୧୦ବର୍ଷ ପରେ ରାକ୍ଷୀ ବାନ୍ଧିଲା ଭଉଣୀ

850

ଛତ୍ରପୁର,(ଆପ୍ର): ପ୍ରାୟ ୧୦ ବର୍ଷ ତଳେ କାଳୀପୂଜା ଦେଖିବାକୁ ଭଦ୍ରକ ଆସିଥିବା କୁନି ଝିଅଟିଏ ଭିଡ଼ରେ ହଜିଯାଇଥିଲା । ଟ୍ରେନ୍ରେ ବସି ଜେନ୍ନାଇ ଚାଲିଯିବା ସହିତ ସେଠାରେ ଏକ ବାଳାଶ୍ରମରେ ରହି ପାଠ ପଢ଼ୁଥିଲା । ପରେ ବାଳାଶ୍ରମ କର୍ତ୍ତୃପକ୍ଷ ତାକୁ ବ୍ରହ୍ମପୁର ବାଳଶ୍ରକୁ ପଠାଇ ଦେଇଥିଲେ । ସେଠାରେ ଏକ କମ୍ପୁ୍ୟଟର କେନ୍ଦ୍ରରେ ଯୋଗ ଦେଇଥିଲା । ଏହି କେନ୍ଦ୍ର ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଗୀତଗାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ଉପସ୍ଥିତ ଅଧିକାରୀମାନେ ତା’ର ନାମ ପଚାରିଥିଲେ । ସେ ନିଜର ନିଖୋଜ କାହାଣି କହିବାରୁ ତା’ ପରିଚୟ ଜଣାପଡ଼ିଥିଲା । ପ୍ରଶାସନ ପକ୍ଷରୁ ତା’ ବିଷୟରେ ସୂଚନା ଦିଆଯିବା ପରେ ଛିଅଟିର ପରିବାର ଲେଶକେ ତାକୁ ଚିହ୍ନଟ କରିଛନ୍ତି । ପବିତ୍ର ରକ୍ଷାବନ୍ଧନ ଅବସରରେ ପରିବାର ସଦସ୍ୟ ବ୍ରହ୍ମପୁରରେ ପହଞ୍ଚôଛନ୍ତି । ପ୍ରାୟ ଏକ ଦଶନ୍ଧି ପରେ ବାପା-ମା’, ଭାଇଙ୍କ ସହିତ ଏକାଠି ହେବା ସହିତ ଭାଇ ହାତରେ ରାକ୍ଷୀ ବାନ୍ଧିଛି । ଏହା କୌଣସି ଫିଲ୍ମ କାହାଣି ନୁହେଁ, ଏକ ସତ୍ୟ ଘଟଣା ।  ରଜନୀ ନାମକ ଝିଅଟି ଚଳିତ ମାସ ୮ ତାରଖରେ ଆନ୍ଧ୍ର ବ୍ୟାଙ୍କର ଆବାର୍ଡଠାରେ ଚାଲିଥିବା ମାସିକିଆ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ବ୍ରହ୍ମପୁର ବାଳାଶ୍ରମରୁ ଆସି ଯୋଗ ଦେଇଥିଲା । ସେଠାରେ ୧୦ ତାରିଖ ଦିନ ହୋଇଥିବା ଫାଇନାଲ ପ୍ରସ୍ତୁତି କର୍ମଶାଳାରେ ସେ ଏକ ଗୀତ ଗାଇଥିଲା । ଭଲ ଗୀତ ଗାଇବାରୁ ଉପସ୍ଥିତ ଅଧିକାରୀମାନେ ତାର ପରିଚୟ ପଚାରିବାରୁ ସେ ନିଜ ନାମ ରଜନୀ ଓ ସାଙ୍ଗିଆ ଜାଣି ନଥିବା କହିଥିଲା । ନିଜ ବିଷୟରେ କହିବାକୁ ଯାଇ ରଜନୀ କହିଥିଲା, ସେ ଦ୍ୱିତୀୟ ଶ୍ରେଣୀ ପଢୁଥିବା ବେଳେ ପରିବାର ସହ ଚରମ୍ପାରୁ ଭଦ୍ରକ କାଳୀପୂଜା ଦେଖିବାକୁ ଯାଇ ଥିଲା । ସେଠାରୁ ଭିଡରେ ପରିବାର ଠାରୁ ଅଲଗା ହୋଇଯାଇଥିଲା । ଭୂଲରେ ଚରମ୍ପାରୁ ଟ୍ରେନରେ ଚେନ୍ନାଇ ଚାଲି ଯାଇଥିଲା । ଚେନ୍ନାଇ ପୋଲିସ ତାକୁ ସେଠାରେ ଥିବା ସେଣ୍ଟ୍ରାଲ ବାଳାଶ୍ରମକୁ ନେଇଥିଲେ । ଘର