୩୦୦ ଦୃଷ୍ଟିହୀନଙ୍କୁ ଧଳା ବାଡ଼ି ଓ ଟୋପି

53

ଭୁବନେଶ୍ୱର,୧୫ ।୧୦(ବୁ୍ୟରୋ): ଅନ୍ନଦା ଚାରିଟେବୁଲ୍‍ ଟ୍ରଷ୍ଟ, ସାଇଟ୍‍ ସେଭର୍ସ ଇଣ୍ଡିଆ ଏବଂ ଭାରତୀୟ ରେଡ୍‍କ୍ରସ୍‍ ସୋଇଆଟି ତରଫରୁ ସ୍ଥାନୀୟ ମହାବୋଧି ସୋସାଇଟିରେ ବିଶ୍ୱ ଧଳାବାଡି ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ଦୃଷ୍ଟିହୀନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଗୁରୁତ୍ୱାରୋପ କରିଥିଲେ । ଦୃଷ୍ଟିହୀନଙ୍କୁ ସହାୟତାର ହାତ ବଢ଼ାଇଲେ ସେମାନେ ବି ଜୀବନ ଜିଇବାର ମାର୍ଗ ଖୋଜିପାଇବେ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ମେଘନା ମିଶ୍ର, ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ପୂର୍ବତନ ସାଂସଦ ମୋହନ ଜେନା, ଭାରତୀୟ ଦୃଷ୍ଟିହୀନ କ୍ରିକେଟର ଜାଫର୍‍ ଇକ୍‍ବାଲ୍‍ ପ୍ରମୁଖ ଯୋଗଦେଇଥିଲେ । ସେହିପରି ଆଜି ଓଡିଶା ଦୃଷ୍ଟିହୀନ ସଙ୍ଘ, ରାଜ୍ୟ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୂକୁଲ୍ୟରେ ‘ବିଶ୍ୱ ଧଳା ବାଡି ଦିବସ’ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟର ୩୦୦ ଦୃଷ୍ଟିହୀନ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କୁ ଧଳା ବାଡି ଓ ଟୋପି ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓପିଟିସିଏଲ୍‍ର ନିର୍ଦ୍ଧେଶକ ଶାନ୍ତନୁ ରଥ, ଉପସଚିବ ଅଶୋକ ବେହେରା ଭିନ୍ନକ୍ଷମଙ୍କୁ ଧଳାବାଡି ଓ ଟୋପି ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୋଗାଇବା ପାଇଁ ଭୀମଭୋଇ ଦୃଷ୍ଟିହୀନ ଉଚ୍ଚବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶିରିଶ ଚନ୍ଦ୍ର ଦାସ କହିଥିଲେ ବିଭିନ୍ନ କ୍ଷେତ୍ରରେ ଦୃଷ୍ଟିହୀନ ବ୍ୟକ୍ତି ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୂର କରିବା ଦିଗରେ ସରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇବା ଆବଶ୍ୟକ । ସେ ଆହୁରି ମଧ୍ୟ କହିଥିଲେ ଜାତିସଂଘ ଦ୍ୱାରା ୧୯୮୨ ମସିହାକୁ ଆନ୍ତର୍ଜାତୀୟ ଦୃଷ୍ଟିହୀନ ବର୍ଷ ରୂପେ ଘୋଷଣା କରାଯିବା ପରଠାରୁ ପ୍ରତିବର୍ଷ ଅକ୍ଟୋବର ୧୫ରୁ ୨୧ ପର୍ଯ୍ୟନ୍ତ ବିଶ୍ୱ ଧଳା ବାଡି ସପ୍ତାହ ରୂପେ ପାଳନ କରାଯାଉଛି । ଦୃଷ୍ଟିହୀନ ବ୍ୟକ୍ତି ତଥା ସର୍ବସାଧାରଣଙ୍କୁ ଦୃଷ୍ଟିହୀନ ବ୍ୟକ୍ତିର ଚଳନଶୀଳତା ସମ୍ବନ୍ଧରେ ସଚେତନ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ । ସଙ୍ଘର ପ୍ରତିଷ୍ଠାତା ସଦସ୍ୟ ଦେବେନ୍ଦ୍ର ପ୍ରଧାନ ସଭାପତିତ୍ୱ କରି ଏହି ବାଡିର ବିକାଶ ସମ୍ବନ୍ଧରେ ସୂଚନା ଦେଇଥିଲେ ଯେ ୧୯୩୫ ମସିହାରେ ଆମେରିକାର ଡାକ୍ତର ରିଚାର୍ଡ୍‍ ହୁବର ଏକ ପ୍ରକାର ହାଲୁକା ଓ ମଜୁବୁଦ୍‍ ବାଡି ଆବିଷ୍କାର କରିଥିଲେ । ୧୯୬୦ ମସିହାରେ ବ୍ରିଟେନ୍‍ର ଡରକେଲ୍‍ ଉକ୍ତ ବାଡିକୁ ଆହୁରି ଉନ୍ନତ କରିଥିଲେ । ଏହାର ବ୍ୟବହାର ପାଇଁ କିଛି କୌଶଳ ଉଦ୍ଭାବନ କଲେ । ଶେଷରେ ବିଭିନ୍ନ ଆନ୍ତର୍ଜାତିକ ଦୃଷ୍ଟିହୀନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିତର୍କ ଗବେଷଣା ପରେ ଏହାକୁ ଦୃଷ୍ଟିହୀନଙ୍କ ଚଳନଶୀଳତା ପାଇଁ ଏକ ମାତ୍ର ସହାୟକ ବସ୍ତୁ ରୂପେ ଗ୍ରହଣ କରାଗଲା । ଏଥିସହିତ ସାରା ବିଶ୍ୱରେ ଧଳାବାଡିକୁ ଦୃଷ୍ଟିହୀନଙ୍କର ପ୍ରତୀକ ରୂପେ ସ୍ୱୀକୃତି ପ୍ରଦାନ କରାଗଲା । ଚଳିତ ବର୍ଷ ଏହି ସପ୍ତାହ ପାଳନର ଧ୍ୱନି ରହିଛି ‘ରାସ୍ତାରେ ଚାଲିବାର ଅଧିକାର’ । ଶେଷରେ ରାଜ୍ୟ ଦୃଷ୍ଟିହୀନ ସଂଘ ଠାରୁ ମାଷ୍ଟର କ୍ୟାଣ୍ଟିନ୍‍ ପର୍ଯ୍ୟନ୍ତ ଦୃଷ୍ଟିହୀନ ଭାଇ ଓ ଭଉଣୀମାନେ ପଦଯାତ୍ରା କରିଥିଲେ ।

ସେଆର କରନ୍ତୁ:



Powered by odothemes.com