1-banda-hoithiba-Khardipur-prathamik-bidyalay

ସ୍କୁଲ୍ ମିଶ୍ରଣ ପରେ ବନ୍ଦ କୋଠରୀ ଏବେ ଗୁହାଳ

9

ଲକ୍ଷାଧିକ ଟଙ୍କାରେ ନିର୍ମିତ ଶ୍ରେଣୀଗୃହ, ପାଇଖାନା ଅସାମାଜିକଙ୍କ ଆଡ୍ଡା ପାଲଟିଛି
ବିଞ୍ଝାରପୁର, ୧୬ା୩(ଆପ୍ର): ରାଜ୍ୟର ବିଭିନ୍ନ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥାନ କମ୍ ରହୁଥିବାରୁ କେତେକ ସ୍କୁଲ୍କୁ ମିଶ୍ରଣ କରି ଦିଆଯାଇଛି । ଖାଲି ସ୍କୁଲ୍ ମିଶ୍ରଣ କରିଦେଲେ ପରିଚାଳନା ବ୍ୟବସ୍ଥା ତ ଠିକ୍ ହୋଇଯିବନି, କେତେକ ସ୍କୁଲ୍ରେ ଆବଶ୍ୟକ ଭିତ୍ତିଭୂମି ଥିଲେ ବି କେଉଁ କାରଣ ଦର୍ଶାଇ ଅନ୍ୟ ସ୍କୁଲ୍ଗୁଡିକରେ ଯୋଡ଼ି ଦିଆଯାଇଛି ତାହା ବୁଝା ପଡ଼ୁନି । ବିଞ୍ଝାରପୁର ବ୍ଲକ୍କୁ ଉଦାହରଣକୁ ନେଲେ ତାହା ସ୍ପଷ୍ଟ ଅନୁମେୟ ।
ବ୍ଲକ୍ରେ ୧୨ଟି ପ୍ରାଥମିକ ବିଦ୍ୟାଳୟରେ ତାଲା ଲଗା ଯାଇ ଏହାକୁ ବନ୍ଦ କରି ଦିଆଯାଇଛି । ଏହି ବିଦ୍ୟାଳୟରେ ନିଯୁକ୍ତ ଥିବା ଶିକ୍ଷକଙ୍କୁ ନିକଟବର୍ତ୍ତୀ ସ୍କୁଲ୍ରେ ନିଯୁକ୍ତି ଦିଆଯାଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେଠାରେ ଭର୍ତ୍ତି କରାଯାଇଛି । ଫଳରେ କେତେକ ସ୍ଥାନରେ ସମସ୍ୟା ସୃଷ୍ଟି କରିଛି । ଅପରପକ୍ଷେ ବନ୍ଦ ହୋଇଥିବା ସ୍କୁଲ୍ ପରିସର ଏବେ ମଦ୍ୟପ, ଅସାମାଜିକଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବିଦ୍ୟାଳୟ ଗୁଡିକରେ ପାଇଖାନା, ରନ୍ଧନଗୃହ ଓ ପିଲାଙ୍କ ଖେଳକୁଦ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଆଦି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ଏଗୁଡିକ ଏବେ ଅଦରକାରୀ ଓ ଅବହେଳିତ ହୋଇପଡ଼ିଛି । ଏହି ସୁଯୋଗରେ ସ୍ଥାନୀୟ କିଛି ଲୋକ ବିଭିନ୍ନ ଅସାମାଜିକ କାର୍ଯ୍ୟପାଇଁ ସୁରକ୍ଷିତ ପରିସର ଭାବେ ଏହାକୁ ବ୍ୟବହାର କରୁଥିବାବେଳେ କେତେକ ସ୍ଥାନରେ ସ୍କୁଲ କୋଠରୀ ଭିତରେ ଗାଈଗୋରୁ ବାନ୍ଧା ଯାଉଥିବା ଦେଖିବାକୁ ମିଳିଛି ।
