୧୯୭୬ର ଓଡ଼ିଆ ଚଳଚ୍ଚିତ୍ର ‘ସମୟ’ର ସ୍କି୍ରନିଂ

74

ଭୁବନେଶ୍ୱର, ୮ ।୭ (ବୁ୍ୟରୋ): ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସିନେ ସାମ୍ବାଦିକଙ୍କ ଅନୁଷ୍ଠାନ ‘ଫିଲ୍ମ ଜର୍ଣ୍ଣାଲିଷ୍ଟସ୍ ଫୋରମ୍’ ପକ୍ଷରୁ ଦଶମ ସ୍ମୃତିଛାୟା କ୍ରମରେ ୧୯୭୬ରେ ମୁକ୍ତିପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘ସମୟ’ର ସ୍କ୍ରିନିଂ ଉତ୍ସବ ସ୍ଥାନୀୟ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଛି । ଏହି ଚଳଚ୍ଚିତ୍ରରେ ସମ୍ପୃକ୍ତ ଥିବା କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ‘ସମୟ’ ସହ ସମ୍ପୃକ୍ତ ପ୍ରଶାନ୍ତ ନନ୍ଦ, ତ୍ରିପୁରା ମିଶ୍ର, ଜର୍ଜ ତିଆଡ଼ି, ଅଶୋକ ଶର୍ମା ଓ ଜ୍ୟୋତ୍ସ୍ନା ଦାସ । ଏହାସହ ଅଭୁଲା ସ୍ୱରରେ ଭାବ ସଙ୍ଗୀତ ‘ପ୍ରାୟଶ୍ଚିତ’ ଭିସିଡିକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା । ଫୋରମ୍ ନିବେଦିତ ଏହି ଭିସିଡି ସହ ସମ୍ପୃକ୍ତ ଗାୟକ/ଗାୟିକା ପ୍ରଣବ ପଟ୍ଟନାୟକ, ଶ୍ରୀକାନ୍ତ ଦାସ, ଦେବାଶିଷ ମହାପାତ୍ର, ସୁବାସ ଦାଶ, ଶିବ ରଥ, ଗୀତିକାର ସତ୍ୟ ପାଣିଗ୍ରାହୀ, ପଞ୍ଚାନନ ନାୟକ, ଶରଣାରବିନ୍ଦ ଓ ସଙ୍ଗୀତକାର ଯଜ୍ଞ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ‘ସମୟ’ର କାହାଣୀ ଅନୁଯାୟୀ, ବମ୍ବେର ଦୁଇଜଣ ଓଡ଼ିଆ । ଜଣେ ଡାକ୍ତର, ଜଣେ ଇଞ୍ଜିନିୟର । ଡାକ୍ତର ସୁକାନ୍ତଙ୍କ ପତ୍ନୀ ସୁଜାତା ଉଗ୍ରା ଆଧୁନିକା । ପାର୍ଟି ଓ ଅନ୍ୟାନ୍ୟ ମଉଜ ମଜଲିସ୍ରେ ତାଙ୍କ ସମୟ ବିତେ । ସୁକାନ୍ତ କିନ୍ତୁ ନିଜ ପତ୍ନୀଙ୍କୁ ଆଦର୍ଶ ଭାରତୀୟ ନାରୀ ଭାବେ ଦେଖିବାକୁ ଚାହାନ୍ତି । ଇଂଜିନିୟର ସଞ୍ଜୟଙ୍କ ପତ୍ନୀ ସୁଲେଖା ସରଳ ଓ ସାଧାରଣ । ଦିନେ ଦୁର୍ଘଟଣା ହେତୁ ମସ୍ତିଷ୍କରେ ଆଘାତ ପାଇ ସଞ୍ଜୟ ଏମନିସିଆ ରୋଗରେ ଆକ୍ରାନ୍ତ ହୁଅନ୍ତି । ଛୋଟପିଲା ଭଳି ବ୍ୟବହାର କରନ୍ତି । ନିଜ ପତ୍ନୀଙ୍କୁ ବୋଉ ବୋଲି ଡାକନ୍ତି । ଏଥିରେ ଡାକ୍ତର ସୁକାନ୍ତ ତାଙ୍କୁ ସାହାଯ୍ୟ କରନ୍ତି । ଏହି ସାହାଯ୍ୟକୁ ନେଇ ଦୁର୍ନାମ ଘଟେ । ଏଥିରେ ଅତିଷ୍ଟ ହୋଇ ସୁଲେଖା ଆତ୍ମହତ୍ୟା ଉଦ୍ୟମ ସ୍ୱରୁପ ନିଜେ ନିଜକୁ ଗୁଳି କରନ୍ତି । ଗୁଳି ଶବ୍ଦ ଶୁଣି ସଞ୍ଜୟ ନିଜ ସ୍ମୃତି ଫେରି ପାଆନ୍ତି । ସୁକାନ୍ତ ଆସି ସୁଲେଖାକୁ ଡାକ୍ତରଖାନା ନେଇଯାଇଛନ୍ତି । ସୁଲେଖା ଭଲ ଅଛନ୍ତି କହି ଡାକ୍ତ ସୁକାନ୍ତ ଯେବେ ସଞ୍ଜୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି ସେବେ ସଞ୍ଜୟ ତାଙ୍କୁ ଅପମାନିତ କରୁଛନ୍ତି । ସୁକାନ୍ତ ମାନସିକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ପରେ ଦୁହେଁ ନିଜ ଭୁଲ୍ ବୁଝିଛନ୍ତି ଏବଂ ଦୁଇ ପରିବାର ମିଶିଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ତ୍ରିପୁରା ମିଶ୍ର, ନୀଳୀ ମହାପାତ୍ର, ଅଶୋକ ଶର୍ମା, ଧୀର ବିଶ୍ୱାଳ, ଭାନୁମତି, ଜର୍ଜ ତିଆଡି, ଜ୍ୟୋତ୍ସ୍ନା ଦାସ, ବାସନ୍ତୀ ମହାପାତ୍ର ଏବଂ ଅତିଥି କଳାକାର ଅସୀତ ସେନ୍ ଓ ଜୁନିୟର ସେଟ୍ଟି ।

ସେଆର କରନ୍ତୁ:



Powered by odothemes.com