ଓଡ଼ିଶା ବୋଲି ଜାଣିବା ପରେ ୨୦୦୬ ଏପ୍ରିଲ ୧ ତାରିଖରେ ବ୍ରହ୍ମପୁର ବାଳାଶ୍ରମରେ ଆଣି ଛାଡିଥିଲେ । ଏବେ ରଜନୀ ଯୁକ୍ତ ଦୁଇ ପଢୁଛି । ଏହି ବିଷୟ ଗଣମାଧ୍ୟମରେ ପ୍ରଚାରିତ ହେଲା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ ଓ ଆବାର୍ଡ ଟ୍ରେନିଙ୍ଗ ସେଣ୍ଟର କର୍ମକର୍ତ୍ତା ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଜଣାଇଥିଲେ । ସେହିପରି ତା’ବାପା ମା, ବଡ଼ଭାଇ ସିଡବ୍ଲୁସି ,ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ରଜନୀ ତାଙ୍କର ଝିଅ ବୋଲି ଦାବି କରିଥିଲେ । ତାଙ୍କ ଝିଅର ବାମ ପାଖରେ କଳାଦାଗ ଅଛି ବୋଲି କହିବା ସହ ଝିଅ ସହ କଥା ହୋଇ ପୁରୁଣା କଥା ଦୋହରାଇ ଥିଲେ । ଏସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ର ଝିଅ ସହ ଅଲୋଚନା କରି ଡିଏନଏ ଟେଷ୍ଟ କରାଯିବା ବୋଲି କହିଥିଲେ । ପରିବାର ଲୋକେ ଭଦ୍ରକ ଫେରି ଯାଇଥିଲେ । ଆଜି ରକ୍ଷା ବନ୍ଧନ ଅବସରରେ ଛତ୍ରପୁରସ୍ଥିତ ଆନ୍ଧ୍ରା ବ୍ୟାଙ୍କ ଗ୍ରାମ୍ୟ ଉନ୍ନୟନ ଅନୁଷ୍ଠାନର ଟ୍ରେନିଂ ସେଣ୍ଟରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଚଳଚ୍ଚିତ୍ରରେ ଦେଖିଲା ପରି ଚରମ୍ପା ନିକଟ ଡଗରା ସାହିର ବାସିନ୍ଦା ତଥା ହଜିଥିବା ରଜନୀର ମାଁ, ମାଉସୀ ଓ ବଡ଼ଭାଇ ପହଞ୍ଚି ଥିଲେ । ରଜନୀ ହଜିଥିବା ପରିବାର ଲୋକମାନଙ୍କୁ ଦେଖିଥିଲା । ଟ୍ରେନିଂ ସେଣ୍ଟରରେ ଥିବା କର୍ମଚାରୀ ଓ ବାଳିକାମାନଙ୍କୁ ରଜନୀ ନିଜ ପରିବାର ଲୋକମାନଙ୍କୁ ମିଶାଇଥିଲା । ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ରଜନୀ ଓ ତା’ ପରିବାରକୁ ଭେଟି ଫୁଲ ତୋଡ଼ା ଦେଇ ସ୍ୱାଗତ ଜଣାଇଥିଲେ । ପରେ ରଜନୀ ବଡ଼ଭାଇ ଭାଇ ରବିଙ୍କୁ ସମସ୍ତ ଉପସ୍ଥିତରେ ରାକ୍ଷୀ ବାନ୍ଧି ଆଶିର୍ବାଦ ଗ୍ରହଣ କରିଥିଲା । ସ୍ଥାନୀୟ ସିଡବ୍ଲୁ୍ୟସି ଓ ଭଦ୍ରକ ସିଡବ୍ଲୁ୍ୟସି ମିଳିତ ଭାବେ ତଦନ୍ତ କରି ଏମାନଙ୍କର ଡିଏନ ଟେଷ୍ଟ କରିବେ । ଏହା ପରେ ରଜନୀକୁ ପରିବାର ବର୍ଗଙ୍କ ହାତରେ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ ।

ସେଆର କରନ୍ତୁ:



Powered by odothemes.com