଇଥିଲା । ଅନ୍ୟପକ୍ଷରେ କପିଳା ସତ୍ୟଭାମା ଗଣେଶଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା ବେଳେ ତାଙ୍କୁ ଯାଜପୁରକୁ ଡେପୁଟେସନ୍ରେ ନିଆଯାଇଥିବା ଅଭିଯୋଗ ହୋଇଛି । କପିଳାରେ ରେଗୁଲାର୍, ଚୁକ୍ତି ଭିତ୍ତିକ ଓ ଡେପୁଟେସନ୍ରେ ବିଜ୍ଞାନ ଅଧ୍ୟାପନା ପାଇଁ ନିଯୁକ୍ତ ଶିକ୍ଷକ ସଂଖ୍ୟା ୫ ହୋଇଥିବା ବେଳେ ଅନ୍ୟ ବିଷୟ ଅଧ୍ୟାପନା ପାଇଁ ଶିକ୍ଷକ ସଂଖ୍ୟା ୩ ବୋଲି ଜଣାଯାଇଛି । କପିଳା ବିଦ୍ୟାଳୟ ନିମନ୍ତେ ବିଜ୍ଞାନ ଓ ଗଣିତ ବିଷୟ ପାଇଁ ଶିକ୍ଷକ ଆବଶ୍ୟକ ନଥିଲା । ଜିଲ୍ଲା ଶିକ୍ଷା ବିଭାଗର ଏପରି ପଦକ୍ଷେପ ଗ୍ରହଣ କରି ବିନା କାରଣରେ ବଜ୍ରପାତ ନୀତି ଅବଲମ୍ବନ କରିଥିବାରୁ ବିଞ୍ଝାରପୁର ସଚେତନଶୀଳ ନାଗରିକ ମଞ୍ଚ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ସ୍କୁଲ୍ରେ ତାଲା ପଡିବା ଘଟଣା ଠାରୁ ତାଲା ଖୋଲିବା ପର୍ଯ୍ୟନ୍ତ କେବଳ ବିଇଓ ଓ ତାଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ଛଡା ଜିଲ୍ଲାସ୍ତରରୁ କୌଣସି ଅଧିକାରୀ ସମସ୍ୟା ଦୂର ପାଇଁ ଉଦ୍ୟମ କରିନଥିଲେ ବୋଲି ଗ୍ରାମବାସୀଙ୍କ ଠାରୁ ଜଣାଯାଇଛି ।

ସେଆର କରନ୍ତୁ:



Powered by odothemes.com