ମେଡିକାଲ କଲେଜରେ ଭଙ୍ଗାରୁଜା

31

କନ୍ଷ୍ଟେବଲଙ୍କ ମୃତୁ୍ୟରୁ ଉତ୍ତେଜନା
ବ୍ରହ୍ମପୁର,୧୨ା୯(ବୁ୍ୟରୋ): ବ୍ରହ୍ମପୁର ବଡଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କନ୍ଷ୍ଟେବଲ୍ ଗୌତମ ଗୌଡ (୨୫)ଙ୍କ ମୃତୁ୍ୟ ହେବା ପରେ ପରିବାରବର୍ଗ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଥିଲେ । ଏହାକୁ କେନ୍ଦ୍ର କରି ମୃତ ଗୌତମଙ୍କ ସମ୍ପର୍କୀୟ ଓ ସମର୍ଥକମାନେ ମେଡିକାଲ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ବୈଦ୍ୟନାଥପୁର ଥାନା ଆଇଆଇସି ଅଜୟ ମିଶ୍ର, ବ୍ରହ୍ମପୁର ଏସ୍ଡିପିଓ ଠାକୁର ପ୍ରସାଦ ପାତ୍ର ଉତ୍ତ୍ୟକ୍ତ ଲୋକଙ୍କୁ କ୍ଷାନ୍ତ କରିବାରେ ଅସମର୍ଥ ହେବାରୁ ଏସ୍ପି ଡା. ସାର୍ଥକ ଷଡଙ୍ଗୀ, ଅତିରିକ୍ତ ଏସ୍ପି ଶଶିଭୂଷଣ ଶତପଥୀ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଘଟଣାସ୍ଥଳରେ ୧ ପ୍ଲାଟୁନ୍ ଫୋର୍ସ ସହ ପହଞ୍ଚିଥିଲେ । ଘଟଣାର ନିରପେକ୍ଷ ତଦନ୍ତ ଓ ଗୌତମଙ୍କ ଭାଇ ଉତ୍ତମକୁ ହୋମ୍ ଗାର୍ଡ ଚାକିରି ଦିଆଯିବ ବୋଲି ବ୍ରହ୍ମପୁର ଏସ୍ପି ପ୍ରତିଶ୍ରୁତି ଦେବା ପରେ ଉତ୍ତ୍ୟକ୍ତ ଲୋକେ କ୍ଷାନ୍ତ ହୋଇଥିଲେ । ଏଥି ସହ ଗୌତମଙ୍କୁ ମିଳିବାକୁ ଥିବା ସମସ୍ତ ସରକାରୀ ଅର୍ଥ ପ୍ରଦାନ କରାଯିବ ବୋଲି ଏସ୍ପି କହିଥିଲେ । ଗୌତମଙ୍କ ଶେଷକୃତ୍ୟ ପାଇଁ ଉପଜିଲ୍ଲାପାଳ ୧୦ହଜାର ଟଙ୍କା ଏବଂ ଏସ୍ପି ୫ହଜାର ଟଙ୍କା ଦେଇଥିଲେ । ଏହାପରେ ପରିବାରବର୍ଗ ହସ୍ପିଟାଲରୁ ଶବ ଧରି ଫେରିଥିଲେ ।
ବ୍ରହ୍ମପୁର ପୁଲିସ୍ରେ କାର୍ଯ୍ୟରତ ହିଞ୍ଜିଳିକାଟୁର ଗୌତମ ଗୌଡ ପ୍ରତିଦିନ ଭଳି ଆଜି ଡୁ୍ୟଟି ପରେ ବାଇକ୍ରେ ଫେରୁଥିବାବେଳେ ରତନପୁର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ମିନିଟ୍ରକ୍ (ନଂ-ଓଆର୍୦୭ଜି-୬୯୨୨) ତାଙ୍କୁ ଧକ୍କା ଦେଇଥିଲା । ଗୌତମ ରାସ୍ତା କଡକୁ ଛିଟିକି ପଡିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ବାଇକ୍ରେ ଥିବା ତାଙ୍କ ସହଯୋଗୀ ଗୌତମକୁ ଉଦ୍ଧାର କରି ଏମ୍କେସିଜି ମେଡିକାଲ କଲେଜକୁ ନେଇଥିଲେ । ଗୌତମ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଛାତ୍ରସଂସଦ ସଭାପତି ହୋଇଥିବାରୁ ଦୁର୍ଘଟଣା ଖବର ପାଇଁ ବହୁ ଛାତ୍ର ହଷ୍ଟେଲ୍ରେ ପହଞ୍ଚିଥିଲେ । ଡାକ୍ତରଙ୍କ ଅବହେଳାରୁ ତାଙ୍କ ମୃତୁ୍ୟ ଘଟିଥିବା ପରିବାରବର୍ଗ ଅଭିଯୋଗ କରିବା ପରେ ଗୌତମଙ୍କ ସମର୍ଥକମାନେ ଉଗ୍ରରୂପ ଧାରଣ କରିଥିଲେ । ଉତ୍ତ୍ୟକ୍ତ ଲୋକେ ନବନିର୍ମିତ କୋଠାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ ।




Powered by odothemes.com