592048-poultry-farm-071217

୫ କୋଟି ବିନିମୟରେ ନୂଆ ଫାର୍ମ ନିର୍ମାଣ

53

ସହରରୁ ହଟିବ କୁକୁଡ଼ା ଫାର୍ମ
ଅନୁଗୁଳ(ଆପ୍ର): ଦିନ ଥିଲା ଅନୁଗୁଳ ସରକାରୀ କୁକୁଡ଼ା ଫାର୍ମ ରାଜ୍ୟରେ ଭଲ ନାଁ କରିଥିଲା । ବିସ୍ତୀର୍ଣ୍ଣ ଫାର୍ମ ପରିସର ସାଙ୍ଗକୁ କୁକୁଡ଼ା ଗବେଷଣାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । କିନ୍ତୁ ପରିବର୍ତ୍ତିତ ସମୟ ଫାର୍ମର ଗାରିମାକୁ ହଜାଇ ଦେଇଥିବା ବେଳେ ବର୍ତ୍ତମାନ ପରିସ୍ଥିତି ଏହାର ଠିକଣାକୁ ବଦଳାଇ ଦେବାକୁ ବସିଛି । ସହର ଭିତରୁ କୁକୁଡ଼ା ଫାର୍ମ ହଟାଇବାକୁ ଲୋକଙ୍କ ବାରମ୍ବାର ଦାବି ଓ ଆନେ୍ଦାଳନ ପରେ ଏହାର ସ୍ଥାନ ପରିବର୍ତ୍ତନ ପାଇଁ ସରକାରୀସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ସହର ଭିତରୁ ଏହାକୁ ଉଠାଇ ନେଇ ପଞ୍ଚ ମହଲାର ୨୦ ଏକର ଜମିରେ ନୂଆ କୁକୁଡ଼ା ଫାର୍ମ କରିବା ପାଇଁ ୫କୋଟି ୩୨ଲକ୍ଷ ୯୫ ହଜାର ଟଙ୍କାର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି । ଅନୁଦାନ ମିଳିଲେ ସହର ଭିତରୁ କୁକୁଡ଼ା ଫାର୍ମକୁ ଉଠାଇ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଅଧିକାରୀ ସି.ଆର୍ ଆଚାର୍ଯ୍ୟ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଅନୁଗୋଳର ଏ କୁକୁଡ଼ା ଫାର୍ମ ୭୬ ବର୍ଷର ହୋଇଥିବା ବେଳେ ୧୯୪୨ରେ ସ୍ଥାପିତ ହୋଇଥିଲା । ରାଜ୍ୟର କେନ୍ଦ୍ରସ୍ଥଳୀ ଅନୁଗୁଳକୁ ଚୟନ କରି ସେତେବେଳର ବ୍ରିଟିଶ ସରକାର ଗଢ଼ିଥିଲେ । ପରବର୍ତ୍ତୀ ସମୟରେ ଏହି ଭିତ୍ତିଭୂମି ରାଜ୍ୟକୁ ବେଶ୍ ଭଲ ମୁନାଫା ଦେଲା । କୁକୁଡ଼ା ଚାଷ କ୍ଷେତ୍ରରେ ଉପୁଜୁଥିବା ଆହ୍ୱାନକୁ ଗବେଷଣା ଜରିଆରେ ନୂଆ ଦିଶା ଦେଖାଇଥିଲା । କୁକୁଡ଼ା ପାଳନ, ଗବେଷଣା ଏବଂ ଅଣ୍ଡାରୁ ଚିଆଁ ଉତ୍ପାଦନରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲା ଫାର୍ମଟି । ଦୁଃଖର କଥା ଏବେ ଫାର୍ମର ଗରିମା ହଜିବାକୁ ଯାଉଛି । କୁକୁଡ଼ା ଗବେଷଣା କେବେଠୁ ବନ୍ଦ ପଡ଼ିଥିବା ବେଳେ ଗତବର୍ଷ ବାର୍ଡ଼ ଫ୍ଲୁ ପର ଠାରୁ ବନରାଜ କୁକୁଡ଼ା ପାଳନ ବି ବନ୍ଦ ରହିଛି । ଦିନେ ଡ଼େପୁଟି ଡ଼ାଇରେକ୍ଟର ର୍ୟାଙ୍କର ଅଧିକାରୀଙ୍କ ତତ୍ତ୍ୱାବଧାନରେ ଯେଉଁ କୁକୁଡ଼ା ଫାର୍ମ ପରିଚାଳିତ ହେଉଥିଲା, ଏବେ ମାମୁଲି କର୍ମଚାରୀ ଏହାର ପରିଚାଳକ ସାଜିଛନ୍ତି । କେବଳ ଅଣ୍ଡାରୁ ଚିଆଁ ଫୁଟାଇବାରେ ଏତେ ବଡ଼ ଫାର୍ମ ବର୍ତ୍ତମାନ ସୀମିତ । ଜ୍ଞାନକୌଶଳ ଯୁଗରେ ବି୍ରଟିଶ ଅମଳର ଏହି କୁକୁଡ଼ା ଫାର୍ମ ଆଜି ପଛୁଆ ହୋଇଯାଇଥିବା ବେଳେ ସହରୀ ଜୀବନ ଜୀବିକା ପାଇଁ ମଧ୍ୟ କଣ୍ଟା ଭାବେ ଉଭା ହୋଇଛି । ସହରର ଗହଳି ଭିତରୁ ଏହାକୁ ବାହାରକୁ ସ୍ଥାନାନ୍ତର ପାଇଁ ଅତୀତରେ ଅନେକ ଥର ଦାବି ଆପତ୍ତି ହୋଇଥିଲା । ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ଏହାକୁ ପ୍ରସଙ୍ଗ କରି ବନ୍ଦ ପାଳନ କରିଥିଲା । ତେଣୁ ଜିଲ୍ଲାପାଳ ଏହାକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପଶୁ ସମ୍ପଦ ବିଭାଗ ସରକାରଙ୍କୁ ୫କୋଟି ୩୨ ଲକ୍ଷ ୯୫ ହଜାର ଟଙ୍କାର ନୂଆ କୁକୁଡ଼ା ଫାର୍ମ ପ୍ରସ୍ତାବ ଦେଇଛି ।

ସେଆର କରନ୍ତୁ:



Powered by odothemes.com