୧୫ରେ ଭୂମିହୀନଙ୍କୁ ସହାୟତା

30

ଭୁବନେଶ୍ୱର, ୧୨ ।୨(ବୁ୍ୟରୋ): କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ସହାୟତା (କାଳିଆ) ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ଆସନ୍ତା ୧୫ତାରିଖରେ ଭୂମିହୀନମାନଙ୍କୁ ମିଳିବ । ସିଧାସଳଖ ଏହି ଅର୍ଥ ସେମାନଙ୍କୁ ଆକାଉଣ୍ଟକୁ ଯିବ । ପ୍ରାୟ ସାଢ଼େ ୪ଲକ୍ଷ ଭୂମିହୀନ ଚାଷୀ ଏହା ଦ୍ୱରା ଉପକୃତ ହେବେ । ସେହିପରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆକାଉଣ୍ଟକୁ ଆସନ୍ତା ୨୨ ତାରିଖରେ ଟଙ୍କା ପଠାଯିବ । ୧୩ରୁ ୧୪ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ସେହିଭଳି ଆସନ୍ତା ୧୪ ତାରିଖରେ କୃଷିଭବନରେ ‘କାଳିଆ’ଯୋଜନାରେ ଅନ୍ତର୍ଭୁକ୍ତ ଭୂମିହୀନ କୃଷି ଶ୍ରମିକ ହିତାଧିକାରୀଙ୍କୁ କୃଷି କ୍ଷେତ୍ରରେ ଜୀବିକା ନିର୍ବାହ ପାଇଁ ବ୍ୟାପକ ତାଲିମ ଦିଆଯିବ ।
କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୪ଲକ୍ଷରୁ ଊଦ୍ଧ୍ୱର୍ ଚାଷୀଙ୍କୁ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇସାରିଛି । ଏଥିରେ ଭୂମିହୀନ ଓ ଭାଗଚାଷୀଙ୍କୁ ମଧ୍ୟ ସାମିଲ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ଭୂମିହୀନ ଚାଷୀଙ୍କୁ ଅର୍ଥ ପ୍ରଦାନ କରାଯାଉଛି । ଏସଂକ୍ରାନ୍ତରେ ହୋଇଥିବା ଆବେଦନଗୁଡ଼ିକୁ ଯାହା ପରେ ଚୂଡ଼ାନ୍ତ କରାଯାଇଛି । ଯୋଗ୍ୟହିତାଧିକାରୀ ଚାଷୀଙ୍କ ତାଲିକା ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶିତ ହେଇଛି । ରାଜ୍ୟ ପ୍ରାୟ ୯୨ପ୍ରତିଶତ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ ଚାଷୀଙ୍କୁ କୃଷି ସହାୟତା ଦେବା ପାଇଁ ଉଭୟ ଖରିଫ ଓ ରବି ଋତୁରେ ୫ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ଏହାଛଡ଼ା ଭୂମିହୀନ ଚାଷୀଙ୍କୁ ୧୨୫୦୦ ଟଙ୍କା ସେମାନଙ୍କ ଜୀବନ ଜୀବିକା ପାଇଁ ସେମାନଙ୍କୁ ସରକାର ସ୍ଥିର କରିଛନ୍ତି ।
ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରୁ ଦକ୍ଷ ବିଶେଷଜ୍ଞଙ୍କ ଦ୍ୱାରା ଅଂଶଗ୍ରହଣକାରୀ ହିତାଧିକାରୀଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଛି । ସାରା ରାଜ୍ୟରେ ସମସ୍ତ ଭୂମିହୀନ କୃଷି ଶ୍ରମିକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଦକ୍ଷ ତାଲିମଦାତାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପଶୁପାଳନ ବିଭାଗର ମିଳିତ ଉଦ୍ୟମରେ ପର୍ଯ୍ୟାପ୍ତ ପରିମାଣର ତଥ୍ୟ ସମ୍ବଳିତ ପୁସ୍ତିକା ଯୋଗାଇ ଦେବାର ବ୍ୟବସ୍ଥା ହେବ । ଯାହା ଶ୍ରମିକମାନେ ତାଲିମଗ୍ରହଣ କରି ନିଜ ଜିଲ୍ଲାକୁ ଯାଇ ମଣ୍ଡଳ ଏବଂ ପଞ୍ଚାୟତସ୍ତରୀୟ ତାଲିମ ଯୋଗାଇ ଦେବେ । ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ପଞ୍ଚାୟତସ୍ତରୀୟ ତାଲିମ ଶେଷ କରାଯିବା ସହିତ ମେ’ ୧୫ ତାରିଖ ଠାରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ମଣ୍ଡଳୀସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଶେଷ କରାଯିବ ।
