‘ମେରେ ନୈନା ସାୱନ୍ ଭାଦୋ’ରେ ମନ ଜିଣିଲେ

56

ଭୁବନେଶ୍ୱରରେ ପହଞ୍ଚିଲେ ଅନନ୍ୟା
ଭୁବନେଶ୍ୱର, (ବୁ୍ୟରୋ): ଇଣ୍ଡିଆନ୍ ଆଇଡଲ୍ ବିଜୟିନୀ ଓଡ଼ିଆ ଝିଅ ଅନନ୍ୟା ଶ୍ରୀତମ୍ ନନ୍ଦ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଆଜି ସକାଳେ ୧୦ଟା ୧୫ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କର ନିଜ ସ୍କୁଲ ପୋଖରୀପୁଟ ଡିଏଭି ତରଫରୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସ୍କୁଲ୍ ଅଧ୍ୟକ୍ଷା ମାଡ୍ୟାମ୍ ସୁଜାତାଙ୍କ ସହ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇ ବିଦ୍ୟାଳୟକୁ ପାଛୋଟି ଆଣିଥିଲେ । ବିଦ୍ୟାଳୟ ଛାତ୍ର ପରିଷଦର ସଦସ୍ୟମାନଙ୍କ ଦ୍ୱାରା ତାଙ୍କୁ ମହାସମାରୋହରେ ସମ୍ବର୍ଦ୍ଧିତ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା । ନିଜର ପ୍ରିୟ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସାଙ୍ଗସାଥୀଙ୍କୁ ଦେଖି ଅନନ୍ୟା ଖୁସିରେ ଆତ୍ମହରା ହୋଇଉଠିଥିଲେ । ନିଜ ଶିକ୍ଷାନୁଷ୍ଠାନରେ ଏଭଳି ସମ୍ବର୍ଦ୍ଧନା ଅପରିକଳ୍ପନୀୟ ବୋଲି ଅନନ୍ୟା କହିଥିଲେ ।
ପରେ ନିଜ ବାପା ପ୍ରସନ୍ନ ନନ୍ଦ ଓ ଡିଏଭି ପୋଖରୀପୁଟ ଅଧ୍ୟକ୍ଷା ମାଡ୍ୟାମ୍ ସୁଜାତାଙ୍କ ସହ ଅନନ୍ୟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ସାକ୍ଷାତ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅନନ୍ୟାଙ୍କୁ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ତାଙ୍କୁ ଉପହାର ପ୍ରଦାନ କରାଯାଇଥିଲା ।
ସନ୍ଧ୍ୟାରେ ସ୍କୁଲ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମଦନମୋହନ ପଣ୍ଡା, ଡିଏଭି କଳିଙ୍ଗନଗର ପରିଚାଳନା ସମିତିର ସଭାପତି ଶରତ ଚନ୍ଦ୍ର ମିଶ୍ର, ଡିଏଭି ଜୋନ୍ -୧ର ଆଞ୍ଚଳିକ ନିର୍ଦ୍ଧେଶକ ଡ. କେଶବ ଚନ୍ଦ୍ର ଶତପଥୀଙ୍କ ଜୋନ୍-୧ର ସମସ୍ତ ଡିଏଭି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଓ ଅଧ୍ୟକ୍ଷ ଯୋଗ ଦେଇଥିଲେ । ଭୁବନେଶ୍ୱସ୍ଥିତ ପ୍ରାୟ ଅଧିକାଂଶ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଡିଏଭି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଧେଶକ ଅନନ୍ୟାଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜର ସାଧନା ଜାରି ରଖିବା ନିମେନ୍ତ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପାଇଁ ଅନନ୍ୟା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଅଧ୍ୟକ୍ଷା ମାଡ୍ୟାମ୍ ସୁଜାତା କହିଥିଲେ । ବିଦ୍ୟାଳୟ ତରଫରୁ ଅନନ୍ୟାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନନ୍ୟା ନିଜର ମଧୁର କଣ୍ଠରେ ‘ମେରେ ନୈନା ସାୱନ୍ ଭାଦୋ’ ଓ ‘କମଲି କମଲି’ ଗୀତ ଗାଇ ସମସ୍ତଙ୍କ ମନ ଜିଣି ନେଇଥିଲେ । ବିଦ୍ୟାଳୟ ତରଫରୁ ପ୍ରସ୍ତୁତ ଅନନ୍ୟାଙ୍କ ‘ଇଣ୍ଡିଆନ୍ ଆଇଡଲ୍’ର ରୋମାଞ୍ଚକର୍ ଯାତ୍ରା ସମ୍ପର୍କରେ ଏକ ଭିଡ଼ିଓ ସିଡି ଉନ୍ମୋଚନ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com