୨୦୧୯ ସୁଦ୍ଧା ସବୁ ଗାଁକୁ ବିଜୁଳି

58

ଭୁବନେଶ୍ୱର (ବୁ୍ୟରୋ): ବିଦୁ୍ୟତ୍ ସଂଯୋଗ ନଥିବା ରାଜ୍ୟର ସମସ୍ତ ଗାଁ ଓ ଜନବସତିକୁ ୨୦୧୯ ସୁଦ୍ଧା ବିଦୁ୍ୟତ୍ ଶକ୍ତି ଯୋଗାଇ ଦେବା ସହ ଆସନ୍ତା ୪ ବର୍ଷ ମଧ୍ୟରେ ୧୫ ହଜାର ଅଚଳ ଟ୍ରାନ୍ସଫର୍ମରକୁ ବଦଳାଇ ନୂଆ ଟ୍ରାନ୍ସଫର୍ମର ଲଗାଇବା ଏବଂ ସମସ୍ତ ବିପିଏଲ୍ ପରିବାରକୁ ବିଦୁ୍ୟତ୍ ଯୋଗାଇ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଦଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶକ୍ତି ବିଭାଗର ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ ନବକଳେବର ସମୟରେ ପୁରୀରେ ବିଦୁ୍ୟତ ସରବରାହ ବ୍ୟବସ୍ଥାରେ ଉନ୍ନତି ଅଣାଯାଇ ନିରନ୍ତର ବିଦୁ୍ୟତ୍ ଯୋଗାଣ କରାଯାଇପାରିଥିଲା । ସ୍ୱଳ୍ପବୃଷ୍ଟିପାତ ଜନିତ ସ୍ଥିତିରେ ମଧ୍ୟ ଓଡ଼ିଶା ଜଳବିଦୁ୍ୟତ୍ ନିଗମ ଓ ଗ୍ରୀଡ୍କୋ ବିଭିନ୍ନ ଜଳଭଣ୍ଡାରରୁ ନିର୍ଗତ ଜଳର ସୁପରିଚାଳନା କରି ବିଦୁ୍ୟତ୍ ଯୋଗାଣ ଅବ୍ୟାହତ ରଖିଛନ୍ତି । ଗତବର୍ଷ ରାଜ୍ୟର ୭ ହଜାରରୁ ଅଧିକ ଗାଁ ଓ ଜନବସତିକୁ ବିଦୁ୍ୟତ୍ ଯୋଗାଣ ହୋଇପାରିଛି । ଏହାସହ ୧୧.୫ ଲକ୍ଷରୁ ଅଧିକ ପରିବାରକୁ ବିଦୁ୍ୟତ୍ ଶକ୍ତି ଯୋଗାଇ ଦିଆଯାଇଛି । ସେଥିମଧ୍ୟରୁ ୩ ଲକ୍ଷରୁ ଊଦ୍ଧ୍ୱର୍ ହେଉଛି ବିପିଏଲ୍ ପରିବାର । ବିଦୁ୍ୟତ ପରିବହନ ଓ ବଣ୍ଟନ ଭିତ୍ତିଭୂମିରେ ଉନ୍ନତି ଅଣାଯାଇଛି ଓ ଓଡ଼ିଶା ଜଳ ବିଦୁ୍ୟତ ନିଗମ ଆଉ ୨ଟି ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି । ବୌଦ୍ଧ ଜିଲ୍ଲାର ମନମୁଣ୍ଡାରେ ଏକ ୧୫ ମେଗାୱାଟ୍ ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଛି । ୪୫୦ ନୂଆ, ୩୩/୧୧ କେଭି ସବ୍ଷ୍ଟେସନ୍ ପ୍ରତିଷ୍ଠା ଓ କୃଷି ଓ ମତ୍ସ୍ୟକ୍ଷେତ୍ର ଲାଗି ଉତ୍ସର୍ଗୀକୃତ ଭାବେ ୧୧ କେଭି ଫିଡର ଲାଇନ୍ ଯୋଗାଇ ଦେବା ପାଇଁ ବୈଠକରେ ସ୍ଥିର ହୋଇଛି ।
ସେହିଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ଶୁକ୍ରବାର ଇଲେକ୍ଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଭାଗର ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାପଡ଼ିଛି ଯେ ବୈଷୟିକ ମିଶନ୍ର ଅଧ୍ୟକ୍ଷ ସାମ୍ ପିଟ୍ରୋଡାଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶଗୁଡ଼ିକ ଉପରେ ବିଭାଗ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ସରକାର ଏକ ନୂଆ ଟେଲିକମ୍ ନୀତି ପ୍ରଚୟନ କରିବେ । ଓଡ଼ିଶାରେ ଆଇଟି କ୍ଷେତ୍ର ରପ୍ତାନି ପରିମାଣ ୨୦୧୫-୧୬ରେ ୩ ହଜାର କୋଟି ଟଙ୍କାରେ ପହଞ୍ଚôଛି, ଯାହା ବିଗତ ବର୍ଷଠାରୁ ୧୮% ଅଧିକ । ସର୍ବଭାରତୀୟ ସ୍ତରରେ ରପ୍ତାନି ହାର ୧୧% ଥିଲାବେଳେ ଓଡ଼ିଶାରେ ଏହା ୧୮% ହୋଇଛି । ଆଇଟି ରପ୍ତାନି କ୍ଷେତ୍ରରେ ଓଡ଼ିଶା ଦେଶର ୮ମ ରାଜ୍ୟର ମାନ୍ୟତା ପାଇଛି । ରାଜ୍ୟରେ ବର୍ତ୍ତମାନ ୪ଟି ଏସ୍ଟିପିଆଇ ଥିବାବେଳେ ଆଉ ୪ଟି ଏସ୍ଟିପିଆଇ ସ୍ଥାପନ ପାଇଁ କାର୍ଯ୍ୟକ୍ରମ ଜାରି ରହିଛି । ଆଇଟି କ୍ଷେତ୍ରରେ ବଡ଼ ବଡ଼ କମ୍ପାନିମାନଙ୍କ ଦ୍ୱାରା ଓଡ଼ିଶାରେ ୧୦ ହଜାର ଆଇଟି ବୃତ୍ତିଧାରୀ ନିଯୁକ୍ତି ପାଇଥିଲାବେଳେ ମାଇଣ୍ଡ୍ ଟ୍ରି, ଟେକ୍ ମହିନ୍ଦ୍ରା ଓ ଟିସିଏସ୍ ଆଦି କମ୍ପାନିଗୁଡ଼ିକ ରାଜ୍ୟରେ ଯୁବକଯୁବତୀମାନଙ୍କ ପାଇଁ ୨୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଓକାକ୍ ପକ୍ଷରୁ ଅନେକ ରାଷ୍ଟ୍ରୀୟସ୍ତରୀୟ କମ୍ପାନିମାନଙ୍କ ସହ ରାଜିନାମା କରାଯାଇଛି । ଏହି କମ୍ପାନିମାନେ ଦକ୍ଷତା ବୃଦ୍ଧି ସହ ବିଭିନ୍ନ ଡିଗ୍ରୀ ଓ ଡିପ୍ଲୋମା ପାଠ୍ୟକ୍ରମରେ ଶିକ୍ଷାପ୍ରଦାନ କରିବେ । ଏଥିଲାଗି ଭୁବନେଶ୍ୱରରେ ଏକ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା କରାଯିବ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍ତମ ପ୍ରୋତ୍ସାହନ ଦିଆଯାଉଥିବାରୁ ଅନେକ କମ୍ପାନି ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟରେ ଏକ ବିପିଓ ନୀତି ଚଳିତବର୍ଷ ପ୍ରଚଳନ କରାଯିବ । ଗ୍ରାମାଞ୍ଚଳରେ ୧୦ ହଜାର ବିପିଓ ପ୍ରତିଷ୍ଠା ଲକ୍ଷ୍ୟ ରହିଛି । ବୈଠକରେ ଭୁବନେଶ୍ୱରରେ ୱାଇଫାଇ ବ୍ୟବସ୍ଥା, ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଇଣ୍ଟରନେଟ୍, ସରକାରୀ-ଘରୋଇ ସହଭାଗୀତାରେ ଦ୍ୱିତୀୟ ଆଇଆଇଆଇଟି ସ୍ଥାପନ ଓ ଅନ୍ୟାନ୍ୟ ଆଇଟି ଭିତ୍ତିଭୂମି ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା । ରାଜ୍ୟର ୫୦୦ ପୁଲିସ୍ ଷ୍ଟେସନ୍କୁ ଖୁବ୍ ଶୀଘ୍ର ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ ବୋଲି ସ୍ଥିର ହୋଇଛି ।

ସେଆର କରନ୍ତୁ:



Powered by odothemes.com