ଡାକ୍ତର ଅଛନ୍ତି, ଫାର୍ମାସିଷ୍ଟ୍ ରୋଗୀ ଦେଖୁଛନ୍ତି

28

ଜଗନ୍ନାଥପ୍ରସାଦ (ଆପ୍ର): ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ଦୀର୍ଘ ଦିନ ଧରି ଅବ୍ୟବସ୍ଥା ଦେଇ ଗତି କରୁଛି । ଫଳରେ ଦିନକୁଦିନ ଲୋକେ ଏହା ଉପରେ ଆସ୍ଥା ହରାଉଥିବା ଦେଖାଯାଇଛି । ତିନିଜଣ ଡାକ୍ତର ଥାଇ ମଧ୍ୟ ଚିକିସିା କରିବାକୁ କେହି ନଥିବା ଅଭିଯୋଗ ହେବା ସହ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଅପାରଗତା ହିଁ ସବୁ କାରଣର ମୂଳ ବୋଲି ମଧ୍ୟ ଅଭିଯୋଗ ହୋଇଛି । ମିଳିଥିବା ଖବରରୁ ପ୍ରକାଶ ଯେ ଗତ ଗୁରୁବାର ଅପରାହ୍ନ ୪ଟାରେ ୩୦ରୁ ଉଦ୍ଧ୍ୱର୍ ରୋଗୀ ଡାକ୍ତରଖାନାର ବର୍ହିବିଭାଗରେ ଡାକ୍ତରଙ୍କୁ ଅପେକ୍ଷା କରିଥିବା ବେଳେ ସେଠାରେ ଡାକ୍ତର ଉପସ୍ଥିତ ନଥିବା ଜଣାପଡ଼ିଛି । ସକାଳ ୮ରୁ ୧୨ ଓ ଦିନ ୩ରୁ ୫ ପର୍ଯ୍ୟନ୍ତ ବର୍ହିବିଭାଗରେ ଚିକିସିା କରିବା ପାଇଁ ନିର୍ଦ୍ଧେଶ ଥିବା ଓ ସେ ସମ୍ପର୍କରେ ଏଠାରେ ସୂଚନା ଫଳକରେ ଉଲ୍ଲେଖ ଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ହେଉଥିବା ଦେଖାଯାଇଛି । ଏ ନେଇ ରୋଗୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ସେଠାରେ ଉପସ୍ଥିତ ଥିବା ଫାର୍ମାସିଷ୍ଟ ଅଶୋକ ପାତ୍ରଙ୍କୁ ପଚରାଯିବାରୁ ଡାକ୍ତର ବୈଠକରେ ଥିବା କହିଥିଲେ । ତେବେ ବୈଠକ ଗୃହରେ ଯାଇ ଦେଖିଲା ବେଳକୁ ଡାକ୍ତର ନଥିଲେ ବରଂ ଥିଲେ ତାଙ୍କ କ୍ୱାଟର୍ସରେ । ଫଳରେ ବାଧ୍ୟ ହୋଇ ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟମାନେ ଫାର୍ମାସିଷ୍ଟଙ୍କୁ ନିଜ ସ୍ୱାସ୍ଥ୍ୟ ଦେଖାଇ ଫେରିଥିଲେ । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଏହା ନିତିଦିନିଆ ଘଟଣା ହୋଇଥିଲେ ମଧ୍ୟ ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷମାନେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏଠାରେ ତିନିଜଣ ଡାକ୍ତର ଥିଲେ ମଧ୍ୟ ଡାକ୍ତର ମରୁଡ଼ି ହୋଇଛି । ପାଳି କରି ଜଣକ ପରେ ଜଣେ ଡାକ୍ତର ଛୁଟିରେ ରହୁଥିବା ଦେଖିବାକୁ ମିଳିଛି । ପ୍ରକାଶଯୋଗ୍ୟ ଯେ ବ୍ଳକ୍ରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚାରୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି । ମାତ୍ର ସେଗୁଡ଼ିକର ଅବସ୍ଥା ଭଲନାହିଁ । ଅଳସୁ ସ୍ୱାସ୍ଥ୍ୟ କେନ୍ଦ୍ର ୬ ମାସ ଧରି ବନ୍ଦ ପଡ଼ିଥିବା ବେଳେ ଛାମୁଣ୍ଡା ଓ ତାରସିଂ ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ ଡ଼ାକ୍ତରଙ୍କ ଦ୍ୱାରା ପରିଚାଳନା କରାଯାଉଛି । ଗତ ମାର୍ଚ୍ଚ ମାସରୁ ଡାକ୍ତରଖାନାର ଅନ୍ତଃବିଭାଗ ରୋଗୀଙ୍କୁ ଖାଦ୍ୟ ଯୋଗାଣ ବନ୍ଦ ରହିଛି । ଏ ନେଇ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ମଧ୍ୟ ନିଜ ଇଛାଶକ୍ତି ଦେଖାଉ ନଥିବା ଅଭିଯୋଗ ହେବା ସହ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଏଠାରେ କେବଳ କାଗଜପତ୍ରରେ ସୀମିତ ଥିବା ଅଭିଯୋଗ ହୋଇଛି । ମେଡିକାଲ ଅଧିକାରୀ ଜଣକ ନୀରବଦ୍ରଷ୍ଟା ସାଜୁଥିବାରୁ ଏଠାକାର କର୍ମଚାରୀମାନେ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କ ଅପାରଗତାରୁ ଏହି ସବୁ ସମସ୍ୟା ଉପୁଜୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । କୌଣସି ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ସମସ୍ୟା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।




Powered by odothemes.com