ଓଡ଼ିଶାର ଐତିହ୍ୟ ଅପହରଣ ମସୁଧାରେ ବଙ୍ଗଳା

53

ଭୁବନେଶ୍ୱର, ୧୫ ।୯(ବୁ୍ୟରୋ): ଚଳିତ ମାସ ୨୫ରେ ଫେଡେରେସନ୍ ଅଫ୍ ହୋଟେଲ୍ ଏଣ୍ଡ୍ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଫ୍ଏଚ୍ଆର୍ଏଆଇ)ର ୫୦ତମ ବାର୍ଷିକ ଉତ୍ସବ ତଥା ସୁବର୍ଣ୍ଣଜୟନ୍ତୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି । ହୋଟେଲ୍ ଓ ପର୍ଯ୍ୟଟନ ଶିଳ୍ପ ସହିତ ଜଡ଼ିତ ଜାତୀୟ ସ୍ତରର ଏହା ଏକ ବୃହତ୍ ତଥା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ସାରା ଦେଶରୁ ହୋଟେଲ୍ ଶିଳ୍ପ ସହିତ ଜଡ଼ିତ ୧୨୦୦ ପ୍ରତିନିଧି ଏଥିରେ ଯୋଗ ଦେବେ । ତିନିଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ୧.୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ତାଜ୍, ଓବରୟ ଭଳି ନାମୀଦାମୀ ଗ୍ରୁପ୍ର ପ୍ରତିନିଧି ଯୋଗ ଦେବାକୁ ଯାଉଛନ୍ତି । ଏହି ସମ୍ମିଳନୀରେ ଓଡ଼ିଶାରେ ଐତିହ୍ୟକୁ ଗୁରୁତ୍ୱ ଦେଇ ହୋଟେଲ୍ ଓ ପର୍ଯ୍ୟଟନର ବିକାଶ କରାଯିବ ବୋଲି ଜଣାପଡ଼ିଛି । ମାତ୍ର ଓଡ଼ିଶାର ଐତିହ୍ୟକୁ ପଶ୍ଚିମ ବଙ୍ଗ ଅପହରଣ କରିବାକୁ ବସିଲାଣି, ଏ ସମ୍ପର୍କରେ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଖବର ନାହିଁ । କାରଣ ପଶ୍ଚିମ ବଙ୍ଗ ପର୍ଯ୍ୟଟନର ଲୋଗୋରେ ନୌବାଣିଜ୍ୟ ସ୍ଥାନ ପାଇଛି । ନୌବାଣିଜ୍ୟ ସହିତ ପଶ୍ଚିମବଙ୍ଗର କୌଣସି ସମ୍ପର୍କ ନଥିଲା ବେଳେ ଓଡ଼ିଶାର ଗଭୀର ସମ୍ପର୍କ ରହିଛି । ସମଗ୍ର ପୂର୍ବ ଭାରତରେ ବର୍ତ୍ତମାନର ଓଡ଼ିଶା ତଥା ଅତୀତର କଳିଙ୍ଗ ନୌବାଣିଜ୍ୟର ଏକମାତ୍ର କେନ୍ଦ୍ର ଥିଲା ବୋଲି ଗବେଷକଙ୍କ ମତ । ମାତ୍ର ପଶ୍ଚିମ ବଙ୍ଗର ନୌବାଣିଜ୍ୟ ସହିତ କୌଣସି ସମ୍ପର୍କ ନଥିଲା ବେଳେ ଏହାର ପର୍ଯ୍ୟଟନ ବିଭାଗର ଲୋଗୋରେ ନୌବାଣିଜ୍ୟକୁ ସ୍ଥାନ ଦେବା କେବଳ ଓଡ଼ିଶାର ଅତୀତ ସମ୍ପର୍କରେ ଦେଶ ବିଦେଶରେ ବିଭ୍ରାନ୍ତି ସୃଷ୍ଟି କରିବା ଉଦ୍ଧେଶ୍ୟ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ସମଗ୍ର ଭାରତ ବର୍ଷରେ ଅତୀତର କଳିଙ୍ଗ ତଥା ବର୍ତ୍ତମାନର ଓଡ଼ିଶା ନୌବାଣିଜ୍ୟ ପାଇଁ ପ୍ରସିଦ୍ଧ । ଭାରତର ଅନ୍ୟ କୌଣସି ରାଜ୍ୟର ନୌବାଣିଜ୍ୟ ପରମ୍ପରା ଓଡ଼ିଶା ଭଳି ଏତେ ସମୃଦ୍ଧ ନୁହେଁ । ପୂର୍ବ ଭାରତରେ କେବଳ ଓଡ଼ିଶା ହିଁ ନୌବାଣିଜ୍ୟ କ୍ଷେତ୍ରରେ ସମୁଦ୍ର ପାରି ହୋଇ ଅନ୍ୟ ମହାଦେଶଗୁଡ଼ିକ ସହିତ ବ୍ୟାବସାୟିକ ସମ୍ପର୍କ ସ୍ଥାପନ କରିଥିଲା । ଯାହାକି ଓଡ଼ିଶାର ବିଭିନ୍ନ ମନ୍ଦିର ଗାତ୍ରରେ ଖୋଦିତ ବୋଇତ ଓ ଅନ୍ୟାନ୍ୟ ଚିତ୍ରରୁ ସୁସ୍ପଷ୍ଟ । ଐତିହାସିକଙ୍କ ମତରେ ଭାରତର ଏକମାତ୍ର ରାଜ୍ୟ ରୂପେ କଳିଙ୍ଗ ସମଗ୍ର ଦକ୍ଷିଣ ଏସିଆର ଦେଶ ସମୂହ ସହିତ ବାଣିଜି୍ୟକ ସମ୍ପର୍କ ସୁଦୃଢ଼ କରିଥିଲା । ଏପରିକି ଲାଟିନ୍ ଆମେରିକା ଓ ଆଫ୍ରିକା ସହିତ ଓଡ଼ିଶାର ବାଣିଜି୍ୟକ ସମ୍ପର୍କ ଥିଲା ବୋଲି ଐତିହାସିକଙ୍କ ମତ । ମାତ୍ର ଓଡ଼ିଶାର ଏହି ମହାନ ପରମ୍ପରାକୁ ଅପହରଣ କରିବାକୁ ଉଦ୍ୟମ କରୁଛି ପଶ୍ଚିମବଙ୍ଗ । ଦେଶର ବିଭିନ୍ନ ଜାତୀୟ ଟିଭି ଚ୍ୟାନେଲ୍ରେ ପଶ୍ଚିମ ବଙ୍ଗ ପର୍ଯ୍ୟଟନର ପ୍ରଚାର ପାଇଁ ବେଙ୍ଗଲ ଟୁରିଜିମ୍ ତରଫରୁ ପ୍ରସ୍ତୁତ ଲୋଗୋରେ ନୌବାଣିଜ୍ୟକୁ ପ୍ରାଧାନ୍ୟ ଦିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ଇତିହାସରେ ପଶ୍ଚିମ ବଙ୍ଗର ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ । ଅନ୍ୟପକ୍ଷରେ ଓଡ଼ିଶାର ନୌବାଣିଜ୍ୟର ସନ୍ତକ ସ୍ୱରୂପ ଏବେ ବି କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସମଗ୍ର ଓଡ଼ିଶାରେ ବାଲିଯାତ୍ରା ଓ ଡଙ୍ଗାଭସା ପରମ୍ପରା ପାଳିତ ହୋଇଆସୁଛି । ପ୍ରଥମେ ଜୟଦେବ ଓ ପରେ ରସଗୋଲାକୁ ଅପହରଣ ପରେ ଏବେ ପଶ୍ଚିମବଙ୍ଗର ଲୋଲୁପ ଦୃଷ୍ଟି ଓଡ଼ିଶାର ନୌବାଣିଜ୍ୟ ଉପରେ ପଡ଼ିଛି । ରସଗୋଲା ପାଇଁ ସରକାର ଯେପରି ଅଣ୍ଟା ଭିଡ଼ିଛନ୍ତି, ସେହିପରି ପଶ୍ଚିମ ବଙ୍ଗର ଲୋଗୋରୁ ନୌବାଣିଜ୍ୟକୁ ବାଦ୍ ଦେବାକୁ ଚାପ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଆଗକୁ ବାହାରିବା ଉଚିତ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।
ବିଜେବି କଲେଜର ଇତିହାସ ବିଭାଗର ରିଡର୍ ଡ. ସନ୍ଧ୍ୟାରାଣୀ ପଟ୍ଟନାୟକ କହନ୍ତି, ପଶ୍ଚିମବଙ୍ଗର ନୌବାଣିଜ୍ୟର ପରମ୍ପରା ନାହିଁ । ଭାରତୀୟ ଇତିହାସରେ ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ ଅଛି । ମାତ୍ର ଆଜିକାଲି ପ୍ରଚାର ପ୍ରସାର ଯୁଗ । ନିଜ ଢ଼ୋଲ ନିଜେ ପିଟି ପାରିଲେ ଅନ୍ୟମାନେ ଚିହ୍ନିବେ । ସେମତି ପଶ୍ଚିମବଙ୍ଗ ନୌବାଣିଜ୍ୟକୁ ତା’ର ପର୍ଯ୍ୟଟନ ବିଜ୍ଞାପନରେ ଲୋଗୋ ଭାବେ ବ୍ୟବହାର କରି ପୂର୍ବ ଭାରତରେ ସେ ଯେ କେବଳ ନୌବାଣିଜ୍ୟ ପରମ୍ପରାର ଉତ୍ତରାଧିକାରୀ, ତାହା ଦର୍ଶାଇବାକୁ ଚାହୁଛି । ରାଜ୍ୟ ସରକାର ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ପ୍ରଚାର ଓ ପ୍ରସାର ପାଇଁ ଅଧିକ ଉଦ୍ୟମ କରିବା ଆବଶ୍ୟକ । ରାଜ୍ୟ ପର୍ଯ୍ୟଟନର ବିକାଶ ପାଇଁ ଆମେ ମଧ୍ୟ ଜାତୀୟ ସ୍ତରରେ ନିଜକୁ ବିଜ୍ଞାପିତ କରିବାର ବେଳ ଆସିଛି । ବିଭିନ୍ନ ଜାତୀୟ ଟିଭି ଚ୍ୟାନେଲ୍ରେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ନିଜର ସୁନ୍ଦର ବିଜ୍ଞାପନ ପ୍ରସାରିତ କରୁଥିଲା ବେଳେ ଓଡ଼ିଶା ଟୁରିଜିମ୍ର କୌଣସି ବିଜ୍ଞାପନ ପ୍ରସାରିତ ନହେବା ଦୁଃଖଦାୟକ ବୋଲି ଡ. ପଟ୍ଟନାୟକ କହିଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ବେଶ୍ ସମୃଦ୍ଧଶାଳୀ ହୋଇଥିଲେ ମଧ୍ୟ ପ୍ରଚାର ଓ ପ୍ରସାରର ଅଭାବ ରହୁଥିବାରୁ ରାଜ୍ୟରେ ପର୍ଯ୍ୟଟନର ଆଖିଦୃଶିଆ ବିକାଶ ହୋଇପାରୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

ସେଆର କରନ୍ତୁ:



Powered by odothemes.com