hotel-may-fair-re-SMART-MOBILITY-SALUTION--IN-BHUBANESWAR-karjyakrama-re-mukhya-sasana-sachiba-aditya-prasad-padhi-nkn-udbodhan

ସ୍ମାର୍ଟ ସିଟିରେ ବିଶ୍ୱସ୍ତରୀୟ ବସ୍ ସେବା

68

ଦ୍ ଫୋକସ୍ରେ ସ୍ମାର୍ଟ ଜନପଥ – ପ୍ରଥମ ପର୍ଯ୍ୟାୟରେ ଗଡ଼ିବ ୫୦୦ ବସ୍
ଭୁବନେଶ୍ୱର,(ବୁ୍ୟରୋ): ରାଜଧାନୀରେ ଭିଡ଼ ବଢ଼ିଚାଲିଛି । ଜନ ଗହଳିପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି । ଲଣ୍ଡନ, ହଂକଂ, ସିଙ୍ଗାପୁର ସହରରେ ଜନ ପରିବହନ ସେବା ବହୁ ଉଚ୍ଚକୋଟିର । ଏହାକୁ ଦୃଷ୍ଟିରେ ରଖି ଆଗାମୀ ୩୦ ବର୍ଷ ପାଇଁ ଜନ ପରିବହନ ବ୍ୟବସ୍ଥାକୁ ଯୋଜନାଭିତ୍ତିକ ଭାବେ କାର୍ଯ୍ୟ କରାଯିବ ବୋଲି ‘ସ୍ମାର୍ଟ ଯାତାୟତ ସୁବିଧା’କର୍ମଶାଳାରେ ଗୁରୁବାର ଯୋଗ ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି । ଭୁବନେଶ୍ୱର ସ୍ମାର୍ଟ ସିଟିରେ ଜନ ପରିବହନ ସେବାକୁ ଗୁରୁତ୍ୱ ଦିଆଯାଉଛି । ସହରରେ ସାଧାରଣ ଲୋକଙ୍କ ନିମନ୍ତେ ସିଟି ବସ୍କୁ ବୃଦ୍ଧି କରିବା ପାଇଁ ଏକ ଅନ୍ତର୍ଜାତୀୟ ସଂସ୍ଥାର କନ୍ସଲ୍ଟାଣ୍ଟକୁ ଦାୟିତ୍ୱ ଦିଆଯିବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି । ଶ୍ରୀ ପାଢ଼ୀ କହିଛନ୍ତି, ନାଗରିକଙ୍କୁ ଉତ୍ତମ ବସ୍ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଭୁବନେଶ୍ୱର ଏକ ଐତିହ୍ୟ ସହର । ସ୍ମାର୍ଟ ସିଟିରେ ଏହାର ସନ୍ତୁଳନ ରଖିବା ଜରୁରୀ । ଏଠାରେ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ଶିକ୍ଷାନୁଷ୍ଠାନର ପେଣ୍ଠସ୍ଥଳୀ ଭାବେ ଦେଶରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛି । ସାଧାରଣ ଲୋକ ଏହି ସହରରେ ସହଜରେ ନିଜର ବାଣିଜି୍ୟକ କାର୍ଯ୍ୟ ଆରମ୍ଭ କରିପାରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର କହିଛନ୍ତି, ସହରରେ ମେଟ୍ରୋ ଟ୍ରେନ୍ ନିର୍ମାଣ ପାଇଁ ବହୁ ଅର୍ଥ ଖର୍ଚ୍ଚ ହେବ । ୧୦୦ କିମି ମେଟ୍ରୋ ରେଳ ନିର୍ମାଣ ନିମନ୍ତେ ୬ହଜାର କୋଟି ବ୍ୟୟ ହେବ, ଯାହା ୧୦ % ଖର୍ଚ୍ଚରେ ଭୁବନେଶ୍ୱରରେ ପ୍ରାୟ ୫୦୦ ବସ୍ ଦୁଇ ବର୍ଷ ପାଇଁ ଚାଲିପାରିବ । ସହରରେ ଜନ ପରିବହନ ସେବାକୁ ଉନ୍ନତମାନର କରାଯିବ । ସାଧରଣ ଲୋକଙ୍କ ମେରୁଦଣ୍ଡ ହେଉଛି ଜନ ପରିବହନ । ବିଭିନ୍ନ ସ୍ଥାନରେ ଯୋଜନାଭିତ୍ତିକ ଭାବେ ରାସ୍ତାଗୁଡ଼ିକୁ ଅନ୍ତର୍ଜାତୀୟ ସ୍ତରର ପୂନଃ ଡିଜାଇନ୍ ହେବ । ପ୍ରଥମ ପର୍ଯ୍ୟାୟରେ ୫୦୦ ବସ୍ ଚଳାଚଳ କରିବ । ସହରରେ କିପରି ଇଲେକ୍ଟି୍ର ଚାଳିତ ବସ୍, ଡିଜେଲ୍ ଭଲଭୋ ବସ୍ ସେବା ଆରମ୍ଭ ହେବ । କେଉଁ ସ୍ଥାନରେ କେତେ ବସ୍ ଚାଲିବ ସେଥିପାଇଁ ସର୍ଭେ କରାଯିବ । ଏହିସବୁ ବସ୍ ଟର୍ମିନାଲ ପାଇଁ ଜାଗା ମଧ୍ୟ ଚିହ୍ନଟ ମଧ୍ୟ କରାଯିବ । ସାଧାରଣ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଅନ୍ତର୍ଜାତୀୟ ସ୍ତରର ସୁବିଧା ଯୋଗାଇ ଦେବାକୁ ବିଡିଏ ଲକ୍ଷ୍ୟ ରଖିଛି । ଏହି ସେବା ଆସନ୍ତା ଅକ୍ଟୋବର ମାସରେ ଆରମ୍ଭ ହେବ । ଏକମାସ ଭିତରେ ଏକ କନ୍ସଲ୍ଟାଣ୍ଟ୍ ନିଯୁକ୍ତ କରାଯିବ । ପରେ କନ୍ସଲ୍ଟାଣ୍ଟ ଡିପିଆର ପ୍ରସ୍ତୁକ କରି ବିଡିଏକୁ ପୈଠ କରିବ । ଏହାସହ ସ୍ମାର୍ଟ ଜନପଥ ନିର୍ମାଣକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ କୁମାର କହିଛନ୍ତି । ଶିଶୁଭବନ ଛକଠାରୁ ବାଣୀବିହାର ୫କିମି ପର୍ଯ୍ୟନ୍ତ ସ୍ମାର୍ଟ ଜନପଥ ନିମନ୍ତେ ୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ନାଗରିକଙ୍କ ପାଇଁ ପାଦଚଲା ରାସ୍ତା, ସାଇକେଲ ଚାଳନା, କାର ପାର୍କିଂ, ଟ୍ରାଫିକ୍ ପରିଚାଳନା, ସିସିଟିଭି ସର୍ଭେଲାନ୍ସ, ସାଇକେଲ ସେୟାରିଂ ଆଦି ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । କଲମ୍ବିଆ ଡବ୍ଲୁ୍ୟଆରଆଇ ସଂସ୍ଥାର ଏକ୍ସପର୍ଟ ଡ. ଡାରିଓ ହିଡାଲ୍ଗୋ ଦୀର୍ଘସ୍ଥାୟ ପରିବହନ ଉପରେ ଚର୍ଚ୍ଚା କରିଥିଲେ । ଏହି କର୍ମଶାଳାରେ ସ୍ମାର୍ଟ ସିଟି ସିଇଓ ଭିନିଲ୍ କି୍ରିଷ୍ଣା, ଉନ୍ନୟନ କମିଶନର ଆର ବାଲ୍କ୍ରିଷ୍ଣନ୍, ପୁଲିସ୍ କମିଶନର ୱାଇବି ଖୁରାନିଆ, ଦିଲ୍ଲୀ ଟ୍ରାନ୍ସପୋର୍ଟ ଏକ୍ସପର୍ଟ ଲଘୁ ପରାସର, ଆଇବିଆଇ ଗ୍ରୁପ୍ର ଅରବାନ୍ ପ୍ଲାନର ବଙ୍କିମ୍ କାଲ୍ରା ପ୍ରମୁଖ ଯୋଗ ଦେଇ ଜନ ପରିବହନ ବିଷୟରେ ମତ ରଖିଥିଲେ ।

ସେଆର କରନ୍ତୁ:



Powered by odothemes.com