BIBAHA

ସାମୂହିକ ବିବାହ କଲେ ୫୫ ଦମ୍ପତି

16

ଅନୁଗୁଳ,୧୦ା୨(ଆପ୍ର): ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୁଳ ଶାଖା ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀମାର୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଦର୍ଶ ସାମୂହିକ ବିବାହ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ୫୫ ନବଦମ୍ପତି ସାମୂହିକ ବିବାହରେ ଯୋଗଦେଇ ନୂତନ ସଂସାର ଆରମ୍ଭ କରିଛନ୍ତି । ଆଦର୍ଶ ବିବାହ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟ ଓ ସମାଜ ସେବାରେ ଖ୍ୟାତି ଅର୍ଜନ କରିଥିବା ମାରୱାଡି ସମ୍ମିଳନୀ ସାମାଜିକ ଦାୟିତ୍ୱବୋଧର ଏହି ଅଭିନବ କାର୍ଯ୍ୟକ୍ରମ ଦ୍ୱାରା ସମାଜର ଆର୍ଥôକ ଅନଗ୍ରସର ବର୍ଗକୁ ସମ୍ମାନର ସହିତ ଦାମ୍ପତ୍ୟ ଜୀବନ ଆରମ୍ଭ କରିବା ପାଇଁ ସୁଯୋଗ ସୃଷ୍ଟିକରି ସଂଗଠନର ସାମାଜିକ ଅଙ୍ଗୀକାର ବଦ୍ଧତାକୁ ପ୍ରତିପାଦିତ କରିଛି ।
ପ୍ରକାଶଥାଉକି, ନୂଆପଡ଼ାର ପୂର୍ବତନ ବିଧାୟକ ତଥା ସମାଜସେବୀ ରାଜେନ୍ଦ୍ର ପ୍ରସାଦ ଡୋଲକିଆଙ୍କ ଦ୍ୱାରା ବିଗତ କିଛି ବର୍ଷଧରି ଖରିଆରରୋଡ୍ଠାରେ ଅନୁଷ୍ଠିତ ହେଉଥିବା ଆଦର୍ଶ ସାମୂହିକ ବିବାହର ସୁଦୂର ପ୍ରସାରୀ ପ୍ରଭାବରେ ପ୍ରଭାବିତ ଅନୁଗୁଳର ବଦାନ୍ୟ ମାରୱାଡି ସମାଜ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ ସଂସ୍ଥାମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସମାହିତ କରିପାରିଛି । ସଭାରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୁଳ ଶାଖାର ସଭାପତି ଲଡ଼ୁକେଶ୍ୱର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଓ ମହାବୀର ପ୍ରସାଦ ଅଗ୍ରୱାଲଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାନସଭା କ୍ଷେତ୍ରର ବିଧାୟକ ରଜନୀକାନ୍ତ ସିଂହ ଓ ସମ୍ମାନୀତ ଅତିଥିଭାବେ ରାଜେନ୍ଦ୍ର ପ୍ରସାଦ ଡୋଲକିଆ, ଅଶୋକ ଜୀ ଜାଲାନ, ଗୌରୀଶଙ୍କର ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି ଏହି କାର୍ଯ୍ୟକ୍ରମ ଅନୁଗୁଳ ଇତିହାସରେ ଏକ ଅବିସ୍ମରଣୀୟ ଘଟଣା ବୋଲି ବର୍ଣ୍ଣନା କରିଥିଲେ । ସାମୂହିକ ବିବାହର ବିବରଣୀ ଜିତେନ୍ଦ୍ର କୁମାର ଗୁପ୍ତା ଓ ନନ୍ଦୁଲାଲ ଅଗ୍ରୱାଲ କରିଥିବା ବେଳେ ପୁରୁଷୋତ୍ତମ ଅଗ୍ରୱାଲ ମଞ୍ଚ ସଞ୍ଚାଳନ କରିଥିଲେ । ଶେଷରେ ମାତାଦିନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଶାନ୍ତିକୁଞ୍ଜ ହରିଦ୍ୱାରା ଗାୟତ୍ରୀ ପରିବାରର ଦେବଜ୍ଞ ପଣ୍ଡିତଙ୍କ ଦ୍ୱାରା ସଂପୂର୍ଣ୍ଣ ହିନ୍ଦୁ ବୈଦିକ ରୀତିରେ ଏକ ଭାବପୂର୍ଣ୍ଣ ପରିବେଶରେ ମୋଟ ୧୪ ଗୋଟି ମଣ୍ଡପରେ ଏହି ଆଦର୍ଶ ବିବାହ ସମ୍ପନ୍ନ କରାଯାଇଥିଲା । ଉଭୟ ପକ୍ଷର ସ୍ୱୀକୃତିକ୍ରମେ ପୂର୍ବରୁ ଆଇନଗତ ଭାବେ ପଞ୍ଜିକରଣ କରାଯାଇଥିବା ବିବାହ ଯୋଗ୍ୟ ପୁଅ-ଝିଅଙ୍କୁ ଆଜି ଆୟୋଜକ ସଂସ୍ଥା ପକ୍ଷରୁ ସାମାଜିକ ସ୍ୱୀକୃତି ପ୍ରଦାନ କରାଯାଇ ସୁଖୀ ଦାମ୍ପତ୍ୟ ଜୀବନର କାମନା କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com