‘ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ’ ସ୍ଲୋଗାନ୍ ଜରିଆରେ ବିଭିନ୍ନ ଅଞ୍ଚଳରେ ପିଲାମାନେ ତଥା ସେମାନଙ୍କ ଅଭିଭାବକଙ୍କୁ ସଚେତନ କରାଗଲା । ପିଲାମାନେ ବି ପଢ଼ିବାକୁ ଗଲେ । ଏବେ ସରକାରୀ ରିପୋର୍ଟ ଆଧାରରେ କେତେକ ସ୍କୁଲ୍ରେ ପିଲାସଂଖ୍ୟା କମିଗଲା? ବିଞ୍ଝାରପୁର ବ୍ଲକ୍ରେ ୧୦ରୁ ଊଦ୍ଧ୍ୱର୍ ସ୍କୁଲରେ ୧୦ରୁ କମ୍ ପିଲା ଥିବା ଗୋଷ୍ଠୀଶିକ୍ଷା ଅଧିକାରୀ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲେ । ଖର୍ଦ୍ଦିପୁର ଓ ଓସ୍ତଦାଣ୍ଡି ଭଳି ସ୍କୁଲ୍ମାନଙ୍କରେ ପିଲା ସଂଖ୍ୟା ମାତ୍ର ଜଣେ ଥିବା ଜଣା ଯାଇଥିଲା । ଏହିସବୁ ସ୍କୁଲରେ ୨ଜଣ ଶିକ୍ଷକ ନିଯୁକ୍ତି ପାଇଥିଲେ । ତେବେ ଓସ୍ତଦାଣ୍ଡି ଗାଁରୁ ୨ କିମି ଦୂରରେ ଗୁହାଳି ଓ ୩କିମି ଦୂରରେ ନୂଆଗାଁ ଓ କରପଦା ଠାରେ ପ୍ରାଥମିକ ବିଦ୍ୟାଳୟ ରହିଛି । ସବୁକଥା ବିଚାରକୁ ନିଆ ନଯାଇ ସ୍କୁଲଟିକୁ ବନ୍ଦ କରି ଦିଆଯାଇଛି । ବରୁଣାବାଙ୍କ ଓ ଖର୍ଦ୍ଦିପୁର ଭଳି ଗାଁରେ ସ୍କୁଲ ବନ୍ଦ ହୋଇଥିବା ବେଳେ ଏଠାରେ ସ୍ୱଚ୍ଛ ଶ୍ରେଣୀଗୃହ, ଏକାଧିକ ପାଇଖାନା, ପାନୀୟ ଜଳ ବ୍ୟବସ୍ଥା ଥିଲା । ସ୍କୁଲ ବନ୍ଦ ହେବାପରେ ଜବରଦଖଲକାରୀମାନେ ଏହାକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବାରେ ଲାଗିଛନ୍ତି ।
ଅନ୍ୟ ପକ୍ଷରେ ରାହାସ ଗୁହାଳୀ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀକୁ ମାତ୍ର ୨ଟି କୋଠରୀ ଭିତରେ ୩ଜଣ ଶିକ୍ଷକଶିକ୍ଷୟିତ୍ରୀ ଅତି ଦୟନୀୟ ଅବସ୍ଥାରେ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ସ୍କୁଲ ଘରେ ବିଲୁଆ ଡେଉଁଛି ତ ଆବଶ୍ୟକ ସ୍ଥାନରେ ଘରର ଅଭାବ । ଏ ସମ୍ପର୍କରେ ବିଇଓ କାର୍ଯ୍ୟାଳୟର ସରକାରୀବାବୁମାନେ ଅବଗତ ନଥିବା ଚର୍ଚ୍ଚା ହେଉଛି । ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ଅନ୍ନାଦା ପ୍ରସାଦ ରଣାଙ୍କୁ ପଚାରିବାରୁ ସେ ବନ୍ଦ ହୋଇଥିବା ସ୍କୁଲ ଗୃହର ସାମ୍ପ୍ରତିକ ଅବସ୍ଥା କଥା କହିପାରିନଥିଲେ । ତେବେ ସେ ଯାହା ହେଉନା କାହିଁକି ବ୍ଲକରେ ଗୋଟିଏ କ୍ୟାମ୍ପସ୍ରେ ଥିବା ସ୍କୁଲ୍ ଗୁଡିକର ମିଶ୍ରଣ କରାଯାଇଛି । ଫଳରେ ୭ଟି ପ୍ରାଥମିକ, ୬ଟି ଉଚ୍ଚ ପ୍ରାଥମିକ, ୨ଟି ୟୁଜିଏମ୍ଇ, ୨ଟି ନୋଡାଲ ହାଇସ୍କୁଲ ଏଥିରେ ପ୍ରଭାବିତ ହୋଇଛନ୍ତି ।

ସେଆର କରନ୍ତୁ:



Powered by odothemes.com