1-PMI--BIPADA-SANKULA-POKHARIKULA-UP-SCHOOL

ସ୍କୁଲ୍ ବାରଣ୍ଡାରେ ପାଲ ଟାଙ୍ଗି ପାଠପଢ଼ା

8

ପଟ୍ଟାମୁଣ୍ଡାଇ(ଆପ୍ର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ଓ ଦଳିତମାନଙ୍କ କଲ୍ୟାଣ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଚାଲିଛନ୍ତି । ହେଲେ ପ୍ରଶାସନିକ ଉଦାସୀନତାରୁ ଯୋଜନାର ସୁଫଳ ମିଳିପାରୁନାହିଁ । ଯାହାର ନଗ୍ନଚିତ୍ର ପଟ୍ଟାମୁଣ୍ଡାଇ ବ୍ଲକ୍ ତରଡିପାଳ ପଞ୍ଚାୟତ ପୋଖରୀକୂଳ ଉଚ୍ଚ ପ୍ରାଥମିକ ସ୍କୁଲ୍ରେ ଦେଖିବାକୁ ମିଳିଛି ।
ପୋଖରୀକୂଳରେ ବାସ କରୁଥିବା ଦଳିତ ପିଲାଙ୍କୁ ଶିକ୍ଷାଦାନ କରିବା ପାଇଁ ୧୯୮୯ରେ ପୋଖରୀକୂଳ ସ୍କୁଲ୍ ପ୍ରତିଷ୍ଠା କରାଯାଇଥିଲା । ସ୍କୁଲ୍ରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀରେ ୨୯ଜଣ ଦଳିତ ପିଲା ଅଧ୍ୟୟନ କରୁଛନ୍ତି । ଆଉ ଏଥିଲାଗି ୨ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ସ୍କୁଲ୍ ପ୍ରତିଷ୍ଠା ଦିନ ଠାରୁ ଏହାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ କୌଣସି ସରକାରୀ ଅନୁଦାନ ଯୋଗାଇ ଦିଆଯାଇନଥିବାରୁ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ୨ଟି ଆଜବେଷ୍ଟସ୍ କୋଠରୀ ବିଶିଷ୍ଟ ଶ୍ରେଣୀରେ ପିଲାମାନେ ଅଧ୍ୟୟନ କରୁଥିଲେ । ଦୂର୍ଗାପୂଜା ସମୟରେ ସ୍କୁଲ ବନ୍ଦ ଥିବାରୁ ମାଙ୍କଡ଼ ଉପଦ୍ରବରେ ୨ଟି କୋଠରୀରେ ଆଜବେଷ୍ଟସ୍ ଗୁଡିକ ଭାଙ୍ଗିରୁଜି ଯାଇଛି । ବନ୍ୟାବିପନ୍ନ ତରଡିପାଳ ପଞ୍ଚାୟତର ପୋଖରୀକୂଳ ସ୍କୁଲ୍ଟି ବନ୍ୟା ସମୟରେ ବୁଡି ଯାଉଥିବାରୁ ସ୍କୁଲ୍ କାନ୍ଥ ଗୁଡିକ ଫାଟି ଆଁ କରିଛି । ଏହି ଭଙ୍ଗାଦଦରା ଶ୍ରେଣୀ ଗୃହ ଗୁଡିକରେ ବିଷଧର ସାପ ବାସ କରୁଥିବା ଅଭିଯୋଗ ହୋଇଛି । ବିପଦସଂକୂଳ ଅବସ୍ଥାରେ ଥିବା ଶ୍ରେଣୀଗୃହ ଗୁଡିକ ଯେକୌଣସି ମୁହୂର୍ତ୍ତରେ ଭୁଶୁଡିବାର ଆଶଙ୍କା ସୃଷ୍ଟି ହୋଇଛି ।
ସ୍କୁଲ୍ର ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସାହୁଙ୍କ ପୁତ୍ର ରକ୍ତକର୍କଟ ରୋଗରେ ପୀଡିତ ଥିବାରୁ ସେ ଦୀର୍ଘଦିନ ଧରି ଛୁଟିରେ ଅଛନ୍ତି । ଅନ୍ୟତମ ଶିକ୍ଷକ ଭାବଗ୍ରାହୀ ଦାସ ବିପଦସଙ୍କୁଳ ଶ୍ରେଣୀଗୃହର ବାରଣ୍ଡାରେ ପାଲ ଟାଙ୍ଗି ପିଲାମାନଙ୍କୁ କୌଣସି ପ୍ରକାର ପଢ଼ାଉ ଥିବା ଦେଖାଯାଉଛି । ଏପରିକି ବିପଦସଂକୂଳ ଶ୍ରେଣୀଗୃହ ନିକଟରେ ଥିବା ପରିତ୍ୟକ୍ତ ଅଫିସ ଘରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହେଉଛି । ତରଡିପାଳ ସରପଞ୍ଚ ପ୍ରିୟଦର୍ଶନୀ ତରାଇ ପଞ୍ଚାୟତ ପାଣ୍ଠିରୁ ସ୍କୁଲ ମରାମତି ପାଇଁ ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ ଗ୍ରାମବାସୀମାନେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଅଡ଼ି ବସିବାରୁ ମରାମତି କାର୍ଯ୍ୟ ବନ୍ଦ ରହିଛି । ତତ୍କାଳୀନ ପଟ୍ଟାମୁଣ୍ଡାଇ ବିଇଓ ହିମାଂଶୁ ଭୂଷଣ ଓଝାଙ୍କୁ ପଚାରିବାରେ ସେ କହିଲେ ଏହି ସ୍କୁଲର ଅବସ୍ଥା ସଂପର୍କରେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର ଓ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପର୍ଯ୍ୟନ୍ତ ନିକଟସ୍ଥ ବାଲିକୁଡ଼ା ସ୍କୁଲରେ ପିଲାମାନଙ୍କୁ ଶିକ୍ଷାଦାନ ବ୍ୟବସ୍ଥା ଦିଗରେ ପଦକ୍ଷେପ ନିଆଯିବ ।
ବିଇଓଙ୍କ ନିଦେ୍ର୍ଦଶ ଅନୁଯାୟୀ ସାମୟିକ ଭାବେ ସ୍କୁଲ ପିଲାମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପିଲାମାନଙ୍କ ପାଠ ପଢ଼ା ପାଇଁ ଅଙ୍ଗନୱାଡି ଗୃହ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଗୃହ ଯୋଗାଇ ଦିଆଯାଇନଥିଲା । ପଞ୍ଚାୟତ ଅଫିସରେ ଭତ୍ତା ସମେତ ବିଭିନ୍ନ ସରକାରୀ ସହାୟତା ବଣ୍ଟନ ଓ ସରକାରୀ କାର୍ଯ୍ୟକ୍ରମ ନିମନ୍ତେ ସଭା ଅନୁଷ୍ଠିତ ହେଉଥିବାରୁ ପାଠପଢ଼ାରେ ଅସୁବିଧା ଅନୁଭବ କରି ପିଲାମାନେ ପୁନଃରାୟ ବିପଦସଂକୂଳ ସ୍କୁଲଗୃହକୁ ଫେରିବାକୁ ବାଧ୍ୟ ହୋଇଥିଲେ । ସ୍କୁଲ ପରିଚାଳନା କମିଟି ସଭାପତି କାର୍ତ୍ତିକ ମଳିକଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜିଲ୍ଲାପାଳ, ଡିପିସି, ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।

ସେଆର କରନ୍ତୁ:



Powered by odothemes.com