ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା ଗଣମାଧ୍ୟମର ଧର୍ମ ହେଉ

46

ଭୁବନେଶ୍ୱର,(ବୁ୍ୟରୋ): ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା ଗଣମାଧ୍ୟମର ଧର୍ମ ହେଉ । ଦେଶରେ ବାକ୍ ସ୍ୱାଧୀନତାର କଣ୍ଠରୋଧ କରାଯାଉଛି ବୋଲି ଯେଉଁ ପ୍ରଚାର ଚାଲିଛି, ଗଣମାଧ୍ୟମ ତା’ର ନିରପେକ୍ଷ ଚିତ୍ର ପ୍ରଦାନ କରୁ । ରାଜନୈତିକ ଦୁର୍ନୀତିଗୁଡ଼ିକର ପର୍ଦ୍ଧାଫାସ୍ କରି ଗଣମାଧ୍ୟମ ଗଣତନ୍ତ୍ରରେ ନିଜର ଚତୁର୍ଥ ସ୍ତମ୍ଭର ଭୂମିକା ନିର୍ବାହ କରୁ ବୋଲି ଦୈନିକ ଇଂରାଜୀ ଖବରକାଗଜ ‘ଦି ହିନ୍ଦୁ’ର ଅଧ୍ୟକ୍ଷ ତଥା ପ୍ରକାଶକ ଏନ୍ ରାମ କହିଛନ୍ତି । ‘ପ୍ରଗତିବାଦୀ’ର ପ୍ରତିଷ୍ଠାତା ତଥା ବିଶିଷ୍ଟ ରାଗଜନୈତିକ ପ୍ରଦୁ୍ୟମ୍ନ ବଳଙ୍କ ୮୩ତମ ଜୟନ୍ତୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ରାମ ଏହା କହିଛନ୍ତି । ଶ୍ରୀଯୁକ୍ତ ରାମ କହିଥିଲେ ଯେ ଦେଶରେ ଅସହିଷ୍ଣୁତା ସର୍ବଦା ରହିଆସିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ସୌରୀ ଏଥିପାଇଁ ସଂଘ ପରିବାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛନ୍ତି । ତେବେ ଗଣମାଧ୍ୟମ ଦେଶର ପ୍ରକୃତ ଚିତ୍ର ସାମ୍ନାକୁ ଆଣୁ । ସହିଷ୍ଣୁତା ଓ ଅସହିଷ୍ଣୁତା ମଧ୍ୟରେ ଦେଶର ବାସ୍ତବ ସ୍ଥିତି ଲୋକଙ୍କ ସାମ୍ନାରେ ଉନ୍ମୋଚନ କରିବା ହିଁ ଗଣମାଧ୍ୟମର କର୍ତ୍ତବ୍ୟ ବୋଲି ଶ୍ରୀଯୁକ୍ତ ରାମ କହିଥିଲେ । ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ପ୍ରଦୁ୍ୟମ୍ନ ବାବୁ ମୂଲ୍ୟବୋଧଭିତ୍ତିକ ରାଜନୀତିରେ ବିଶ୍ୱାସ କରୁଥିଲେ । ସାମ୍ବାଦିକତା ଓ ରାଜନୀତିର ସଫଳ ସମନ୍ୱୟ ଥିଲେ ପ୍ରଦୁ୍ୟମ୍ନ ବାବୁ । ଜୟପ୍ରକାଶଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇ ଜଗତସିଂହପୁର ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ । ‘ପ୍ରଗତିବାଦୀ’ ଦୈନିକ ଖବରକାଗଜ ପ୍ରତିଷ୍ଠା କରି ସେ ସମାଜିକ ସମସ୍ୟା ଉତ୍ଥାପନ କରିବାକୁ ସତତ ପ୍ରଚେଷ୍ଟା ଜାରି ରଖିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ବର୍ତ୍ତମାନର ସରକାର ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନର ଲକ୍ଷ୍ୟପଥରେ ସରକାର ଅଗ୍ରସର ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ଶିକ୍ଷାବିତ୍ ପ୍ର. ଓଁଙ୍କାରନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ସମାଜସେବା ପାଇଁ ବିଶିଷ୍ଟ ସମାଜସେବୀ ବି. ଚିତିଆମ୍ମାଙ୍କୁ ପ୍ରଦୁ୍ୟମ୍ନ ବଳ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସାମ୍ବାଦିକ ସୁଭାଷ ଚନ୍ଦ୍ର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଗତିବାଦୀ ଟ୍ରଷ୍ଟର ସମ୍ବିତ ବଳ ଧନ୍ୟବାଦ ଅର୍ପଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com