Bhaktanku-darshan-kale-narayan-goswain

୩୬୨ ଦିନ ପାଣି ଭିତରେ ରୁହନ୍ତି ଠାକୁର

69

ସିଂହାପୁରରେ ନିଆରା ଯାତ୍ରା: ଶ୍ରୀଶ୍ରୀ ନାରାୟଣ ଗୋସାଇଁ
କୁଆଖିଆ (ଅଞ୍ଜନ କୁମାର ପତି): ରସୁଲପୁର ବ୍ଲକ୍ ସିଂହାପୁରଠାରେ ପ୍ରଭୁ ନାରାୟଣ ଗୋସାଇଁଙ୍କ ପ୍ରସିଦ୍ଧ ଯାତ୍ରା ବୁଧବାରଠାରୁ ମହାବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି । ପରମ୍ପରା ଅନୁଯାଇ ପ୍ରଭୁ ଶ୍ରୀଶ୍ରୀ ଜଳଶାୟୀ ନାରାୟଣ ଗୋସାାଇଁ ୩୬୨ ଦିନ ଜଳ ଶୟନ କରିବା ପରେ ଆଜି ଠାରୁ ମାତ୍ର ତିନି ଦିନ ପାଇଁ ମନ୍ଦିରକୁ ବିଜେ କରିବେ । ଏହି ସମୟରେ ପ୍ରଭୁ ମଧୁତୀର୍ଥ ପୁଷ୍କରଣୀ କୂଳରେ ଥିବା ମନ୍ଦିର ସିଂହାସନ ଉପରେ ପୂଜା ପାଇ ତିନି ଦିନ ପରେ ଜଳାଶୟ ମଧ୍ୟକୁ ପୁଣି ଯାତ୍ରା କରନ୍ତି । ଏହି ନିଆରା ଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ । ଆଜି ସକାଳ ୮ଟାରେ ବ୍ରାହ୍ମଣ ପୂଜକମାନେ ପ୍ରଭୁଙ୍କୁ ମଧୁ ତୀର୍ଥ ପୁଷ୍କରିଣୀର ଗଭୀର ଜଳ ମଧ୍ୟରୁ ମନ୍ଦିରକୁ ଆଣାଯାଇଥିଲା । ବିଧି ଅନୁସାରେ ନାରାୟଣଙ୍କ କଳା ମୁଗୁନି ପଥର ମୂର୍ତ୍ତୀକୁ ପ୍ରଥମେ ଗଭୀର ଜଳ ମଧ୍ୟରୁ ଆଣି ପୁଷ୍କରଣୀର ପୂର୍ବ ପାହାଚରେ ସ୍ଥାପନ କରାଯାଇଥିଲା । ପରେ ସେଠାରେ ପୁରୋହିତଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯାଇଥିଲା । ସୂଚନା ଯୋଗ୍ୟ ଯେ ୧୮୬୮ରୁ ଏହି ବିରଳ ଐତିହାସିକ ଯାତ୍ରା ହୋଇଆସୁଛି । କଳାପାହାଡ଼ର ଓଡିଶା ଆକ୍ରମଣ ସମୟରେ ରାଜା ଓ ବ୍ରହ୍ମଣମାନେ ଠାକୁରଙ୍କୁ ଏହି ପୁଷ୍କରିଣୀରେ ଲୁଚାଇ ରଖିଥିଲେ । ସେବେଠାରୁ ବିଧି ଓ ବ୍ୟବସ୍ଥାକୁ ଆଧାର କରି ଆଜି ଗଡ଼ମଧୁପୁର ରାଜ ପରିବାର ତରଫରୁ ରାଜଜେମା ଅପର୍ଣ୍ଣା ଧିର ସିଂ ଭରଦ୍ୱାଜ ପାବଚ୍ଛ ନିକଟରେ ଉପସ୍ଥିତ ରହି ପ୍ରଭୁଙ୍କୁ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ । ପରେ ପ୍ରଭୁଙ୍କ ଜଳକ୍ରୀଡ଼ା ଓ ମନ୍ଦିର ପ୍ରବେଶ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । ପରେ ଭକ୍ତମାନେ ଠାକୁରଙ୍କୁ ଜଳକ୍ରୀଡ଼ା କରି ଆଣି ପୁଷ୍କରଣୀର ଉତ୍ତରପାହାଚ ଉପରେ ସ୍ଥାପନ କରିଥିଲେ । ଏହି ସମୟରେ ମଧୁତୀର୍ଥର ପୂର୍ବ ପଟ ମନ୍ଦିରରେ ପୂଜା ପାଉଥିବା ମଦନ ମୋହନଙ୍କ ଚଳନ୍ତି ପ୍ରତିମାକୁ ଏକ ବିମାନ ଯୋଗେ ପ୍ରଭୁ ନାରାୟଣ ଗୋସାଇଁଙ୍କ ଯଜ୍ଞ ମଣ୍ଡପ ନିକଟକୁ ଅଣାଯାଇଥିଲା । ଚଳନ୍ତି ପ୍ରତିମା ପ୍ରଭୁ ନାରାୟଣ ଗୋସାଇଁଙ୍କୁ ମନ୍ଦିର ପ୍ରବେଶ ପୂର୍ବକ ସ୍ୱାଗତ ଜଣାଇ ନିଜେ ଯଜ୍ଞ ମଣ୍ଡପରେ ବିରାଜମାନ ହୋଇଥିଲେ ।
ପ୍ରଭୁଙ୍କ ମନ୍ଦିର ପ୍ରବେଶ ସମୟରେ ରାଜ ପରିବାରର ଉତରାଧିକାରୀମାନେ ପୁଷ୍ପାଞ୍ଜଳୀ ପ୍ରଦାନ କରିବା ସହ ଭକ୍ତମାନଙ୍କ ଭଜନ, କୀର୍ତ୍ତନ, ହରିବୋଲ, ହୁଳହୁଳି, ଶଙ୍ଖଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା । ପ୍ରଥମ ଦିବସରେ ପ୍ରଭୂ ନାରାୟଣ ଗୋସାଇଁ ଭକ୍ତମାନଙ୍କୁ ବିରଞ୍ଚôନାରାୟଣ, ମୀନ ଅବତାର, କଚ୍ଛପ ଆଦି ଅବତାର ବେଶରେ ଦର୍ଶନ ଦେଇଥାନ୍ତି । ଯାତ୍ରା ତିନି ଦିନ ଅବସରରେ ପ୍ରଭୁ ଭକ୍ତମାନଙ୍କୁ ୧୦ ଅବତାର ବେଶରେ ଦର୍ଶନ ଦେବେ ।
ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତ ରାୟ, କାର୍ଯ୍ୟକାରୀ ସଭାପତି ଭୀଷ୍ମ ପ୍ରସାଦ ରଥ, ଜିଲ୍ଲାପରିଷଦ ସଭାପତି ନରେଶ ମହାନ୍ତି,ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ କୁମାର ନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ସୁଶାନ୍ତ କୁମାର ପଣ୍ଡା, ଧିରେନ୍ଦ୍ର କୁମାର ନାୟକଙ୍କ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ରହି କର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com