4-Maa-Sarala-Ghata-Patuaa-Nrytya

ଶାରଳାଙ୍କ ଦଶଘଟ ନୃତ୍ୟ ପରମ୍ପରା ଆରମ୍ଭ

6

ତିର୍ତ୍ତୋଲ(ଆପ୍ର): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀଙ୍କର ଦଶଘଟ ନୃତ୍ୟ ପବିତ୍ର ମୀନ ସଂକ୍ରାନ୍ତି ଠାରୁ ଶୁଭାରମ୍ଭ ହୋଇଛି । ଏହି ଦଶଘଟପାଟୁଆମାନେ ଆଜି ଠାରୁ ଏକ ମାସ ଧରି ରାଜ୍ୟର ପୁରପଲ୍ଲୀରେ ପହଞ୍ଚି ମାଙ୍କର ମହିମା ପ୍ରଚାର କରିଥାଆନ୍ତି । ଏକମାସ ପୁରପଲ୍ଲୀରେ ପରିକ୍ରମା ପରେ ଆସନ୍ତା ମାସ ମହା ବିଷୁବ ପଣା ସଂକ୍ରାନ୍ତି ଝାମୁଯାତ୍ରା ଦିନ ମାଙ୍କ ପୀଠକୁ ଦଶଘଟପାଟୁଆମାନେ ଫେରିଆସିଥାଆନ୍ତି । ମା ଶାରଳାଙ୍କ ମନ୍ଦିରରୁ ଘଣ୍ଟଘଣ୍ଟା କାହାଳୀ, ଆଲଟ ଚାମ୍ବର, ଭରୀତୂରୀ ଏକ ବର୍ଣ୍ଣାଢ଼୍ୟ ପଟୁଆରରେ ମା ଶାରଳାଙ୍କ ଚଳନ୍ତି ପ୍ରତିମାକୁ ସେବାୟତମାନେ ହରିପୁରସ୍ଥିତ ଚରଖିପଡ଼ିଆ ନଣ୍ଡାଦେଉଳ ନିକଟକୁ ନେଇଥାଆନ୍ତି । ସେଠାରେ ପୂଜାର୍ଚ୍ଚନା କରାଯିବା ସହିତ ମାସ ମାସ ଧରି ମାନସିକ ବ୍ରତ ରଖିଥିବା ଘଟପାଟୁଆମାନେ ଅଗ୍ନିକୁଣ୍ଡ ଉପରେ ପଦଯାତ୍ରା କରିଥାଆନ୍ତି ବୋଲି ମା ଶାରଳା ସଂସ୍କୃତି ପ୍ରଚାରକ ରମାକାନ୍ତ ରାଉଳ ସୂଚନା ପ୍ରଦାନ କରିଛନ୍ତି ।
ଏହି ଉପଲକ୍ଷେ ଆଜି ଦଶଘଟ ନୃତ୍ୟର ଘଟଧାରୀ ସେବାୟତ ୧୦ ଜଣ ରାଉଳ ଅପରାହ୍ଣ ୪ଟାରେ କନକପୁର ଦେଉଳି ଗ୍ରାମସ୍ଥିତ ବାବା କନକେଶ୍ୱର ମହାଦେବଙ୍କ ସମ୍ମୁଖସ୍ଥ ବୃଦ୍ଧାନଦୀ ମଣ୍ଡପରେ ଦଶଘଟକୁ ସଜ୍ଜିତ କରି ବେଶ ପୋଷାକ ପିନ୍ଧିବା ପରେ ପୂଜାର୍ଚ୍ଚନା କରାଯାଇଥିଲା । ଘଣ୍ଟନାଦରେ ଗାଁଦାଣ୍ଡ ପ୍ରକମ୍ପିତ ହୋଇଥିଲା । ମନ୍ଦିର ପ୍ରଶାସନ ତରଫରୁ ମାଆଙ୍କ ଘଟରେ ଶାଢ଼ୀ ପ୍ରଦାନ କରାଯାଇଥିଲା । ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରରେ ଘଟଦଣ୍ଡକୁ ମୁଣ୍ଡାଇ ଘଟପାଟୁଆ ମାନେ ଶାରଳା ମନ୍ଦିରରେ ପହଞ୍ଚିବାପରେ ମାଆଙ୍କ ସିଂହାସନ ପାଖରେ ବଡ଼ପଣ୍ଡା ଦଶଘଟର ଗୁପ୍ତପୂଜା କରିଥିଲେ । ପରେ ପରେ ମନ୍ଦିରରୁ ଦଶଜଣ ଘଟପାଟୁଆ ମନ୍ଦିର ବେଢ଼ା ପରିକ୍ରମା କରିବାପରେ ସମ୍ମୁଖ ଭାଗରେ ଘଟନୃତ୍ୟ ପ୍ରଦର୍ଶନ କରିଥିଲେ ।

ସେଆର କରନ୍ତୁ:



Powered by odothemes.com