୩୨ତମ ଭୁବନେଶ୍ୱର ପୁସ୍ତକ ମେଳା ଉଦ୍ୟାପିତ

113

‘ପ୍ରୋତ୍ସାହନ ମିଳିଲେ ପ୍ରକାଶକ ଉତ୍ସାହିତ ହେବେ’
ଭୁବନେଶ୍ୱର, ୧୩ ।୩(ବୁ୍ୟରୋ): ପୁସ୍ତକ ମେଳା କରି ଡିଣ୍ଡିମ ପିଟୁଚେ, କିନ୍ତୁ ପାଠକମାନଙ୍କ ପାଖରେ ବହି ପହଞ୍ଚୁଛି କି ନାହିଁଁ ତାହା ଜାଣୁନେ । ଏବେ ବି ଉପାନ୍ତ ଅଞ୍ଚଳରେ ବହି ପହଞ୍ଚି ପାରିନି । ସେମାନେ ପଢିବାକୁ ଚାହୁଁଛନ୍ତି କିନ୍ତୁ ପାଉନାହାନ୍ତି । ଅନ୍ୟ ଭାଷାର ବହି ପଢୁଛନ୍ତି ବୋଲି ସାହିତି୍ୟକ ରମାକାନ୍ତ ରଥ ୩୨ତମ ଭୁବନେଶ୍ୱର ପୁସ୍ତକ ମେଳାର ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ । ସେ ଆହୁରି ମଧ୍ୟ କହିଲେ, ସରକାର ଯଦି ପ୍ରକାଶକମାନଙ୍କୁ ପ୍ରୋତ୍ସାହନ ଦିଅନ୍ତେ ତାହାଲେ ସେମାନେ ଉତ୍ସାହିତ ହୁଅନ୍ତେ । ଅନ୍ୟପକ୍ଷରେ ଖବର କାଗଜଗୁଡିକ ଯଦି ସେମାନଙ୍କର ବିଜ୍ଞାପନ ହାରକୁ ପ୍ରକାଶକମାନଙ୍କ ପାଇଁ କମ୍ କରିବେ ଲୋକମାନଙ୍କ ପାଖରେ ଅତି ସହଜରେ ପହଞ୍ଚିପାରନ୍ତା ବୋଲି ଶ୍ରୀ ରଥ କହିଥିଲେ । ମୁଖ୍ୟ ଅତିଥି ଭାବେ ଅଭିନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ କହିଲେ, ପୂର୍ବରୁ ଯେତେବେଳେ ଗୋଟିଏ ବର୍ଷରେ ୨ଶହ ବହି ପ୍ରକାଶ ପାଉଥିଲା ଆଜି ତାହା ବର୍ଷକୁ ୪ରୁ୫ହଜାରରେ ପହଞ୍ଚିପାରିଛି; କେବଳ ଭୁବନେଶ୍ୱର ପୁସ୍ତକ ମେଳା ପାଇଁ । ପରେ ପରେ ମନୋଜ ମେହର ଓ ବିଜୟଲକ୍ଷ୍ମୀ ପରିଡାଙ୍କୁ ସାହିତ୍ୟ ସମ୍ମାନ, ଅପର୍ଣ୍ଣା ତ୍ରିପାଠୀଙ୍କୁ ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର, ସୀମାଞ୍ଚଳ ଦାସଙ୍କୁ ଉତ୍ତମ ଚରଣ ନାୟକ ଗଳ୍ପ ପୁରସ୍କାର, ଜୟକୃଷ୍ଣ ସାହୁଙ୍କୁ ଶିଶୁ ସାହିତ୍ୟ ପୁରସ୍କାର, ଡା. ରବିନ୍ଦ୍ର ନାଥ ସାହୁଙ୍କୁ ବିଜ୍ଞାନ ଓ ପ୍ରଜୁକ୍ତି ବିଦ୍ୟା ପୁରସ୍କାର ଓ ଶ୍ରେଷ୍ଠ ପ୍ରକାଶକ ଭାବେ ପକ୍ଷୀଘରକୁ ସପ୍ତବିଂଶ ଭୁବନେଶ୍ୱର ପୁସ୍ତକ ମେଳା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଅନିଲ ପାଢୀ, ସୂର୍ଯ୍ୟ ମିଶ୍ର, ଶୈଳେନ୍ଦ୍ର ଦ୍ୱିବେଦୀ ଓ ଆଦିତେଶ୍ୱର ମିଶ୍ରଙ୍କୁ ପଶ୍ଚିମା ସାହିତ୍ୟ ପତ୍ରିକା ପ୍ରଦତ୍ତ ପଶ୍ଚିମା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସାତକଡି ହୋତାଙ୍କ ସଭାପତିତ୍ୱରେ ହୋଇଥିବା ଏହି ଉତ୍ସବରେ ବୈରାଗୀ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ଯୁଗଳ କିଶୋର ଦତ୍ତ ।

ସେଆର କରନ୍ତୁ:



Powered by odothemes.com