cm-front

ହିଞ୍ଜିଳିରୁ ନବୀନଙ୍କ ପ୍ରାର୍ଥôପତ୍ର ଦାଖଲ

23

ବ୍ରହ୍ମପୁର, ୨୦ା୩ (ବୁ୍ୟରୋ): ହିଞ୍ଜିଳିରୁ ପଞ୍ଚମ ଥର ପାଇଁ ପ୍ରାର୍ଥୀ ହୋଇଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୂର୍ବାହ୍ନ ୧୧ଟା ୧୦ମିନିଟ୍ରେ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛତ୍ରପୁର ସ୍ଥିତ ଅତିରିକ୍ତ ଉପ-ଜିଲ୍ଲାପାଳ ତଥା ରିଟର୍ଣ୍ଣି ଅଫିସର ସଚ୍ଚିଦାନନ୍ଦ ନାୟକଙ୍କ ନିକଟରେ ନବୀନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ତାରାତାରିଣୀ ମନ୍ଦିରକୁ ଯାଇ ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ପରେ ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ନାମାଙ୍କନ ପତ୍ର ଦାଖଲ ବେଳେ ଗଞ୍ଜାମ ଜିଲ୍ଲାର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଅପରପକ୍ଷରେ ବିଜେପୁର ଆସନ ଲାଗି ମୁଖ୍ୟମନ୍ତ୍ରୀ ଆସନ୍ତା ୨୫ ତାରିଖରେ ନାମାଙ୍କନ ଦାଖଲ କରିପାରନ୍ତି ବୋଲି ସୂଚନା ମିଳିଛି । ନାମାଙ୍କନ ଦାଖଲ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହଛନ୍ତିି ଏଥର ନିର୍ବାଚନରେ ଆମେ ବହୁ ଆସନରେ ବିଜୟୀ ହେବୁ । ଖୁବ୍ଶୀଘ୍ର ବିଜେପୁର ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିବି ବୋଲି ସେ କହିଛନ୍ତି । ସେହିପରି ବିଜେଡିରୁ ଚିକିଟୀ ବିଧାନସଭା ଆସନରୁ ପଞ୍ଚମ ଥର ପାଇଁ ରାଣୀସାହେବା ଉଷା ଦେବୀ ନିଜ ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ ୧୮ ତାରିଖରୁ ଆରମ୍ଭ ହୋଇଥିବାବେଳେ, ଆସନ୍ତା ୨୫ ତାରିଖରେ ଏହା ଶେଷ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲ ୧୯ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖରେ ସରିବ । ପ୍ରଥମେ ବିଜେଡି ଗତ ୧୮ ତାରିଖରେ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ବିଜେପି ଏଯାଏଁ ଗୋଟିଏ ବି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିନଥିବାବେଳେ ସୋମବାର ରାତି ଅଧରେ କଂଗ୍ରେସ ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା । ଚଳିତ ଥର ବିଜେଡି ସୁପ୍ରିମୋ ହିଞ୍ଜିଳି ଓ ବିଜେପୁରରୁ ପ୍ରାର୍ଥୀ ହେଉଛନ୍ତି । ଆଜି ହିଞ୍ଜିଳିରୁ ନାମାଙ୍କନ ଦାଖଲ କରି ସାରିବା ପରେ ଆସନ୍ତା ୨୫ ତାରିଖ ସୁଦ୍ଧା ବିଜେପୁର ବିଧାନସଭା ପାଇଁ ନାମାଙ୍କନ ଦାଖଲ କରିବା ସମ୍ଭାବନା ଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ଦୁଇଟି ଆସନରୁ ଲଢ଼ୁଛନ୍ତି । ବୁଧବାର ନାମାଙ୍କନପତ୍ର ଦାଖଲ ଶୋଭାଯାତ୍ରାରେ ଜିଲ୍ଲା ବିଜେଡି ସଭାପତି ତଥା ଗୋପାଳପୁର ବିଧାୟକ ପ୍ରାର୍ଥୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଦଳର ସାଧାରଣ ସମ୍ପାଦକ ତଥା ଛତ୍ରପୁର ଆସନର ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା, ଭଂଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ, ଡ. ରମେଶଚନ୍ଦ୍ର ସାହୁ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା, ପୋଲସରା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ, ଆସ୍କା ସାଂସଦ ପ୍ରାର୍ଥୀ ପ୍ରମିଳା ବିଶୋୟୀ, ଆସିକା ବିଧାୟିକା ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ, ସତ୍ୟନାରାୟଣ ସ୍ୱାଇଁ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ବିସିିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ, କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ଲତିକା ପ୍ରଧାନ, ସାନଖେମୁଣ୍ଡି ବିଧାୟିକା ପ୍ରାର୍ଥୀ ନନ୍ଦିନୀ ଦେବୀ, ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ମୁକୁନ୍ଦ ଗୌଡ, ଆର୍. ମୂରଲୀମୋହନ, ଟୁନା ଦାଶ, ହିଞ୍ଜିଳିରୁ ସୁରେନ୍ଦ୍ର ପ୍ରଧାନ, ପ୍ୟାରୀମୋହନ ପାଢ଼ି, ପିଣ୍ଟୁ ପଟ୍ଟନାୟକ, ପ୍ରମୋଦ ପାତ୍ର, ନୀଳମଣି ପଟ୍ଟନାୟକ, ଭୀମସେନ ବେହେରା, ପବିତ୍ର ପାଣିଗ୍ରାହୀ, ମୁନା ପାତ୍ର, ହୀନ ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସାଧାରଣ ଜନତା ଯୋଗଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com