msme-photo

୧୩ ଲକ୍ଷରୁ ଊଦ୍ଧ୍ୱର୍ କର୍ମ ନିଯୁକ୍ତି ସୃଷ୍ଟି ହୋଇଛି

74

ଓଡ଼ିଶା ଏମ୍ଏସ୍ଏମ୍ଇ ଆନ୍ତର୍ଜାତିକ ଟ୍ରେଡ୍ ଫେୟାର୍ ଉଦ୍ଘାଟିତ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ଲାଗି ପ୍ରୋତ୍ସାହନ ନିମନ୍ତେ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ଓଡ଼ିଶାରେ ୧୫ ହଜାର ୩ଠଠ କୋଟିରୁ ଅଧିକ କ୍ରମାଗତ ପୁଞ୍ଜି ନିବେଶ ସହ ୩ ଲକ୍ଷ ୧୨ ହଜାରରୁ ବେଶି ଏମ୍ଏସ୍ଏମ୍ଇ ପ୍ରତିଷ୍ଠା କରାଯାଇଛି । ଯାହାଫଳରେ ୧୩ ଲକ୍ଷରୁ ଊଦ୍ଧ୍ୱର୍ କର୍ମନିଯୁକ୍ତି ସୃଷ୍ଟି ହୋଇପାରିଛି । ସେହିପରି ୨ଠ୧୫ ଏପ୍ରିଲ୍ରୁ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କମିଟି ମାଧ୍ୟମରେ ୧୭୯୬ କୋଟିର ୩୩୬ଟି ପ୍ରକଳ୍ପ ଅନୁମୋଦନ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଆନ୍ତର୍ଜାତିକ ଏମ୍ଏସ୍ଏମ୍ଇ ଟ୍ରେଡ୍ ଫେୟାର୍-୨ଠ୧୮ ଏବଂ ଉଦ୍ୟୋଗ ସପ୍ତାହକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ୍ ଯୋଗଦେଇ କହିଲେ, ରାଜ୍ୟରେ ଏମ୍ଏସ୍ଏମ୍ଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ବିକାଶ ଲାଗି ଏକ ଅନୁକୂଳ ବାତାବରଣ ପ୍ରସ୍ତୃତ କରିବାରେ ସରକାର ସକ୍ଷମ ହୋଇଛନ୍ତି । ଏଥିପାଇଁ କେବଳ ଘୋଷିତ ନୂଆ ନୀତି ନୁହେଁ ବରଂ ଏମ୍ଏସ୍ଏମ୍ଇ ସକାଶେ ଉଦ୍ୟୋଗୀଙ୍କୁ ସରକାର ଦେଉଥିବା ଋଣ ସହାୟତା ଲାଗି ଏହା ସମ୍ଭବ ହୋଇପାରିଥିବା ଶ୍ରୀ ସାମଲ୍ କହିଥିଲେ । ସେହିପରି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଉଦ୍ୟୋଗୀମାନଙ୍କୁ ଉପଯୁକ୍ତ ପରିବେଶ ଯୋଗାଇ ଦିଆଯାଉଛି ବୋଲି ଶିଳ୍ପ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ।
ଏଭଳି ଆନ୍ତର୍ଜାତିକ ଟ୍ରେଡ୍ ଫେୟାର୍ର ଆୟୋଜନ ଏବଂ ରାଜ୍ୟରେ ଏମ୍ଏସ୍ଏମ୍ଇର ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ଏମ୍ଏସ୍ଏମ୍ଇ ସଚିବ ଡ. ଅରୁଣ କୁମାର ପଣ୍ଡା ସାଧୁବାଦ୍ ଜଣାଇବା ସହ କ୍ଲଷ୍ଟର୍ ଫଣ୍ଡିଙ୍ଗ୍ ଓ ଡିଜିଟାଲ୍ ମାର୍କେଟିଂ ମାଧ୍ୟମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ଲାଗି ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ ।
ଚଳିତବର୍ଷ ଏହି ମେଳାରେ ୩ଠଠରୁ ଊଦ୍ଧ୍ୱର୍ ଏମ୍ଏସ୍ଏମ୍ଇ ଏବଂ ୩ଠ ଷ୍ଟାର୍ଟଅପ୍ ସାମିଲ୍ ହୋଇଛନ୍ତି । ଏହାସହ ପ୍ରଥମଥର ଭାବେ ଇରାନ୍, ଦକ୍ଷିଣ କୋରିଆ ଓ ବାଂଲାଦେଶର ୩ଠ ଉଦ୍ୟୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ୬ଟି ପାଭିଲିୟନ୍ରେ ଏଠାରେ ୩୫ଠଟି ଷ୍ଟଲ୍ ସ୍ଥାନିତ ହୋଇଛି । ଆନ୍ତର୍ଜାତିକସ୍ତରର ପ୍ରଦର୍ଶକଙ୍କ ନିମେନ୍ତ ପାଭିଲିୟନ୍-୧, ୭ଠ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଓ ସାମୁଦ୍ରିକ ଖାଦ୍ୟ ପାଇଁ ପାଭିଲିୟନ୍-୨, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଏସ୍ସି/ଏସ୍ଟି) ଏବଂ ମହିଳା ଉଦ୍ୟୋଗୀଙ୍କ ନିମେନ୍ତ ପାଭିଲିୟନ୍-୩ ଚିହ୍ନଟ କରାଯାଇଛି, ଯେଉଁଠି ୩ଠଟି ଏସ୍ସି/ଏସ୍ଟି ଓ ମହିଳାଙ୍କ ଉଦ୍ୟୋଗୀଙ୍କ ୬ଠଟି ଷ୍ଟଲ୍ ସ୍ଥାପିତ ହୋଇଛି । ସେହିପରି ଇଞ୍ଜିନିୟରିଂ ତଥା ଆନୁସଙ୍ଗିକ କ୍ଷେତ୍ର ପାଇଁ ରହିଥିବା ଏମ୍ଏସ୍ଏମ୍ଇ ଉତ୍ପାଦଗୁଡ଼ିକ ପାଭିଲିୟନ୍-୪ରେ ପ୍ରଦର୍ଶିତ ହେଉଛି । ଏହାସହ ରପ୍ତାନୀକାରୀଙ୍କ ଉତ୍ପାଦର ପ୍ରଦର୍ଶନୀ ନିମେନ୍ତ ପାଭିଲିୟନ୍-୫ରେ ବ୍ୟବସ୍ଥା କରାଯାଇଛି । ଏହାବାଦ୍ ନାଲ୍କୋ, ଆଇଓସିଏଲ୍, ଓଏମ୍ସି, ଗ୍ରିଡ୍କୋ, ଇପିକଲ୍, ଏମ୍ପିଇଡିଏ, କୋଏର ବୋର୍ଡ, କୁ୍ୟସିଆଇ ଏବଂ ଜିଇଏମ୍ ପ୍ରଭୃତି ଏହି ମେଳାରେ ଅଂଶଗ୍ରହଣ କରିଥିବା ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ସଚିବ ଏଲ୍ ଏନ୍ ଗୁପ୍ତା ସୂଚନା ଦେଇଛନ୍ତି । ୧ଠ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ପ୍ରତିଦିନ ଏମ୍ଏସ୍ଏମ୍ଇ ସମ୍ପର୍କିତ ବିଷୟବସ୍ତୁ ଉପରେ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com