ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ଦାରୁଶଗଡ଼ି

37

ପୁରୀ,୨୧ା୫(ଆପ୍ର): ପୁଲିସ ସୁରକ୍ଷା ବଳୟ ଓ ଶ୍ରଦ୍ଧାଳୁଭକ୍ତଙ୍କ ଜୟ ଜୟକାର ଧ୍ୱନି ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ମହାଦାରୁ ଶଗଡ଼ି ଗୁଣ୍ଡିଚାମନ୍ଦିର ସନ୍ନିକଟ ଯଜ୍ଞନୃସିଂହ ମନ୍ଦିର ନିକଟରେ ପହଞ୍ଚିଛି । ଚକ୍ରରାଜ ସୁଦର୍ଶନ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମହାଦାରୁ କ୍ରମାନ୍ୱୟରେ କୋଇଲି ବୈକୁଣ୍ଠସ୍ଥିତ ଦାରୁଶାଳାରେ ପହଞ୍ଚିଛନ୍ତି । ଆସନ୍ତାକାଲି ଜଗତରନାଥ ଶ୍ରୀଜଗନ୍ନାଥଙ୍କ ମହାଦାରୁ କୋଇଲି ବୈକୁଣ୍ଠସ୍ଥିତ ଦାରୁଶାଳାରେ ପହଞ୍ଚିବ । ଗତ୧୪ ତାରିଖ ଗୁରୁବାର ଠାରୁ ଜଗତ୍ସିଂହପୁର ଜିଲ୍ଲାର ଖରିପଡ଼ିଆନିକଟରୁ ଦାରୁଶଗଡ଼ିଧରି ବାହାରିଥିବା ଦଇତାସେବକମାନେ ଗତକାଲି ତେଇସପୁରଠାରେ ପହଞ୍ଚିବା ସେଠାରେ ରାତ୍ରୀଯାପନ କରିଥିଲେ । ଆଜି ସକାଳେ ବୀରଗୋବିନ୍ଦପୁରଠାରେ ପହଞ୍ଚି ବିଶ୍ରାମ କରିବା ପରେ ଅପରାହ୍ନରେ ଦାରୁ ଶଗଡି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ୧୬୦ କିମି ପଥ ଅତିକ୍ରମ କରିବା ପରେ ରାତିରେ ଦାରୁଶଗଡି ଧରି ଦଇତାମାନେ ଯଜ୍ଞନୃସିଂହ ମନ୍ଦିର ନିକଟରେ ପହଞ୍ଚଥିଲେ । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ଦାରୁଶଗଡ଼ି ଯାତ୍ରା କରିବା ସମୟରେ ଚନ୍ଦନପୁର, ବୀରହରେକୃଷ୍ଣପୁର, ରାଉତରାପୁର, ଚାରିନଳା ଓ ଅଠରନଳା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ଶ୍ରଦ୍ଧାଳୁ ମହାଦାରୁଙ୍କୁ ଦର୍ଶନ କରିଥିଲେ । ଭକ୍ତଙ୍କର ହୁଳହୁଳି, ଶଙ୍ଖଧ୍ୱନି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଜାତୀୟ ରାଜପଥ ପ୍ରକମ୍ପିତ ହୋଇ ଉଠିଥିଲା । ଦାରୁଶଗଡ଼ି ସହିତ ବହୁଭକ୍ତ ଭାବ ବିହ୍ୱଳ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା । ମହାଦାରୁ ଶଗଡ଼ି ପହଞ୍ଚିବା ପରେ ଯଜ୍ଞନୃସିଂହ ମନ୍ଦିରରେ ବନଯାଗଯାତ୍ରୀମାନେ ଆଜି ରାତ୍ରୀ ଯାପନ କରିଛନ୍ତି । ପରମ୍ପରା ଅନୁଯାୟୀ ଦାରୁଶଗଡ଼ି ପହଞ୍ଚିବା ଖବର ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯିବ । ଶ୍ରୀମନ୍ଦିରରେ ଅବକାଶ ନୀତି ଶେଷ ହେବା ପରେ ବିଜେ କାହାଳୀ ସହିତ ଛତିଶା ନିଯୋଗର ବହୁ ପ୍ରମୁଖ ସେବାୟତ ମହାଦାରୁଙ୍କୁ ପାଛୋଟି ନେବାକୁ ନୃସିଂହ ମନ୍ଦିର ନିକଟରେ ପହଞ୍ଚିବେ । ଆସନ୍ତାକାଲି ଶ୍ରୀନୃସିଂହ ମନ୍ଦିର ନିକଟରେ ଗୁପ୍ତ ନୀତି ସମ୍ପନ୍ନ ହେବ । ପରେ ମହାଦାରୁ ଶଗଡିକୁ ବିରାଟ ପଟୁଆରରେ ଶ୍ରୀମନ୍ଦିରର ଉତ୍ତର ଦ୍ୱାରଦେଇ କୋଇଲି ବୈକୁଣ୍ଠକୁ ନିଆଯିବ ।

ସେଆର କରନ୍ତୁ:



Powered by odothemes.com