୮୩ ହଜାର କୋଟି ଟପିଲା ଟିକସ ଆଦାୟ

8

ଭୁବନେଶ୍ୱର, ୧୬ା୩(ତଥ୍ୟ): ଚଳିତବର୍ଷ ଫେବୃୟାରୀ ଶେଷସୁଦ୍ଧା ରାଜ୍ୟ ସରକାର ୮୩ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ୱ ସଂଗ୍ରହ କରିଛନ୍ତି । ଫେବୃୟାରୀ ୨୮ତାରିଖର ବଜେଟ୍‌ ଆକଳନର ଏହା ୭୧ ପ୍ରତିଶତରୁ ଅଧିକ ।
ରାଜସ୍ୱ ସଂଗ୍ରହ ନେଇ ହୋଇଥିବା ସର୍ବଶେଷ ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟ ସରକାର ୧,୦୦,୨୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ଲାଗି ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ଫେବୃୟାରୀ ଶେଷସୁଦ୍ଧା ୮୩,୨୨୧ କୋଟି ଆଦାୟ କରିଛନ୍ତି । ଆଦାୟ ହୋଇଥିବା ରାଜସ୍ୱ ମଧ୍ୟରେ ନିଜସ୍ୱ ଟିକସ, ଅଣ ଟିକସ, କେନ୍ଦ୍ରୀୟ ଅଂଶଧନ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ଅନୁଦାନ ଆଦି ରହିଛି । ନିଜସ୍ୱ ଟିକସ ବାବଦରେ ରାଜ୍ୟ ସରକାର ୨୫,୩୩୬ କୋଟି ୮୦ ଲକ୍ଷ ଟଙ୍କା ଆଦାୟ କରିଥିବାବେଳେ ଚଳିତ ଆର୍ଥôକ ବର୍ଷରେ ଏଥିପାଇଁ ୨୯,୫୦୦କୋଟି ଟଙ୍କାର ଲକ୍ଷ୍ୟ ରହିଛି । ଯଦିଓ ଟିକସ ଆଦାୟ କ୍ଷେତ୍ରରେ ଜିଏସ୍‌ଟିର ପ୍ରଭାବ ରହିଛି କିନ୍ତୁ ଗତ ଆର୍ଥôକବର୍ଷ ତୁଳନାରେ ଏହା ବଢିଥିବା ଅଧିକାରୀମାନେ କହିଛନ୍ତି । ଅବକାରୀ କ୍ଷେତ୍ରରୁ ନିଜସ୍ୱ ଟିକଟ ବାବଦରେ ୩୩୧୯ କୋଟି ୬୮ଲକ୍ଷ ଟଙ୍କା ଆଦାୟ ହୋଇଛି ଯାହାକି ଗତବର୍ଷ ତୁଳନାରେ ୨୪ ପ୍ରତିଶତ ଅଧିକ । ଚଳିତ ଆର୍ଥôକ ବର୍ଷରେ ଅବକାରୀ ରାଜସ୍ୱ ୪୦୦୦ କୋଟି ଟଙ୍କା ଆଦାୟପାଇଁ ଲକ୍ଷ୍ୟ ରହିଛି ।
ବିକ୍ରିକର ଟିକସ ଆଦାୟ ହ୍ରାସ ପାଇ ଫେବୃୟାରୀ ଶେଷସୁଦ୍ଧା ୧୬,୬୦୪ କୋଟି ୩୮ଲକ୍ଷ ଟଙ୍କା ହୋଇଛି ଅନ୍ୟ ପକ୍ଷରେ ଜିଏସ୍‌ଟି ଆଦାୟ ୬୫୯୪ କୋଟି ୪୩ଲକ୍ଷ ଟଙ୍କାରେ ପହଞ୍ଚିଛି । ମୋଟରଯାନ ଟିକସ ଆଦାୟ ପରିମାଣ ୧୫୧୯ କୋଟି ୪୪ଲକ୍ଷ ଟଙ୍କା ହୋଇଛି । ଗତ ଆର୍ଥôକ ବର୍ଷରେ ଫେବୃୟାରୀ ଶେଷସୁଦ୍ଧା ଏହା ୧୨୪୪କୋଟି ୪୩ଲକ୍ଷ ଟଙ୍କା ଥିଲା ।
