୪ଟଙ୍କାରେ ମଧ୍ୟାହ୍ନ ଭୋଜନ କେମିତି?

95

ଭୁବନେଶ୍ୱର, ୪ା୮(ତଥ୍ୟ): ଡାଲି, ତେଲ ସହିତ ପିଆଜ ଓ ପନିପରିବାର ଆକାଶଛୁଅାଁ ଦରବୃଦ୍ଧିର ପ୍ରଭାବ ଏବେ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଉପରେ ପଡ଼ିଛି । ସରକାର ଯୋଗାଉଥିବା ସୀମିତ ଅର୍ଥରେ ପିଲାଙ୍କୁ କିଭଳି ଖାଦ୍ୟ ଦିଆଯିବ ସେଥିନେଇ ରୋଷେଇ ଦାୟିତ୍ୱରେ ଥିବା ସ୍ୱେଚ୍ଛାସେବୀ ସଂସ୍ଥା ଓ ଶିକ୍ଷକମାନେ ଚିନ୍ତାରେ ପଡ଼ିଛନ୍ତି । ସରକାର ଏବେ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡପିଛା ୪ଟଙ୍କା ୪ପଇସା ଓ ଉଚ୍ଚପ୍ରାଥମିକ ପାଇଁ ୬ଟଙ୍କା ୩ପଇସା ବ୍ୟୟ କରୁଛନ୍ତି । ବଜାରରେ ଏବେ ହରଡ଼ ଡାଲି କିଲୋ ପିଛା ୧୧୦ଟଙ୍କାକୁ ଟପି ଯାଇଥିବା ବେଳେ ସୋରିଷ ତେଲ ଲିଟର ୧୦୦ ଟଙ୍କାରୁ ଅଧିକା ରହିଛି । ପିଆଜ ଦର ପ୍ରତିଦିନ ବଢ଼ିବାରେ ଲାଗିଛି । ଖୋଲା ବଜାରରେ ପିଆଜ କିଲୋ ପିଛା ୪୫ରୁ ୫୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ପଛକୁ ଆଳୁ ଦର ବି ବଢ଼ିବା ଆରମ୍ଭ କରିଛି । ଅନ୍ୟ ସମସ୍ତ ପନିପରିବା ଦର କିଲୋ ପ୍ରତି ପ୍ରାୟ ୪୦ ଟଙ୍କା ରହିଛି । ରାଜ୍ୟ ସରକାର ବର୍ତ୍ତମାନ ରାଜ୍ୟର ୬୨,୬୪୦ଟି ବିଦ୍ୟାଳୟରେ ୫୬ହଜାରରୁ ଉଦ୍ଧ୍ୱର୍ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଉଛନ୍ତି । ଏହି ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ସ୍ୱୟଂସହାୟକ ଗୋଷ୍ଠୀ ଗୁଡ଼ିକ ୧୯,୬୬୧ ସ୍କୁଲରେ, ଅକ୍ଷୟ ପାତ୍ର ଫାଉଣ୍ଡେସନ ୧୮୩୪, ମନ୍ନା ଟ୍ରଷ୍ଟ ୯୩୭ ଓ ସ୍କୁଲ ପରିଚାଳନା କମିଟି ୪୦ ହଜାରରୁ ଅଧିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଗାଣ କରୁଛନ୍ତି । ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବାବଦରେ ମୁଣ୍ଡପିଛା ୪ଟଙ୍କା ୪ପଇସା ଦିଆଯାଉଛି । ଏଥିରେ କେନ୍ଦ୍ର ସରକାରଙ୍କ ଅଂଶ ୨ଟଙ୍କା ୬୯ପଇସା ହୋଇଥିବା ବେଳେ ରାଜ୍ୟ ସରକାର ୯୦ପଇସା ଦେଉଛନ୍ତି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ମୁଣ୍ଡପିଛା ବରାଦ ହୋଇଛି ୬ଟଙ୍କା ୩ପଇସା । ଏଥିରେ କେନ୍ଦ୍ର ସରକାର ୪ଟଙ୍କା ୪ପଇସା ଓ ରାଜ୍ୟ ସରକାର ୧ଟଙ୍କା ୩୪ପଇସା କରି ଦେଉଛନ୍ତି । ବିଦ୍ୟାଳୟଗୁଡ଼ିକରେ ବର୍ଷକୁ ୨୩୨ଦିନ ମଧ୍ୟାହ୍ନ ଭୋଜନ ଯୋଗାଣ ବ୍ୟବସ୍ଥା ଥିବା ବେଳେ ସୋମବାର ଓ ଗୁରୁବାର ଦିନ ଛାତ୍ରଛାତ୍ରୀମାନଙ୍କୁ ଭାତ-ଡାଲ୍‍ମା, ମଙ୍ଗଳବାର ଓ ଶୁକ୍ରବାର ଭାତ ସହିତ ସୋୟାବିନ୍‍ ବଡ଼ି ତରକାରୀ ଏବଂ ବୁଧବାର, ଶନିବାର ଭାତ ସହିତ ଅଣ୍ଡା ତରକାରି ଦିଆଯାଉଛି । ବର୍ତ୍ତମାନ ବଜାରରେ ହରଡ଼ ଡାଲି କିଲୋ ୧୧୦ଟଙ୍କା ଟପିଥିବା ବେଳେ ଏଥିରେ ଡାଲ୍‍ମା କରି ପିଲାଙ୍କୁ ଯୋଗାଇବା ଅସମ୍ଭବ ହୋଇପଡ଼ିଛି । କାରଣ ଡାଲି ସହିତ ଅନ୍ୟାନ୍ୟ ପନିପରିବା ଓ ତେଲ, ଲଙ୍କା, ଫୁଟଣ, ପିଆଜ ଆଦି ଆବଶ୍ୟକ । ତେଲ ଲିଟର ୧୦୦ଟଙ୍କା ଟପିଥିବା ବେଳେ ପିଆଜ ଦର ଏବେ ଆକାଶଛୁଅାଁ । ଖାଦ୍ୟ ସାମଗ୍ରୀ ରୋଷେଇ ଲାଗି ଜାଳେଣି ବି କିଣିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ୪ଟଙ୍କା ୪ପଇସାରେ ପିଲାଙ୍କୁ ଭାତ-ଡାଲ୍‍ମା କିଭଳି ଦିଆଯିବ ତାହା ଏବେ ପ୍ରଶ୍ନବାଚୀ ହୋଇଛି । ସେହିଭଳି ସୋୟା ବଡ଼ି ଓ ଅଣ୍ଡା ତରକାରି ଲାଗି ମସଲା ସହିତ ଅଧିକ ତେଲ ଦରକାର । ବିନା ତେଲ ଓ ମସଲାରେ ଏହି ତରକାରୀ ହୋଇପାରିବ ନାହିଁ । ଅଣ୍ଡା ଗୋଟାକୁ ବଜାରରେ ୪ଟଙ୍କା ୫୦ପଇସା ହୋଇଥିବା ବେଳେ ପିଲାଙ୍କୁ ୪ଟଙ୍କାରେ ଅଣ୍ଡା ତରକାରି ଦେବା ଏବେ କାଠିକର ପାଠ ହୋଇଛି । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଅନ୍ୟ ସଂସ୍ଥାଗୁଡ଼ିକ ଦାନ ଆକାରରେ ବିଭିନ୍ନ ସୂତ୍ରରୁ ଅର୍ଥ ଯୋଗାଡ଼ କରି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ବେଳେ ସ୍ୱୟଂସହାୟକ ଗୋଷ୍ଠୀ ଓ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷ ଏବେ ଆକାଶଛୁଅାଁ ବଜାର ଦରକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।

ସେଆର କରନ୍ତୁ:



Powered by odothemes.com