‘କାଳିଆ’ରେ ଯୋଗ୍ୟ ଭୂମିହୀନ କୃଷି ଶ୍ରମିକଙ୍କୁ ୩ଟି କିସ୍ତିରେ ତାଙ୍କର ଜୀବିକା ନିର୍ବାହ ପାଇଁ ୧୨,୫୦୦ ଟଙ୍କାର ସହାୟତା ରାଶି କ୍ଷୁଦ୍ର ଛେଳିପାଳନ ୟୁନିଟ୍, ଛୋଟ କୁକୁଡ଼ା ପାଳନ ୟୁନିଟ୍ , ମହୁଚାଷ, ଛତୁଚାଷ, ବତକ ପାଳନ ତଥା ମାଛ ଧରା ସରଞ୍ଜାମ ଇତ୍ୟାଦି ପ୍ରତିଷ୍ଠା ପାଇଁ ଯୋଗାଇ ଦିଆଯିବ । ଉପରୋକ୍ତ ସହାୟତା ରାଶି ୩ଟି କିସ୍ତିରେ ପ୍ରଦାନ କରାଯିବ । ପ୍ରଥମ କିସ୍ତିରେ ୫୦୦୦ ଟଙ୍କା, ଦ୍ୱିତୀୟ ତଥା ତୃତୀୟ କିସ୍ତିରେ ଯଥାକ୍ରମେ ୩୦୦୦ ଟଙ୍କା ଓ ୪୫୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ । କେନ୍ଦ୍ରାପଡ଼ା ଠାରେ ଆସନ୍ତା ୧୫ ତାରିଖରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କିସ୍ତିର ୫୦୦୦ ଟଙ୍କାର ସହାୟତା ରାଶି ‘କାଳିଆ’ଯୋଜନାରେ ଭୂମିହୀନ କୃଷି ଶ୍ରମିକଙ୍କୁ ଡିବିଟି ମାଧ୍ୟମରେ ସିଧାସଳଖ ତାଙ୍କ ବ୍ୟାଙ୍କ ଜମାଖାତାକୁ ପ୍ରେରଣ କରିବେ । ଦ୍ୱିତୀୟ ଓ ତୃତୀୟ କିସ୍ତିର ସହାୟତା ରାଶି ପରବର୍ତ୍ତୀ ପର୍ଯ୍ୟାୟରେ ଯୋଗାଇ ଦିଆଯିବ । ‘କାଳିଆ ଯୋଜନା’ରେ ଜଣେ ଭୂମିହୀନ କୃଷି ଶ୍ରମିକ କ୍ଷୁଦ୍ର ଛେଳି ପାଳନ ୟୁନିଟ୍ ମାଧ୍ୟମରେ ତିନୋଟି ଛେଳି, ଜଣେ ହିତାଧିକାରୀ ବାଡି ଅଗଣାରେ କୁକୁଡ଼ା ପାଳନ ୟୁନିଟ୍ ସ୍ଥାପନ ମାଧ୍ୟମରେ ୨୮ ଦିନିଆ ୬୦ଟି କୁକୁଡ଼ା ଚିଆଁ ଏବଂ ୮ ସପ୍ତାହ ପାଇଁ କୁକୁଡ଼ା ଖାଦ୍ୟ ଏବଂ କୁକୁଡ଼ା ପାଳନ ୟୁନିଟ୍ ସ୍ଥାପନ ମାଧ୍ୟମରେ ୮୦ଟି କୁକୁଡ଼ା ଚିଆଁ (୨୮ ଦିନିଆ) ସହିତ ୬ ସପ୍ତାହ ପାଇଁ କୁକୁଡ଼ା ଖାଦ୍ୟ, ଛୋଟ ବତକ ପାଳନ ୟୁନିଟ୍ ସ୍ଥାପନ ମାଧ୍ୟମରେ ୧୦୦ଟି ବତକ ଚିଆଁ (୨୮ ଦିନିଆ) ସହିତ ୮ ସପ୍ତାହ ପାଇଁ ବତକ ଖାଦ୍ୟ, ମାଛଧରା ଉପକରଣ (କିଟ୍) ଯଥା ଜାଲ, ବରଫବାକ୍ସ, ଜୀବନରକ୍ଷା ଜ୍ୟାକେଟ୍ (ଲାଇଫ୍ଜ୍ୟାକେଟ୍) ଏବଂ ସୌର ଲଣ୍ଠନ (ସୋଲାର ଲଣ୍ଠନ) ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହିପରି ମଧ୍ୟ, ଜଣେ ଭୂମିହୀନ କୃଷି ଶ୍ରମିକ ମହୁଚାଷ ମାଧ୍ୟମରେ ଦୁଇଟି ମହୁବାକ୍ସ, ଦୁଇଟି କୋଷିକା ବିଶିଷ୍ଟ ମହୁମାଛି ଦଳ, ଧୂଆଁ ସୃଷ୍ଟି କରିବା ଯନ୍ତ୍ର (ଧୂମକାରକ) ଓ ମହୁ ନିଷ୍କାସନ ଯନ୍ତ୍ର ପାଇପାରିବେ । ଛତୁ ଚାଷରେ ଜଣେ ହିତାଧିକାରୀ ୫୦ଟି ଛତୁ ଶଯ୍ୟା ପ୍ରସ୍ତୁତ କରିବା ପାଇଁ ସହାୟତା ପାଇବେ । ଦ୍ୱିତୀୟ କିସ୍ତିରେ ଜଣେ ହିତାଧିକାରୀ ୩୦୦୦ ଟଙ୍କାର ସହାୟତା ରାଶି ଗ୍ରାମ ପଞ୍ଚାୟତସ୍ତରୀୟ ଏବଂ ମଣ୍ଡଳସ୍ତରୀୟ ତାଲିମ କାର୍ଯ୍ୟକ୍ରମ ସରିବା ପରେ ପାଇବେ ଏବଂ ଶେଷ କିସ୍ତିର ୪୫୦୦ ଟଙ୍କାର ସହାୟତା ରାଶି ଜଣେ ହିତାଧିକାରୀଙ୍କୁ ଜୀବିକା ନିର୍ବାହ ପାଇଁ ଗ୍ରାମପଞ୍ଚାୟତ ସ୍ତରୀୟ ନୋଡାଲ୍ ଅଧିକାରୀଙ୍କ ଦ୍ୱାରା କରାଯାଇ ପ୍ରଦାନ କରାଯିବ ।

ସେଆର କରନ୍ତୁ:



Powered by odothemes.com