ଅଣଟିକସ ରାଜସ୍ୱ ଆଦାୟ ୧୧,୬୩୪ କୋଟି ୬୮ଲକ୍ଷ ଟଙ୍କା ଛୁଇଁଛି । ଗତ ଆର୍ଥôକ ବର୍ଷରେ ଏହା ଢେର କମ୍‌ ଥିବାବେଳେ ଚଳିତବର୍ଷ ଖଣି ରାଜସ୍ୱ ଆଦାୟ ଯୋଗୁଁ ଏହା ବୃଦ୍ଧି ପାଇଛି । ୨୦୧୮-୧୯ ଆର୍ଥôକ ବର୍ଷରେ ଅଣଟିକସ ରାଜସ୍ୱ ଲକ୍ଷ୍ୟ ୧୦,୩୫୦କୋଟି ଟଙ୍କା ଥିବାବେଳେ ଫେବୃୟାରୀ ଶେଷସୁଦ୍ଧା ଏହା ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରିଯାଇଛି । ଫେବୃୟାରୀ ଶେଷସୁଦ୍ଧା ଖଣିଜ କ୍ଷେତ୍ରରୁ ୬୭୭୯ କୋଟି ୪୪ ଲକ୍ଷ ଟଙ୍କା ଆଦାୟ ହୋଇଥିବାବେଳେ ଗତବର୍ଷ ଏହି ସମୟରେ ଖଣି ରାଜସ୍ୱ ପରିମାଣ ଥିଲା ୪୮୬୪ କୋଟି ୨୪ଲକ୍ଷ ଟଙ୍କା । ଗତ ଆର୍ଥôକବର୍ଷ ତୁଳନାରେ ଖଣି ରାଜସ୍ୱ ଅଭିବୃଦ୍ଧି ୭୪ ପ୍ରତିଶତ ହୋଇଛି ।
ରାଜ୍ୟ ସରକାର ବଭିନ୍ନ ସରକାରୀ ଉଦ୍ୟୋଗରୁ ଲାଭାଂଶ ବାବଦରେ ୫୪୨ କୋଟି ୯୦ ଲକ୍ଷ ଟଙ୍କା ପାଇଛନ୍ତି । ଓଏମ୍‌ସି, ଓପିଟିସିଏଲ୍‌, ଓଏଫ୍‌ଡିସି ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ରାଷ୍ଟ୍ରାୟତ୍ତ ସଂସ୍ଥାରୁ ବିପୁଳ ପରିମାଣର ଅର୍ଥ ମିଳିଛି । ଚଳିତ ଆର୍ଥôକ ବର୍ଷରେ ଏଥିପାଇଁ ୬୦୦ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଗତବର୍ଷ ଫେବୃୟାରୀ ସୁଦ୍ଧା ରାଜ୍ୟ ସରକାର ଏହି କ୍ଷେତ୍ରରୁ ମାତ୍ର ୩୮କୋଟି ୯୩ଲକ୍ଷ ଟଙ୍କା ପାଇଥିଲେ । ସେହିଭଳି କେନ୍ଦ୍ରୀୟ ଟିକସରୁ ରାଜ୍ୟ ସରକାର ୨୭,୭୦୧ କୋଟି ୯ଲକ୍ଷ ଟଙ୍କା ପାଇଛନ୍ତି ଯାହାକି ଗତବର୍ଷ ୨୩,୮୩୨କୋଟି ୯୦ ଲକ୍ଷ ଟଙ୍କା ଥିଲା । ଅନୁରୂପ ଭାବେ କେନ୍ଦ୍ରୀୟ ଅନୁଦାନ ବାବଦରେ ଫେବୃୟାରୀ ଶେଷସୁଦ୍ଧା ରାଜ୍ୟକୁ ୧୮,୨୩୯କୋଟି ୪୯ ଲକ୍ଷ ଟଙ୍କା ମିଳିଥିବାବେଳେ ଗତ ଆର୍ଥôକବର୍ଷରେ ଏହି ସମୟ ସୁଦ୍ଧା ମିଳିଥିଲା ୧୫,୬୩୪କୋଟି ୯୭ଲକ୍ଷ ଟଙ୍କା । ସମୁଦାୟ ରାଜସ୍ୱ ଆଦାୟକୁ ଦେଖିବାପରେ ବଜେଟ୍‌ ଆକଳନର ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ଅଧିକାରୀମାନେ ଆଶାବାଦୀ ଅଛନ୍ତି ।

ସେଆର କରନ୍ତୁ:



Powered by odothemes.com