ରାତି ପାହିଲେ ଅଗଷ୍ଟ ପନ୍ଦର

54

ଭୁବନେଶ୍ୱର,(ବୁ୍ୟରୋ): ରାତି ପାହିଲେ ସ୍ୱାଧୀନତା ଦିବସ । ଏଥିପାଇଁ ସାରା ଦେଶ ଚଳଚଞ୍ଚଳ । ରାଜଧାନୀର ମହାତ୍ମା ଗାନ୍ଧୀମାର୍ଗରେ ହେବାକୁଥିବା ରାଜ୍ୟସ୍ତରୀୟ ପରେଡ୍ ପାଇଁ ଶନିବାର ଫାଇନାଲ୍ ରିହରସାଲ ଶେଷ ହୋଇଛି । ଏଥିସହ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଶନିବାର ସକାଳେ ପରେଡ୍ରେ ଅଂଶ ଗ୍ରହଣ କରିଥିବା ୬୪ ଟି ଦଳ ଫୁଲ୍ ଡ୍ରେସ୍ ରିହରସାଲ କରିଥିଲେ । ପ୍ରଥମ ଥର ପାଇଁ ଆନ୍ଧ୍ର ପୁଲିସ୍୍ର ୨ଟି ସ୍ୱତନ୍ତ୍ର ଗ୍ରୁପ୍ ପରେଡ୍ରେ ଅଂଶ ଗ୍ରହଣ କରୁଛନ୍ତି । ସିଆରପିଏଫ୍, ପୁଲିସ୍, ନିଆଁ ଲିଭା ଟିମ୍ ବ୍ୟତୀତ ବିଭିନ୍ନ ସ୍କୁଲ ଓ କଲେଜ୍ର ଏନ୍ସିସି, ସ୍କାଉଟ୍ ଗାଇଡ୍, ରେଡ୍କ୍ରସ୍ ଗ୍ରୁପ୍ ଅଂଶଗ୍ରହଣ କରିଛନ୍ତି । ତେବେ ଏଥିରେ କୌଣସି ସିଭିଲିଆନ୍ ଟ୍ରୁପ୍ ଭାଗ ନେବେ ନାହିଁ । ପରେଡ୍ରେ ଡେୟାର ଡେଭିଲ୍, ସ୍କେଟିଂ, ହର୍ସ ରାଇଡିଂ ପ୍ରଭୃତି ସାମିଲ ହୋଇଛନ୍ତି ।  ଶନିବାର ପରେଡ୍ ରିହରସାଲ୍ ସରିବା ପରେ ଆରମ୍ଭ ହୋଇଛି ସାଜସଜ୍ଜା କାମ । ମହାତ୍ମାଗାନ୍ଧୀ ମାର୍ଗରେ ଥିବା ଫୁଟ୍ପାଥକୁ ରଙ୍ଗ କରାଯିବା ସହ ରାସ୍ତା ଉପରକୁ ଆଡ଼ି ଆସିଥିବା ଗଛଗୁଡ଼ିକୁ ମଧ୍ୟ କଟାଯାଇଛି । ଏଥିସହ ରାସ୍ତାକଡ଼ରେ ସମସ୍ତ ଅଳିଆ ହଟାଇ ଦିଆଯାଇଛି । ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ୩୫ ପ୍ଲାଟୁନ୍ ପୁଲିସ ଫୋର୍ସ, ଦୁଇଟି କୁ୍ୟଆରଟି ସହ ଏସ୍ଓଜି ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି । ଏଥିସହ ୫୦ ଜଣ ଇନ୍ସପେକ୍ଟର, ୧୫୦ ଜଣ ସବ୍-ଇନ୍ସପେକ୍ଟରଙ୍କୁ ସୁରକ୍ଷାରେ ନିଯୋଜିତ କରାଯାଇଛି । ଡିସିପିଙ୍କ ସମେତ ୭ ଜଣ ଏସ୍ପି ସୁରକ୍ଷା ଦାୟିତ୍ୱକୁ ତଦାରଖ କରିବେ । ରାଜ୍ୟସ୍ତରୀୟ ପରେଡ୍ ନିମନ୍ତେ ମହାତ୍ମା ଗାନ୍ଧୀ ମାର୍ଗରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିବାକୁ ଥିବାରୁ ପରେଡ୍ ସ୍ଥଳରେ ପୋଲିସ୍ କଣ୍ଟ୍ରୋଲ ରୁମ୍ ତିଆରି କରାଯିବା ସହ ସ୍ଥାନେ ସ୍ଥାନେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ଏଥିସହ ପରେଡ୍ ସ୍ଥଳରେ ବମ୍ ସ୍କ୍ୱାର୍ଡ ଓ ସନ୍ଧାନୀ କୁକୁର ସାହାଯ୍ୟରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯାଇଛି । ପରେଡ୍ ନିମନ୍ତେ ମହାତ୍ମାଗାନ୍ଧୀ ମାର୍ଗରେ ଟ୍ରାଫିକ କଟକଣା ଜାରି କରାଯାଇଛି । ସକାଳ ସାଢ଼େ ୬ଟାରୁ ପରେଡ୍ ସରିବା ପର୍ଯ୍ୟନ୍ତ ଯାନବାହାନ ଚଳାଚଳକୁ ବନ୍ଦ କରିଦିଆଯାଇଛି । ରାମ ମନ୍ଦିର ଓ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟନ୍ ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ନିଷେଧ କରାଯାଇଛି । ଆ·ର୍ଯ୍ୟ ବିହାରରୁ ରବୀନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ି କେଶରୀ ଟକିଜ୍ ଛକରୁ ବାମ ପଟେ ଦେଇ ଯିବା ପାଇଁ ପଡ଼ିବ ।

ସେଆର କରନ୍ତୁ:



Powered by odothemes.com