mahima

ମାର୍ଚ୍ଚ ୩ଠରେ ମହିମା ଜ୍ୟୋତିଯାତ୍ରା ଶୁଭାରମ୍ଭ

403

ଢେଙ୍କାନାଳ (ଆପ୍ର) : ଚଳିତବର୍ଷ ୫ମ ମହିମା ଜ୍ୟୋତିଯାତ୍ରା କପିଳାସ ତପୋବନ ମହିମା ଆଶ୍ରମରୁ ବାହାରି ମହିମା ଗାଦିପୀଠ ଗଁଦିଆ ବ୍ଲକ୍ ଯୋରନ୍ଦାକୁ ଆସିବ । ମାର୍ଚ୍ଚ ୩୦ ସକାଳ ୮ଟା ରୁ ମହିମା ଜ୍ୟୋତିଯାତ୍ରା ଯୋରନ୍ଦା ଗାଦିପୀଠରୁ ବାହାରି ଢେଙ୍କାନାଳ ସହରର ବାଜିଚୌକ, ଷ୍ଟେସନ୍ ବଜାର ଛକ, କାମାକ୍ଷାନଗର ଛକ ଓ କାମାକ୍ଷାନଗର ବ୍ଲକ୍ ଦେଇ ଶୂନ୍ୟମନ୍ଦିର ଓ ମହିମା ସ୍ୱାମୀଙ୍କ ଆସ୍ଥାନ ଥିବା ବସୋଇ ଗ୍ରାମରେ ପହଞ୍ଚିବ । ସେଠାରେ ମହିମା ଜ୍ୟୋତିଯାତ୍ରାର ରାତି ରହଣି ହେବ ଏବଂ ମହିମା ଭଜନ କୀର୍ତନ ସାଙ୍ଗକୁ ଧର୍ମସଭାର ଆୟୋଜନ କରାଯିବ । ଜ୍ୟୋତିଯାତ୍ରା ବସୋଇରୁ ବାହାରି ବାରିହାପୁର ଗ୍ରାମଦେଇ ଡିହଡୋଳ ଛକକୁ ଆସିବ । ସେଠାରୁ କନ୍ତୋର, ମହାବୀରୋଡ, ଝିଲ୍ଲୀ, ଗଡ଼ପଳାଶୁଣି ହୋଇ କୀର୍ତନପୁର, ତନୁଯୋଡ଼ା, କଣ୍ଟାପାଳ ଓ ତଣ୍ଡିମୁଣ୍ଡା ହୋଇ କଙ୍କଡ଼ାହାଡ଼ ବ୍ଲକ୍ ସଦର ମହକୁମାରେ ପହଞ୍ଚିବ । ୫ମ ବାର୍ଷିକ ଜ୍ୟୋତିଯାତ୍ରାରେ ଜିଲ୍ଲାର ସଦର, ଗଁଦିଆ, କାମାକ୍ଷାନଗର, ପର୍ଜଙ୍ଗ ଓ କଙ୍କଡ଼ାହାଡ଼ ସମେତ ୫ଟି ବ୍ଲକ୍ରେ ଜ୍ୟୋତି ପରିକ୍ରମା କରିବାର ନିଷ୍ପତ୍ତି ହୋଇଛି । ଏହି ପରିକ୍ରମାର ମୁଖ୍ୟସ୍ଥଳ ପର୍ଜଙ୍ଗ ବ୍ଲକ୍ ବସୋଇ ପଞ୍ଚାୟତର ବସୋଇ ଗ୍ରାମରେ ହିଁ ହେବାକୁ ଯାଉଛି । ଜ୍ୟୋତିଯାତ୍ରାକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ମହିମା ଟୁଙ୍ଗି ପରିସରରେ କୌପୀନଧାରୀ ମହିମା ସମାଜର ସଭାପତି ଶ୍ରୀମଦ୍ ରଘୁନାଥ ବାବାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସହଯୋଗୀ ଭାବେ କୌପିନଧାରୀ ମହିମା ସମାଜର ପରିଚାଳକ ପରିବ୍ରାଜକ ଅବିନାଶୀ ବାବା, ଜ୍ୟୋତିଯାତ୍ରାର ସଂଯୋଜକ ପ୍ରଦୁ୍ୟମ୍ନ ରଥ, ଆବାହକ ପ୍ରଶାନ୍ତ କୁମାର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷାଧିକାରୀ ବିଭୁତିଭୂଷଣ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଯାତ୍ରା ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ବସୋଇ ମହିମା ଆଶ୍ରମର ପରିଚାଳକ ବାବା ଭଗିରଥ ଦାସ, ବସୋଇ ଗ୍ରାମର ଭକ୍ତ ଯୁଧିଷ୍ଠିର ବିଶ୍ୱାଳ, ବଟକୃଷ୍ଣ ବିଶ୍ୱାଳ, ନବକିଶୋର ବିଶ୍ୱାଳ, ବ୍ରଜବନ୍ଧୁ ବିଶ୍ୱାଳ, ଜୟପ୍ରକାଶ ବିଶ୍ୱାଳ, କ୍ଷିରୋଦ ବିଶ୍ୱାଳ, ନୃସିଂହ ସ୍ୱାଇଁ, ଅନନ୍ତ ଚରଣ ସ୍ୱାଇଁ, ଶ୍ରୀକାନ୍ତ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com