DHAMARA-CHADA---2018-PHOTO-TIHIDI

ସ୍ଥଳଭାଗ ପୋତୁଛି, ଜଳଭାଗ କମୁଛି

78

ଧାମରା ମୁହାଣରେ ନୂଆ ବାଲିଦ୍ୱୀପ
ତିହିଡି (ଆପ୍ର): ଧାମରା ବନ୍ଦର ପ୍ରତିଷ୍ଠା ହେବା ପରେ ବନ୍ଦର ଉପକୂଳ ସ୍ଥଳଭାଗ ଧୀରେ ଧୀରେ ପୋତିବାରେ ଲାଗିଛି । ସମୁଦ୍ର କୂଳ ଏବେ ଏତେ ଶୀଘ୍ର ପୋତୁଛି ଯେ, ସ୍ଥଳଭାଗର ପରିମାଣ ୨୦୧୫-୧୬ ପରଠାରୁ ବଢ଼ୁଥିବା କୁହାଯାଉଛି । ଏହାଛଡା ଧାମରା ମୁହାଣରେ ନୂଆ ବାଲିଚଡା ସୃଷ୍ଟି ହୋଇଥିବାରୁ ଧାମରାରୁ ଅବ୍ଦୁଲ କଲାମ ଦ୍ୱୀପକୁ ଯିବା ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ବାଲିଚଡାଟି ଏତେ ଶୀଘ୍ର ଲମ୍ବିବାରେ ଲାଗିଛି ଯେ ଚାନ୍ଦବାଲିରୁ ତାଳଚୁଆକୁ ଯାଉଥିବା (ଭଦ୍ରକ-କେନ୍ଦ୍ରାପଡା) ଯାତ୍ରୀବାହୀ ଲଞ୍ଚ୍ ସନ୍ଧ୍ୟାରେ ଏହି ରାସ୍ତା ଅତିକ୍ରମ କରିବାବେଳେ ବାଲିଚଡାରେ ଲାଗୁଛି । ମୁହାଣ ମୁହଁରେ ଯାତ୍ରୀବାହୀ ଲଞ୍ଚ ବ୍ୟତୀତ ସମୁଦ୍ରକୁ ଯାତାୟାତ କରୁଥିବା ମତ୍ସ୍ୟଜୀବୀଙ୍କ ଟ୍ରଲର ଏହି ଚଡାରେ ପିଟି ହେଉଛି । ସମୁଦ୍ରର ଲହରି ମାଡରେ ଉପକୂଳ ଅଞ୍ଚଳରେ ବାଲିଚଡା ବା ବାଲିଦ୍ୱୀପ ସୃଷ୍ଟି ହୋଇଥାଏ । କିନ୍ତୁ ଭଦ୍ରକ ଜିଲ୍ଲା ଅଧୀନ ଧାମରା ମୁହାଣରେ କାଳିନାଳୀ ଘାଟରୁ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆକୁ ଯିବାବେଳେ ଚନ୍ଦନିପାଳ ନିକଟରେ ଏଭଳି ଏକ ବାଲିଦ୍ୱୀପ କାହିଁକି ଯେ ଦ୍ରୁତଗତିରେ ଗଢ଼ିଉଠୁଛି, ତାହା ଚିନ୍ତାଜନକ ହୋଇଛି । ଦିନକୁ ଦିନ ଏହାର ଆକାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ବାଲିଚଡା ନିକଟରେ ପାଣିର ଗଭୀରତା କମ୍ ଥିବାରୁ ମତ୍ସ୍ୟଜୀବୀଙ୍କୁ ମାଛଧରା ବୋଟ୍ ଦୁର୍ଘଟଣାଗ୍ରସ୍ତ ହେବାର ଭୟ ଘାରିଛି । ଭଟ୍ଟା ସମୟରେ ମତ୍ସ୍ୟଜୀବୀଙ୍କୁ ଡଙ୍ଗା ନେଇ ଧାମରା ମାଛଧରା ଜେଟିକୁ ଯିବାରେ ସମସ୍ୟା ହେଉଛି । ପ୍ରାକୃତିକ ଚଡାଟି ଆଗାମୀ ଦିନରେ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ଅବ୍ଦୁଲକଲାମ ଦ୍ୱୀପକୁ ଯାତାୟତରେ ବାଧା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ମତ୍ସ୍ୟଜୀବୀଙ୍କ ସୂତ୍ରରୁ ଜଣାଯାଇଛି ଯେ ଧାମରା ବନ୍ଦର ସଂଯୋଗୀକରଣ କ୍ଷେତ୍ରରେ ଗଭୀର ଚ୍ୟାନେଲ୍ ଖୋଳାଯିବାବେଳେ ନିୟୋଜିତ ଡ୍ରେଜିଂ କମ୍ପାନୀ ଚ୍ୟାନେଲ୍ରୁ ବାହାରୁଥିବା ବାଲିକୁ ପାଇପ୍ ଯୋଗେ ନେଇ ଚନ୍ଦନିପାଳସ୍ଥିତ ଏକ ଖୋଲା ସ୍ଥାନରେ ଜମା କରିଥିଲେ । ପରେ ସମୁଦ୍ର ଜୁଆରରେ ସେହି ବାଲି ବୋହିଆସି ଏହି ଚଡା ସୃଷ୍ଟି ହୋଇଛି । ଦିନକୁ ଦିନ ଚଡାର ଆକାର ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ଜଳପଥକୁ ସମ୍ପୂର୍ଣ୍ଣ ଅବରୋଧ କରିବାର ଆଶଙ୍କା ଉପୁଜିଛି । ଫଳରେ ଧାମରାର ପାରମ୍ପରିକ ମତ୍ସ୍ୟଜୀବୀଙ୍କ ମାଛଧରା ବେଉସା ପ୍ରତି ବିପଦ ସୃଷ୍ଟି ହୋଇଛି । ମତ୍ସ୍ୟଜୀବୀ ଏଭଳି ତଥ୍ୟ ଦେଉଥିବାବେଳେ ବିଭାଗୀୟ ଅଧିକାରୀ କୌଣସି ସୂଚନା ଦେଉନଥିବାରୁ ଏହାର ସତ୍ୟାସତ୍ୟ ତଦନ୍ତସାପେକ୍ଷ । ବାଲିଚଡାରେ କେତେକ ଲୁଣାଜାତୀୟ ଗଛ ଉଠିବା ପରେ ଚଡାର ଆକାର କ୍ରମେ ବୃଦ୍ଧି ପାଉଥିବାରୁ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧୀନ ସମୁଦ୍ର ମଧ୍ୟରେ ଏପରି ୧୩ଟି ଛୋଟବଡ ବାଲିଚଡା ରହିଛି । ସାମୁଦ୍ରିକ ଜୁଆର ପ୍ରଭାବରେ ପ୍ରତିବର୍ଷ କେତେକ ଚଡାର ଆକାର ବଢୁଛି ଓ କେତେକ ଛିଡିବାରେ ମଧ୍ୟ ଲାଗିଛି । ପ୍ରକାଶଯୋଗ୍ୟ, ୧୯୩୧ରେ ଧାମରା ବନ୍ଦରର ସୀମା ନିର୍ଦ୍ଧାରଣ ପାଇଁ ପ୍ରକାଶିତ ମ୍ୟାପ୍ରେ ମୁହାଣରେ ୮ଟି ବାଲିଦ୍ୱୀପ ଥିବା ସୂଚନା ଦିଆଯାଇଥିଲା । ମାତ୍ର ଏବେ ଏହା ୧୩କୁ ବୃଦ୍ଧି ପାଇଛି । ଏସବୁ ବାଲିଚଡାରେ ଲୁଣାଜାତୀୟ ଗଛ ଭରି ରହିଛି । ଚଡାରେ ଜନବସତିର ଚିହ୍ନବର୍ଣ୍ଣ ନାହିଁ । ଚଡା ସୃଷ୍ଟି ହେବା ଦିନରୁ ସମ୍ପୃକ୍ତ ସ୍ଥାନ ଶୂନ୍ଶାନ୍ ହୋଇରହିଛି । ପ୍ରଜନନ ଋତୁରେ କଇଁଛମାନେ ଏସବୁ ଚଡାକୁ ଅଣ୍ଡା ଦେବାକୁ ଆସୁଥିବା ଦେଖିବାକୁ ମିଳୁଛି ।

ସେଆର କରନ୍ତୁ:



Powered by odothemes.com