ଶବ୍ଦ ପ୍ରଦୂଷଣ ନିୟମ ଖିଲାପ କଲେ ଲାଇସେନ୍ସ ରଦ୍ଧ: ଡିସିପି

27

ବ୍ୟାଣ୍ଡପାର୍ଟି ଓ ମେଲୋଡ଼ି ଗ୍ରୁପ୍କୁ ପୁଲିସ୍ର ତାଗିଦ୍
କଟକ (ବୁ୍ୟରୋ): ଗଣେଶପୂଜା ଠାରୁ କଟକ ସହର ଚଳଚଞ୍ଚଳ ହୋଇଉଠିବ । କମିଶନରେଟ୍ ପୁଲିସ୍ ଶବ୍ଦ ପ୍ରଦୂଷଣ ନିୟମ ଖିଲାପକାରୀଙ୍କୁ ଲଗାମ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଧେଶ ଅନୁସାରେ ୬୫ ଡେସିବଲରୁ ଅଧିକ ଶବ୍ଦ ଉପିନ୍ନ କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋମବାର କଟକ ଡିସିପି ସଞ୍ଜୀବ ଆରୋରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିସହ ରାତି ୧୦ଟା ପରେ କୌଣସି ପ୍ରକାର ଡାକବାଜି ଯନ୍ତ୍ର ବ୍ୟବହାର ହୋଇପାରିବ ନାହିଁ କି ଭସାଣ ଶୋଭାଯାତ୍ରାରେ ଲାଇସେନ୍ସପ୍ରାପ୍ତ ବ୍ୟାଣ୍ଡପାର୍ଟିଗୁଡିକ ଗୋଟିଏ ଟ୍ରଲିରେ ୬ଟି ସାଉଣ୍ଡ୍ ବକ୍ସରୁ ଅଧିକ ନେଇପାରିବେ ନାହିଁ । ଆଇନର ଖିଲାପ କଲେ ସମ୍ପୃକ୍ତ ବ୍ୟାଣ୍ଡପାର୍ଟି ଅଥବା ମେଲୋଡି ଗ୍ରୁପ୍ର ଲାଇସେନ୍ସକୁ ବାତିଲ କରାଯିବ ବୋଲି ଶ୍ରୀ ଆରୋରା କହିଛନ୍ତି । ଗତବର୍ଷ କଟକ ସହରରେ ଶହେରୁ ଊଦ୍ଧ୍ୱର୍ ବ୍ୟାଣ୍ଡପାର୍ଟି ଓ ମେଲୋଡି ଗ୍ରୁପ୍ ନିୟମ ଉଲ୍ଲଙ୍ଘନ କରି ଜରିମାନା ଗଣିଥିବା ବେଳେ ତିନୋଟି ବ୍ୟାଣ୍ଡପାର୍ଟିର ଲାଇସେନ୍ସ ବାତିଲ କରାଯାଇଥିଲା । ଚଳିତଥର ଏହାର ପୁନରାବୃତ୍ତି ଘଟିଲେ ଲାଇସେନ୍ସକୁ ସମ୍ପୂର୍ଣ୍ଣ ରଦ୍ଧ କରାଯିବା ସହ କୌଣସି କାର୍ଯ୍ୟକ୍ରମ ପାଇଁ ସମ୍ପୃକ୍ତ ବ୍ୟାଣ୍ଡପାର୍ଟିକୁ ଅନୁମତି ପ୍ରଦାନ କରାଯିବ ନାହିଁଁ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି । କଟକ ଜିଲ୍ଲାରେ ୪୬୪ଟି ବ୍ୟାଣ୍ଡପାର୍ଟି ଓ ମେଲୋଡି ଗ୍ରୁପ୍ ପଞ୍ଜୀକୃତ ହୋଇଥିବା ଜଣାଯାଇଛି । ଆସନ୍ତା ଗଣେଶ ଓ ଦୁର୍ଗା ପୂଜା ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ ଲାଗି କମିଶନରେଟ୍ ପୁଲିସ୍କୁ ଆବେଦନ କଲା ପରେ ଏମାନଙ୍କ ସାଉଣ୍ଡ୍ ଲିମିଟର୍କୁ ଯାଞ୍ଚ କରାଯାଇ ଅନୁମତି ପ୍ରଦାନ କରାଯିବାକୁ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ଏହି ମର୍ମରେ କଟକ କମିଶନରେଟ୍ ପୁଲିସ୍ ସହ ବ୍ୟାଣ୍ଡପାର୍ଟି ଓ ମେଲୋଡି ସଂଘର କର୍ମକର୍ତ୍ତାମାନଙ୍କର ଆଲୋଚନା ପରେ ନିୟମକାନୁନ ସମ୍ପର୍କରେ ଅବଗତ କରାଯାଇଥିଲା ।




Powered by odothemes.com