ସୁପ୍ରିମ୍ କୋର୍ଟ ରାୟ ପର୍ଯ୍ୟନ୍ତ ପୋଲାଭରମ ସ୍ଥଗିତ ରହୁ

36

ଭୁବନେଶ୍ୱର, ୧୯ା୯(ତଥ୍ୟ): ସୁପ୍ରିମ୍‍କୋର୍ଟ ଚୂଡାନ୍ତ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ବିବାଦୀୟ ପୋଲାଭରମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି ।ଆନ୍ଧ୍ରପ୍ରଦେଶରେ ନିର୍ମିତ ହେଉଥିବା ପୋଲାଭରମ ପ୍ରକଳ୍ପକୁ ଇତିମଧ୍ୟରେ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଛନ୍ତି । ଏଥିଲାଗି ମଧ୍ୟ କେନ୍ଦ୍ର ସରକାରଙ୍କ ଠାରୁ ଆନ୍ଧ୍ର ସରକାର ସବୁପ୍ରକାର ସହଯୋଗ ପାଉଛନ୍ତି । ଏହି ପ୍ରକଳ୍ପ ନିର୍ମିତ ହେଲେ ଓଡିଶା ଓ ଛତିଶଗଡ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବ । ଅନେକ ଆଦିବାସୀ ଗାଁ ପାଣିରେ ଡୁବିବା ସହିତ ବିସ୍ତୀର୍ଣ୍ଣ ଜଙ୍ଗଲ ଓ ଚାଷଜମି ମଧ୍ୟ ପ୍ରକଳ୍ପର ବୁଡି ଅଞ୍ଚଳରେ ରହିଯିବ । ତେଣୁ ଏହି ପ୍ରକଳ୍ପ ପ୍ରସ୍ତାବ ସମୟରୁ ଛତିଶଗଡ ଓ ଓଡିଶା ଏହାକୁ ବିରୋଧ କରୁଛନ୍ତି । ଏମିତିକି ଗୋଦାବରୀ ଜଳବିବାଦ ପ୍ରାଧିକରଣରେ ମଧ୍ୟ ଏହି ପ୍ରସଙ୍ଗ ଉତ୍‍ଥାପିତ ହେବା ବେଳେ ଛତିଶଗଡ ଓ ଓଡିଶା ପ୍ରବଳ ପ୍ରତିବାଦ ଉଠାଇଥିଲେ । ନବୀନ ତାଙ୍କ ପତ୍ରରେ ଲେଖିଛନ୍ତି ଯେ ଓଡିଶାରେ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କ ଠାରୁ ଜନଶୁଣାଣି ନକରି ଏବଂ ଆବଶ୍ୟକୀୟ ପରିବେଶ ମଞ୍ଜୁରୀ ନନେଇ ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ଚାଲୁ ରଖିଛନ୍ତି । ଏ ସଂକ୍ରାନ୍ତରେ ମାମଲା ସୁପ୍ରିମ୍‍କୋର୍ଟରେ ବିଚାରାଧିନ ଥିଲେ ମଧ୍ୟ ତାହାକୁ ଖାତିର କରୁନାହାନ୍ତି । ଏକତରଫା ଭାବେ ଆନ୍ଧ୍ର ସରକାର ଗୋଦାବରୀ ଜଳବିବାଦ ପ୍ରାଧିକରଣ ନିକଟରେ ପୋଲାଭରମ ପ୍ରକଳ୍ପ ନିର୍ମାଣପାଇଁ ମାମଲା ଉଠାଇଥିଲେ ଏବଂ ଓଡିଶା ଓ ଛତିଶଗଡ ଏଥିରେ ରାଜିନହେବା ଫଳରେ ଟି୍ରବୁ୍ୟନାଲ ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚିପାରି ନଥିଲେ । ତେବେ କେନ୍ଦ୍ରୀୟ ଜଳ ଆୟୋଗ ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ସଂକ୍ରାନ୍ତରେ ନିର୍ଦ୍ଧାରଣ କରିବାକୁ ଟି୍ରବୁ୍ୟନାଲ ଯେଉଁ ନିର୍ଦ୍ଧେଶ ଦେଇଥିଲେ ତାହା ଆଧାରରେ ବି ଆନ୍ଧ୍ର ସରକାର କାମ କରୁନାହାନ୍ତି । ଏହି ଭିତ୍ତିଭୂମିରେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ଓଡିଶା ସରକାର ସୁପ୍ରିମ୍‍କୋର୍ଟରେ ୨୦୦୭ରୁ ରୁଜୁ କରିଥିବା ମାମଲା ଏ ଯାବତ୍‍ ପଡିରହିଛି । ମାମଲା ବିଚାରାଧିନ ଥିବାବେଳେ କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ କାମ ସ୍ଥଗିତ ରଖିବାକୁ ନିର୍ଦ୍ଧେଶ ଦେଇଥିଲେ । ପରେ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ନିର୍ଦ୍ଧେଶନାମା ଉପରେ ରହିତାଦେଶ ଜାରି କରାଯାଇଛି । ଓଡିଶା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଆଦିବାସୀଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ସହିତ ସେମାନଙ୍କ ଜୀବନଜୀବିକାର ସାଧନ ଚାଷଜମି ଓ ଜଙ୍ଗଲ ସମ୍ପଦର ସୁରକ୍ଷା ଲାଗି କେନ୍ଦ୍ର ସରକାର ଅନ୍ତତଃ ପକ୍ଷେ ସୁପି୍ରମ୍‍କୋର୍ଟରେ ମାମଲା ଫଇସଲା ହେବା ପର୍ଯ୍ୟନ୍ତ ଆନ୍ଧ୍ର ସରକାରଙ୍କୁ ପୋଲାଭରମ ପ୍ରକଳ୍ପ ନିର୍ମାଣକାର୍ଯ୍ୟରୁ ବିରତ ରଖାନ୍ତୁ । ସୁପ୍ରିମ୍‍କୋର୍ଟଙ୍କ ରାୟ ପୂର୍ବରୁ ଯଦି ପୋଲାଭରମ ନିର୍ମାଣକାର୍ଯ୍ୟ ଶେଷହୁଏ ତାହେଲେ ଓଡିଶାର କ୍ଷତିଗ୍ରସ୍ତ ଆଦିବାସୀ ମାନଙ୍କ ଦୁଃଖ ବହୁଗୁଣିତ ହୋଇଯିବ । ଗୋଟିଏ ରାଜ୍ୟର ପ୍ରକଳ୍ପ ନିର୍ମାଣ ପାଇଁ ଆଉ ଦୁଇଟି ରାଜ୍ୟର ଆଦିବାସୀଙ୍କୁ ଜୋର ଜବରଦସ୍ତ ବିସ୍ଥାପିତ କରାଯିବା ଅନୁଚିତ ବୋଲି ଉଲ୍ଲେଖ କରି ଅନ୍ତତଃପକ୍ଷେ ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ସରକାର କୌଣସି ବେଆଇନ୍‍ କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।




Powered by odothemes.com