ସାରଥୀ ବିବାଦ: କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦ୍ଧେଶ

52

ଭୁବନେଶ୍ୱର, ୬ ।୮(ବୁ୍ୟରୋ): ସାଧାରଣ ଆକ୍ରୋଶର ସମ୍ମୁଖୀନ ହୋଇଥିବା ସାରଥୀ ବାବାଙ୍କ ବିବାଦୀୟ ଫଟୋଚିତ୍ର ତଥାକଥିତ ଅନୈତିକ ଆଚରଣ ଅଭିଯୋଗର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମ୍ ବ୍ରାଞ୍ଚକୁ ନିର୍ଦ୍ଧେଶ ଦେଇଛନ୍ତି । ଯଥାଶୀଘ୍ର ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ପାଇଲା ପରେ କ୍ରାଇମ୍ବ୍ରାଞ୍ଚର ଅତିରିକ୍ତ ଡିଜି ବିଜୟ ଶର୍ମା ତୁରନ୍ତ ୩ ଜଣିଆ ଟିମ୍ ଗଠନ କରିଛନ୍ତି । ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଏହି ତିନି ଜଣିଆ ତଦନ୍ତକାରୀ ଦଳ ଆସନ୍ତାକାଲି କେନ୍ଦ୍ରାପଡ଼ାର ବାରିମୂଳରେ ଥିବା ଶ୍ରୀମଦ୍ ସାରଥୀଙ୍କ ଆଶ୍ରମ ଯାଇ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି ।ସାରଥୀ ବାବା ଜଣେ ଯୁବତୀଙ୍କ ସହ ହାଇଦ୍ରାବାଦ୍ର ଗୋଲକୋଣ୍ଡା ହୋଟେଲ୍ରେ ଅୟସ କରୁଥିବାର ଫୁଟେଜ୍ ସହ ଏକ ଘରୋଇ ଟିଭି ଚ୍ୟାନେଲ୍ରେ ଖବର ପ୍ରସାରିତ ହେବା ପରେ କେନ୍ଦ୍ରାପଡାଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ସାରଥୀ ବାବାଙ୍କ ଅନୈତିକ ଆଚରଣ ବିରୋଧରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବାରିମୂଳସ୍ଥିତ ତାଙ୍କ ଆଶ୍ରମ ସାମ୍ନାରେ କାଲି ହଜାର ହଜାର ଲୋକେ ବିକ୍ଷୋଭ କରୁଥିବାବେଳେ ଆଶ୍ରମକୁ ସୁରକ୍ଷା ଦେବା ପାଇଁ ପୁଲିସ୍ ସେମାନଙ୍କୁ ଘଉଡାଇବାକୁ ଯାଇ ଲାଠିଚାର୍ଜ କରିଥିଲା । ସେଥିରେ ୧୨ ଜଣ ଆହତ ହୋଇଥିଲେ । ଆଜି ଏହାର ପ୍ରତିବାଦରେ କେନ୍ଦ୍ରାପଡାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ତିନିମୁହାଣୀ ଛକରେ ଥିବା ବାବାଙ୍କ ସୁଉଚ୍ଚ ବ୍ୟାନର ଛିଡାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଶ୍ରମ ସାମ୍ନାରେ ମଧ୍ୟ କାଲିଭଳି ବିକ୍ଷୋଭ ଚାଲିଥିଲା । ସନ୍ଧ୍ୟାରେ ଲୋକେ ବିକ୍ଷୋଭ କରୁଥିବାବେଳେ ପୁଲିସ୍ ପୁଣି ଲାଠିଚାର୍ଜ କରିଥିବା ଖବର ମିଳିଛି ।
ସାରଥୀ ବାବାଙ୍କ ସହ ଗୋଲକୋଣ୍ଡା ହୋଟେଲ୍ରେ ଥିବା ଯୁବତୀଙ୍କ ସମ୍ପର୍କରେ ଦୁଇଦିନ ଧରି ଖବର ପ୍ରସାରିତ ହେବାପରେ କାଲି ଯୁବତୀଙ୍କ ମା’ ଅଭିଯୋଗକୁ ଅସ୍ୱୀକାର କରିଥିଲେ । ଜୁନ୍ ୨ରୁ ୫ ତାରିଖ ମଧ୍ୟରେ ତାଙ୍କ ଝିଅ ହଷ୍ଟେଲରେ ଥିଲା ବୋଲି ସେ କହିବା ସହ ପ୍ୟାନ୍ କାର୍ଡ଼ର ଜେରକ୍ସରେ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଥିଲେ । ତେବେ ଯେଉଁ ଯୁବତୀଙ୍କ ନାମକୁ ସାରଥୀଙ୍କ ସହ ଯୋଡ଼ା ଯାଉଛି ସେ ଜଣେ ନର୍ସିଂ ଛାତ୍ରୀ ବୋଲି ଖବର ପ୍ରକାଶ ପାଇଛି । ଗତ ଜୁନ୍ ୨ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସେ ରହୁଥିବା ହଷ୍ଟେଲରୁ ଛୁଟି ନେବାକୁ ଦେଇଥିବା ଦରଖାସ୍ତକୁ ଆଜି ଆଉ ଏକ ଟିଭି ଚ୍ୟାନେଲ୍ ଦେଖାଇଛି । ଏହାଛଡ଼ା ଗତ ଜୁନ୍ ୩ରେ ସମ୍ପୃକ୍ତ ଯୁବତୀ ସାରଥୀଙ୍କ ସହ ଭୁବନେଶ୍ୱରରୁ ହ୍ରାଇଦାବାଦ ଯାଇଥିବା ଇଣ୍ଡିଗୋ ବିମାନର ଟିକେଟ୍କୁ ଏହି ଟିଭି ଚ୍ୟାନେଲ୍ ଦେଖାଇଛି । ସେଥିରେ ଯୁବତୀଙ୍କ ନାମ ଶ୍ରୀମତୀ ଆର.ମଲ୍ଲିକ୍ ଥିବାବେଳେ ସେ ସାରଥୀଙ୍କ ସହ ଯାତ୍ରା କରିଥିବା ପ୍ରମାଣ ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com