ଘୂର୍ଣ୍ଣିଝଡ଼ ପରେ କମାଗୁରୁ ସ୍ଥିତି ସୁଧୁରୁଛି

35

ନିରାକାରପୁର, (ଆପ୍ର): ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଗ୍ରାମରେ ମଙ୍ଗଳବାର ଘୂର୍ଣ୍ଣିଝଡ଼ରେ ଘଟିଥିବା ବ୍ୟାପକ କ୍ଷୟକ୍ଷତିର ପ୍ରଶାସନ ଆକଳନ କରି ପରିସ୍ଥିତିକୁ ସୁଧାରିବାକୁ ଚେଷ୍ଟାକରୁ ଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କମାଗୁରୁ ଗ୍ରାମର କ୍ଷତିଗ୍ରସ୍ତ ୧୩୬ ପରିବାରକୁ ସହାୟତା ଯୋଗାଇଛନ୍ତି । ତହସିଲଦାର ସୁସ୍ମିତା ବେହେରାଙ୍କ ନିର୍ଦ୍ଧେଶରେ ଟାଙ୍ଗୀ ତହସିଲ ଅଧୀନସ୍ଥ ସମସ୍ତ ରାଜସ୍ୱ ନୀରିକ୍ଷକ କମାଗୁରୁରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ଚିହ୍ନଟ କରିବା ସହ କ୍ଷୟକ୍ଷତିର ଆକଳନ କରିଥିଲେ । ପରେ ଚିହ୍ନଟ ପରିବାରଙ୍କ ପାଇଁ ପ୍ରଶାସନ ପକ୍ଷରୁ କମାଗୁରୁ ପଞ୍ଚାୟତ କାର୍ଯ୍ୟାଳୟରେ ପରିବାର ପିଛା ଚୁଡ଼ା ୫ କେଜି, ଗୁଡ଼ ୫୦୦ ଗ୍ରାମ, ବିସ୍କୁଟ ଓ ଗୋଟିଏ ଲେଖାଏଁ ପଲିଥିନ ଯୋଗାଇ ଦିଆ ଯାଇଥିଲା । ଏହି ସମୟରେ ଖୋର୍ଦ୍ଧା ଜିଲ୍ଳାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ କୃପାସିନ୍ଧୁ ମିଶ୍ର, ଉପଜିଲ୍ଲାପାଳ ଧରଣୀଧର ନନ୍ଦ, ତହସିଲଦାର ସୁସ୍ମିତା ବେହେରା, ବିଡ଼ିଓ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଯୁଗଳ କିଶୋର ମିଶ୍ର, ଯୋଗାଣ ନୀରିକ୍ଷକ ଓ ସମସ୍ତ ରାଜସ୍ୱ ନୀରିକ୍ଷକ, ସରପଞ୍ଚ ମନୋରଞ୍ଜନ ଚମ୍ପତି ଉପସ୍ଥିତ ରହି ରିଲିଫ ପ୍ରଦାନ ତଦାରଖ କରିଥିଲେ । ସେହିପରି ସ୍ଥାନୀୟ ରାମଚନ୍ଦ୍ର କଳ୍ପନା ମହାବିଦ୍ୟାଳୟର ଏନ୍ଏସ୍ଏସ୍ ପକ୍ଷରୁ ବିପନ୍ନ ବ୍ୟକ୍ତିମାନଙ୍କୁ ରିଲିଫ ପ୍ରଦାନ କରାଯାଇଛି । କଲେଜ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତିଙ୍କ ନେତୃତ୍ୱରେ ବିପନ୍ନ ବ୍ୟକ୍ତିମାନଙ୍କୁ ଲ୍ୟାଫ, ବିସ୍କୁଟ, ପାଉଁରୁଟି ପ୍ରଦାନ କରାଯାଇଛି । ଏହି ସମୟରେ କଳେଜ ପୂର୍ବତନ ପରିଚାଳନା କମିଟି ସଂପାଦକ ଅନନ୍ତ ନାରାୟଣ ସାମନ୍ତରାୟ, ଅଧ୍ୟାପକ ସମୀର କୁମାର ରାଉତରାୟ, ରନିାକର ମହାପାତ୍ର, ସ୍ମୃତିରଞ୍ଜନ ସାମନ୍ତରାୟ, ବାସୁଦେବ ପାଲଟାସିଂହ, ପ୍ରଭାକର ଜୟସିଂହ, ଛାତ୍ର ରାଜେଶ କୁମାର ଚହଟରାୟ, ରାକେଶ କୁମାର ପରିଡ଼ା, ରଜତ କୁମାର ପାଇକରାୟ, ସୁଶାନ୍ତ କୁମାର ତ୍ରିପାଠୀ ଓ ବିଶ୍ୱଜିତ ତାଡ଼ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏବେବି ଗାଁର ଦୁର୍ଯ୍ୟୋଧନ ମହାପାତ୍ର ଓ କନକ ପଣ୍ଡା ପରିବାର ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି । ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରଣବ ଦାସଙ୍କ ମାମୁଁ ଘର କମାଗୁରୁ ହୋଇ ଥିବାରୁ ଶକ୍ତି ବିଭାଗର କାର୍ଯ୍ୟ ଦକ୍ଷତା କମାଗୁରୁରେ ଫୁଲ୍ଦମ୍ରେ ଦେଖିବାକୁ ମିଳିଥିଲା । ସକାଳୁ ସେସୁ ଓ ଫେଡକୋର ବରିଷ୍ଠ ଅଧିକାରୀମାନେ ଗାଡ଼ିମଟର ଧରି କମାଗୁରୁରେ ଡେରା ପକାଇଥିଲେ । ସେମାନେ ଭାଙ୍ଗି ଯାଇଥିବା ବିଦୁ୍ୟତ ଖୁଣ୍ଟଗୁଡ଼ିକୁ ପରିବର୍ତ୍ତନ କରି ତୁରନ୍ତ ନୂଆଖୁଣ୍ଟ ଲଗାଇ ବିଦୁ୍ୟତ ସରବରାହ ଜାରି କରିବାକୁ ପ୍ରୟାସ କରିଥିଲେ । ସୂଚନା ମୁତାବକ ସେମାନେ କମାଗୁରୁର ଅଧା ଅଞ୍ଚଳରେ ବିଦୁ୍ୟତ ସରବରାହ ଜାରି କରିବାରେ ସକ୍ଷମ ହୋଇଛନ୍ତି ।

ସେଆର କରନ୍ତୁ:



Powered by odothemes.com